Tata Sonsର ବଡ଼ ନିଷ୍ପତ୍ତି: ଏନ୍. ଚନ୍ଦ୍ରଶେଖରନଙ୍କୁ ଆଉ ୫ ବର୍ଷ
Tata Sons ବୋର୍ଡ ଏନ୍. ଚନ୍ଦ୍ରଶେଖରନଙ୍କୁ ଆଉ ୫ ବର୍ଷ ପାଇଁ Executive Chairman ଭାବେ ପୁନଃନିଯୁକ୍ତ କରିଛି। ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳ ଫେବୃଆରୀ ୨୦୨୭ରେ ଶେଷ ହେବ। ଏହା ସହ Tata Sonsର ଲିଷ୍ଟିଂ ନେଇ ମଧ୍ୟ ବୋର୍ଡ ପକ୍ଷରୁ ପଦକ୍ଷେପ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି।
ମୁମ୍ବାଇ: Tata Sonsର ଚେୟାରମ୍ୟାନ୍ ଏନ୍. ଚନ୍ଦ୍ରଶେଖରନଙ୍କୁ ଆଉ ୫ ବର୍ଷ ପାଇଁ ଚେୟାରମ୍ୟାନ୍ ଭାବେ ପୁନଃନିଯୁକ୍ତ କରିବାକୁ ବୋର୍ଡ ଅନୁମୋଦନ କରିଛି। ସେପ୍ଟେମ୍ବର ୧୭ରେ ମୁମ୍ବାଇରେ ଅନୁଷ୍ଠିତ Tata Sons ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଚନ୍ଦ୍ରଶେଖରନଙ୍କ ବର୍ତ୍ତମାନର କାର୍ଯ୍ୟକାଳ ୨୦ ଫେବୃଆରୀ ୨୦୨୭ରେ ଶେଷ ହେବାକୁ ଥିଲା। ଚନ୍ଦ୍ରଶେଖରନ ୨୦୧୭ରୁ Tata Sonsର ଚେୟାରମ୍ୟାନ୍ ଭାବେ ଦାୟିତ୍ୱରେ ଅଛନ୍ତି। ୨୦୨୨ରେ ତାଙ୍କୁ ଦ୍ୱିତୀୟ ୫ ବର୍ଷର କାର୍ଯ୍ୟକାଳ ପାଇଁ ପୁନଃନିଯୁକ୍ତ କରାଯାଇଥିଲା। ତେବେ ଗତ ଅଗଷ୍ଟରେ ସେ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପରେ ତୃତୀୟ ଥର ପାଇଁ ପଦବୀ ଗ୍ରହଣ କରିବେ ନାହିଁ ବୋଲି ଜଣାଇଥିଲେ। ପରେ ବୋର୍ଡର ଅନୁରୋଧକ୍ରମେ ସେ ନିଜ ନିଷ୍ପତ୍ତିର ପୁନର୍ବିଚାର କରିଥିଲେ। Tata Sonsର ଅଧିକୃତ ବିବୃତି ଅନୁସାରେ, ବୋର୍ଡର Nomination and Remuneration Committee ଚନ୍ଦ୍ରଶେଖରନଙ୍କ ଅବଦାନ ଏବଂ Tata Groupର ବ୍ୟାପକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତାଙ୍କୁ ପୁନଃନିଯୁକ୍ତ କରିବାକୁ ସୁପାରିସ କରିଥିଲା। ଏହାପରେ ବୋର୍ଡ ଅଧିକାଂଶ ଭୋଟରେ ଆଉ ୫ ବର୍ଷ ପାଇଁ ତାଙ୍କ ପୁନଃନିଯୁକ୍ତିକୁ ଅନୁମୋଦନ କରିଛି।
ତେବେ ଏହି ନିଷ୍ପତ୍ତିରେ ବୋର୍ଡ ଭିତରେ ମତଭେଦ ମଧ୍ୟ ସାମ୍ନାକୁ ଆସିଛି। Tata Trustsର ଚେୟାରମ୍ୟାନ୍ ନୋଏଲ୍ ଟାଟା ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିବା ରିପୋର୍ଟ ହୋଇଛି। Tata Trusts ପକ୍ଷରୁ ପରେ ଏହି ପୁନଃନିଯୁକ୍ତିକୁ ନେଇ ଆଇନଗତ ଆପତ୍ତି ମଧ୍ୟ ପ୍ରକାଶ କରାଯାଇଛି।
Tata Sonsର ଲିଷ୍ଟିଂ ନେଇ ମଧ୍ୟ ବଡ଼ ନିଷ୍ପତ୍ତି
ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି ସହ Tata Sonsର ଭବିଷ୍ୟତ ଲିଷ୍ଟିଂ ପ୍ରସଙ୍ଗ ମଧ୍ୟ ବୋର୍ଡ ବୈଠକରେ ଚର୍ଚ୍ଚାରେ ରହିଛି। RBI ଗତ ସପ୍ତାହରେ Tata Sonsର NBFC ପଞ୍ଜୀକରଣ ସମର୍ପଣ କରିବା ଆବେଦନକୁ ଖାରଜ କରିଥିବାରୁ କମ୍ପାନୀ ପାଇଁ ଲିଷ୍ଟିଂ ସମ୍ପର୍କିତ ନିୟମ ପାଳନର ପ୍ରଶ୍ନ ପୁଣି ସାମ୍ନାକୁ ଆସିଛି। ବୋର୍ଡ ଲିଷ୍ଟିଂ ସମ୍ପର୍କିତ ପଦକ୍ଷେପ ଆଗକୁ ବଢ଼ାଇବା ନେଇ ନିଷ୍ପତ୍ତି ନେଇଥିବା ରିପୋର୍ଟ ହୋଇଛି। ତେବେ ଏହି ନିଷ୍ପତ୍ତି ଓ ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତି—ଦୁଇଟିକୁ ଆଗାମୀ Annual General Meetingରେ ରାଟିଫାଇ କରିବାକୁ ପଡ଼ିବ। Tata Sons ହେଉଛି Tata Groupର ମୁଖ୍ୟ holding company। TCS, Tata Motors, Tata Steel, Air India ସମେତ ଗ୍ରୁପ୍ର ବିଭିନ୍ନ ପ୍ରମୁଖ ବ୍ୟବସାୟରେ ଏହାର ହୋଲ୍ଡିଂ ରହିଛି। ଚନ୍ଦ୍ରଶେଖରନଙ୍କ ଆଉ ଏକ ୫ ବର୍ଷର କାର୍ଯ୍ୟକାଳ ଏବେ Tata Groupର ଆଗାମୀ ନେତୃତ୍ୱ ଓ ବ୍ୟବସାୟିକ ଦିଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ହୋଇଛି।
