ଓଡ଼ିଶା

କିନ୍ନରଙ୍କ ପାଇଁ ‘ସ୍ୱୀକୃତି’ ଯୋଜନାରେ ଅଧିକ ସୁବିଧା,ଛାତ୍ରାବାସ ଓ ଆର୍ଥିକ କାର୍ଯ୍ୟକଳାପ ପାଇଁ ସରକାରୀ ସହାୟତା

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କିନ୍ନରମାନଙ୍କ ନିରାପଦ ଭବିଷ୍ୟତ ଓ ଆର୍ଥିକ ନିର୍ଭରତା ନିମନ୍ତେ ‘ସ୍ୱୀକୃତି’ ଯୋଜନାରେ ସରକାର ବିଶେଷ ସୁବିଧା ମଞ୍ଜୁର କରିଛନ୍ତି । ସେମାନଙ୍କ ଶିକ୍ଷାଗତ ଅଭିବୃଦ୍ଧି ଏବଂ ଆର୍ଥିକ କାର୍ଯ୍ୟକଳାପ ନିମନ୍ତେ ସରକାରୀ ସହାୟତାର ବ୍ୟବସ୍ଥା କରାଯାଇଛି ।

କିନ୍ନରମାନଙ୍କ ପାଠପଢ଼ା ପାଇଁ ସରକାରଙ୍କ ପକ୍ଷରୁ ପ୍ରାକ୍-ମାଟି୍ରକ୍ ଓ ମାଟି୍ରକ୍ ପରବର୍ତ୍ତୀ ଶିକ୍ଷାବୃତ୍ତି ପରିମାଣ ମାସିକ ସର୍ବନିମ୍ନ ଏକ ହଜାର ଟଙ୍କାରୁ ଆରମ୍ଭ ହୋଇ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି । ସେମାନଙ୍କ ପାଇଁ ଛାତ୍ରାବାସ ସୁବିଧା ନିମନ୍ତେ ସେମାନେ ପଢ଼ୁଥିବା ଶିକ୍ଷାନୁଷ୍ଠାନ ଛାତ୍ରାବାସ ସୁବିଧା କରିପାରିବେ । ଛାତ୍ରାବାସରେ ରହୁଥିବା ପ୍ରତି କିନ୍ନରଙ୍କୁ ଉପକରଣ କ୍ରୟ ନିମନ୍ତେ ଏକକାଳୀନ ପାଠପଢ଼ା ଶେଷ ପର୍ଯ୍ୟନ୍ତ ୧୫ ହଜାର ଟଙ୍କା ପ୍ରଦାନ କରାଯିବ । ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସୁପାରିଶକୁ ଭିତ୍ତି କରି ପ୍ରତି କିନ୍ନରଙ୍କୁ ମାସିକ ତିନି ହଜାର ଟଙ୍କା ଛାତ୍ରାବାସ ଖର୍ଚ୍ଚ ଯୋଗାଇ ଦିଆଯିବ ।

ଅନୁରୂପ ଭାବରେ, କିନ୍ନରମାନଙ୍କ ଆର୍ଥିକ ନିର୍ଭରତା ବୃଦ୍ଧି ଉଦ୍ଦେଶ୍ୟରେ ଉଦ୍ୟୋଗ ଆରମ୍ଭ କରି ଆତ୍ମନିଯୁକ୍ତିଭିତ୍ତିକ ରୋଜଗାର ନିମନ୍ତେ ସରକାରୀ ସହାୟତା ପ୍ରଦାନ କରାଯିବ । ବ୍ୟକ୍ତିଗତ ଭାବରେ ଜଣେ ପଂଜୀକୃତ କିନ୍ନର ଉଦ୍ୟୋଗୀଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ । କିନ୍ନର ଉଦ୍ୟୋଗୀମାନେ ଦଳଗତ ଭାବରେ କୌଣସି ପ୍ରକଳ୍ପ ଆରମ୍ଭ କଲେ ସେମାନଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ । କିନ୍ନରମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି କୌଣସି ଆୟକାରୀ ପ୍ରକଳ୍ପ ଆରମ୍ଭ କଲେ, ସେହି ଗୋଷ୍ଠୀଙ୍କୁ ମଧ୍ୟ ଏକକାଳୀନ ଏକ ଲକ୍ଷ ପଚିଶ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ । ପ୍ରତି ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କଠାରୁ ଏ ବାବଦରେ ବିଶଦ ସୂଚନା ଓ ତଥ୍ୟ ଉପଲବ୍ଧ ହୋଇପାରିବ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, କିନ୍ନରମାନଙ୍କୁ ଉତ୍ତମ ମାନବସମ୍ବଳ ଭାବରେ ବିବେଚନା କରି ସେମାନଙ୍କ ସୁରକ୍ଷା ଓ ଆର୍ଥିକ ନିରାପତ୍ତା ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି ଉଦ୍ଦେଶ୍ୟରେ ସରକାର ସେମାନଙ୍କ ଶିକ୍ଷା, ଦକ୍ଷତା ବିକାଶ ସାଙ୍ଗକୁ ଛାତ୍ରାବାସ ରହଣି ଉପରେ ଗୁରୁତ୍ୱ ଦେଇଛନ୍ତି । ସେମାନଙ୍କ ଆର୍ଥିକ କାର୍ଯ୍ୟକଳାପକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏପରି ସହାୟତା ବିଶେଷ ପ୍ରଭାବୀ ସାବ୍ୟସ୍ତ ହେବ ବୋଲି ପଣ୍ଡା କହିଛନ୍ତି ।

Leave a Reply

Your email address will not be published.

Back to top button