Angan Ka Utsav: ସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶୃତିବଦ୍ଧ- ମୁଖ୍ୟମନ୍ତ୍ରୀ
‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ; ରାଜ୍ୟରେ ୪୬ ଲକ୍ଷରୁ ଊର୍ଦ୍ଧ୍ୱ ପୋଷଣ କାର୍ଯ୍ୟକ୍ରମ।

ଭୁବନେଶ୍ୱର: ଏକ ସୁପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ମହିଳା ଓ ଶିଶୁଙ୍କ ପୋଷଣରେ ଉନ୍ନତି ଆଣିବା ସହ ଅଙ୍ଗନବାଡ଼ି ଓ ସ୍କୁଲ ମାଧ୍ୟମରେ ବିଭିନ୍ନ ପୋଷଣ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ପରିବାରକୁ ସାମିଲ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ରାଜ୍ୟସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଏବଂ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଶୁର ପ୍ରଥମ ୧୦୦୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିଶୁଙ୍କ ସୁଚାରୁ ଲାଳନପାଳନ ଓ ପୋଷଣ ପାଇଁ ମା’ଙ୍କ ସହ ପିତା ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହଭାଗିତା ଜରୁରୀ। ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନରେ ସମସ୍ତେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ପୋଷଣ ମାସ ପାଳନ ଅବସରରେ ରାଜ୍ୟବ୍ୟାପୀ ୪୬ ଲକ୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଧାର ଯାଞ୍ଚ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ଶିଶୁ ଟୀକାକରଣ, ଅନୁଷ୍ଠାନିକ ପ୍ରସବ ବୃଦ୍ଧି ଏବଂ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀ, ସହାୟିକା, ANM ଓ ଆଶା କର୍ମୀଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

ସମାଜର ଅଧା ଜନସଂଖ୍ୟାଙ୍କ ମଙ୍ଗଳ ବିନା ବିକାଶ ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳା ସଶକ୍ତିକରଣ ପାଇଁ ‘ସୁଭଦ୍ରା ଯୋଜନା’, ‘ଲକ୍ଷପତି ଦିଦି’, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଭଳି ପଦକ୍ଷେପ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ରାଜ୍ୟ ସରକାରଙ୍କ ମୋଟ ବଜେଟର ଅତିକମରେ ୪୦ ପ୍ରତିଶତ ମହିଳାଙ୍କ ପାଇଁ ଖର୍ଚ୍ଚ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର (M.A.) ପର୍ଯ୍ୟନ୍ତ ଶିକ୍ଷା ଦେୟମୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଜନ୍ମିତ ଶିଶୁ କନ୍ୟାମାନେ ସ୍ନାତକ ଶିକ୍ଷା ସମାପ୍ତ କଲେ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ ବୋଲି ମଧ୍ୟ ସେ କହିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ମାଧ୍ୟମରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ସେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି ପିଲାମାନଙ୍କୁ ସ୍କୁଲ କିଟ୍ ବଣ୍ଟନ କରିଥିଲେ। ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦର୍ଶନ ପାଇଁ ବାପାମାନଙ୍କୁ ପୁରସ୍କୃତ କରିବା ସହ ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ଆଶା କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ‘ତ୍ରିରଙ୍ଗା ଥାଳି’ ଓ ଗରମ ରନ୍ଧା ଖାଦ୍ୟର ଗୁଣବତ୍ତା ଅନୁଧ୍ୟାନ କରିଥିଲେ। ଏହା ସହ ପିଲାମାନଙ୍କୁ ନିଜେ ଖାଦ୍ୟ ପରଷିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂଙ୍କ ସମେତ ବିଭାଗୀୟ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶା କର୍ମୀ, ଶିଶୁ ଓ ସେମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ।
