Vineet Minocha Murder:କରଜରୁ କୋଟିପତି ବାପାକୁ ମର୍ଡର- ବୋହୂକୁ ଫସାଇବାକୁ ରଚିଥିଲା ଷଡ଼ଯନ୍ତ୍ର
ତଦନ୍ତରେ ପୁଅ ସୁବ୍ରତ ହିଁ ମୁଖ୍ୟ ମାଷ୍ଟରମାଇଣ୍ଡ ବାହାରିଲା। ସୁବ୍ରତ ମୁଣ୍ଡରେ ୧୫ଲକ୍ଷ ଟଙ୍କାର କରଜ ଥିଲା। ତା ସାଙ୍ଗକୁ ବାପା ବିନୀତଙ୍କ କଡ଼ା ନିୟନ୍ତ୍ରଣ ଓ ସମ୍ପତ୍ତିରୁ ବେଦଖଲ ଭୟରେ ସେ କ୍ଷୁବ୍ଧ ଥିଲା। ସୁବ୍ରତ ହିଁ ହତ୍ୟାକାରୀଙ୍କୁ ଘରର ଚାବି ଦେଇଥିଲା। ଆଉ ଧରାପଡ଼ିଲେ ପତ୍ନୀ ଶାଲୁର ନାଁ କହିବାକୁ ଅଭିଯୁକ୍ତଙ୍କୁ କହିଥିଲା।

କାନପୁରରେ କୋଟିପତି ବ୍ୟବସାୟୀ ବିନୀତ ମିନୋଚା ହତ୍ୟାକାଣ୍ଡ ମାମଲାରେ ୨୧ ଦିନ ପରେ ଜେଲରୁ ବାହାରିଲେ ତାଙ୍କ ବୋହୂ ଶାଲୁ। ବିନୀତଙ୍କୁ ହତ୍ୟା ପଛରେ ଶାଲୁଙ୍କ ସଂପୃକ୍ତି କି ଷଡ଼ଯନ୍ତ୍ରର କୌଣସି ବିଶ୍ୱସନୀୟ ପ୍ରମାଣ ନ ମିଳିବାରୁ କୋର୍ଟ ତାଙ୍କୁ ୫୦ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ମୁକ୍ତ କରିଦେଇଛନ୍ତି। ତେବେ ଏହା ସହ କୋର୍ଟ ସର୍ତ୍ତ ବି ରଖିଛନ୍ତି, ତଦନ୍ତ ଅଧିକାରୀ ଡାକିଲେ ଶାଲୁ ତଦନ୍ତ ପ୍ରକ୍ରିୟାରେ ଉପସ୍ଥିତ ରହି ସହଯୋଗ କରିବାକୁ ଅନିର୍ବାର୍ଯ୍ୟ। ଶାଲୁଙ୍କ ଓକିଲ ଶିବାକାନ୍ତ ଦୀକ୍ଷିତ କହିଛନ୍ତି, ପ୍ରଥମ ଦିନରୁ ହିଁ କେବଳ ମୌଖିକ ବୟାନ ଆଧାରରେ ଶାଲୁଙ୍କୁ ଦୋଷୀ ସଜାଇବାକୁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଥିଲା। ଯେବେ କି ସେ ପୁରା ନିର୍ଦୋଷ ଥିଲେ। ଏଭଳି ସମ୍ୱେଦନଶୀଳ ମାମଲାରେ ପୁଲିସକୁ ଆତ୍ମସମୀକ୍ଷା କରିବା ଜରୁରୀ। ଆଗକୁ ଯେମିତି କୌଣସି ନିର୍ଦ୍ଦୋଷ ବ୍ୟକ୍ତି ଅକାରଣରେ ଜେଲ୍ ନ ଯାଉ। ସେପ୍ଟେମ୍ୱର ୫ ତାରିଖ ରାତିର ଘଟଣା। ୬୩ ବର୍ଷୀୟ ବିଶିଷ୍ଟ ଔଷଧ ବ୍ୟବସାୟୀ ବିନୀତ ମିନୋଚାଙ୍କୁ ନୃଶଂସ ହତ୍ୟା କରାଯାଇଥିଲା। ତାଙ୍କୁ ଛୁରୀରେ ୨୬ଥର ଭୁଷିଥିଲେ ଦୁର୍ବୃତ୍ତ। ପୁଲିସ ଏ ମାମଲାରେ ତାଙ୍କର ପୂର୍ବତନ ଚାକର ବିଶାଳ ଗୌତମ ଓ ତା ସାଥୀ ରାଜକିଶୋରକୁ ଗିରଫ କରିଥିଲା। ଆଉ ଅଭିଯୁକ୍ତ ବିଶାଳର କଥା ଅନୁସାରେ ବିନୀତଙ୍କ ବୋହୂ ଏ କାଣ୍ଡ ଭିଆଇବାକୁ କୁଆଡ଼େ ସେମାନଙ୍କୁ ୬ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା। କିନ୍ତୁ ପରେ ଘଟଣାରେ ଟ୍ୱିଷ୍ଟ ଆସିଥିଲା। ତଦନ୍ତରେ ପୁଅ ସୁବ୍ରତ ହିଁ ମୁଖ୍ୟ ମାଷ୍ଟରମାଇଣ୍ଡ ବାହାରିଲା। ସୁବ୍ରତ ମୁଣ୍ଡରେ ୧୫ଲକ୍ଷ ଟଙ୍କାର କରଜ ଥିଲା। ତା ସାଙ୍ଗକୁ ବାପା ବିନୀତଙ୍କ କଡ଼ା ନିୟନ୍ତ୍ରଣ ଓ ସମ୍ପତ୍ତିରୁ ବେଦଖଲ ଭୟରେ ସେ କ୍ଷୁବ୍ଧ ଥିଲା। ସୁବ୍ରତ ହିଁ ହତ୍ୟାକାରୀଙ୍କୁ ଘରର ଚାବି ଦେଇଥିଲା। ଆଉ ଧରାପଡ଼ିଲେ ପତ୍ନୀ ଶାଲୁର ନାଁ କହିବାକୁ ଅଭିଯୁକ୍ତଙ୍କୁ କହିଥିଲା। ପତ୍ନୀଙ୍କୁ ବାପାଙ୍କ ମର୍ଡର ମାମଲାରେ ଫସାଇବାକୁ କରିଥିଲା ଷଡ଼ଯନ୍ତ୍ର। ବିନୀତଙ୍କ ପରିବାରରେ ବିବାଦ ଭର୍ତ୍ତି ଥିଲା। ବିନୀତଙ୍କ ଆଚରଣରେ ଅତିଷ୍ଠ ତାଙ୍କ ପତ୍ନୀ ସୁନୀତା ୭ ବର୍ଷ ହେଲା ଅଲଗା ହୋଇ ଝିଅ ସୁଭାଙ୍ଗିଙ୍କ ସହ ରହୁଥିଲେ। ପୁଲିସ ମୁତାବକ, ଶାଲୁଙ୍କୁ ବି ବିନୀତ ଖରାପ ଦୃଷ୍ଟିରେ ଦେଖୁଥିବା ସନ୍ଦେହ କରୁଥିଲା ସୁବ୍ରତ। ଘରେ କ୍ୟାମେରା ଲଗାଇଥିଲେ ବିନୀତ। ସେମାନଙ୍କ ଉପରେ ନଜର ରଖାଯାଇଛି ଭାବି କ୍ଷୁବ୍ଧ ଥିଲେ ସୁବ୍ରତ। ମୋଟାମୋଟି ସମ୍ପତ୍ତି, ସମ୍ପର୍କ ଓ ସନ୍ଦେହରୁ ପୁଅ ସୁବ୍ରତ ରଚିଥିଲା ବାପା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର।
