ବିମାନବନ୍ଦରରୁ ୧୫ କେଜି ଗଞ୍ଜେଇ ଜବତ; ଭୁବନେଶ୍ବରରୁ ବଲିଉଡ୍‌କୁ ହେଉଥିଲା ଚାଲାଣ

 ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ କ‌ମ୍ପ୍ଲେକ୍ସରୁ କଷ୍ଟମସ୍ ବିଭାଗ ୧୫ କେଜି ଗଞ୍ଜେଇ ଜବତ କରିଛି। ଏକ କୋରିଅର୍‌ ସଂସ୍ଥା ଜରିଆରେ ଏହି ଗଞ୍ଜେଇ ମୁମ୍ବାଇ ପଠାଯାଉଥିଲା। ତେଣୁ ଏହା ବଲିଉଡ୍‌କୁ ଚାଲାଣ ହେଉଥିଲା ବୋଲି ସନ୍ଦେହ କରାଯାଉଛି। କୋରିଅର୍‌ ସଂସ୍ଥାରେ କିଏ ପଠାଉଥିଲା ଏବଂ କାହା ପାଖକୁ ପଠାଯାଉଥିଲା, ସେନେଇ କଷ୍ଟମସ୍‌ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ବିଭାଗୀୟ ଅଧିକାରୀମାନେ ଅଧିକ ବିବରଣୀ ଦେଇନାହାନ୍ତି। କିନ୍ତୁ ଗ‌ଞ୍ଜେଇ ମାୟାନଗରୀର ବଲିଉଡ୍‌କୁ ଯାଉଥିଲା ବୋଲି ଆପାତତଃ ନିଶ୍ଚିତ ବୋଲି ସୂଚନା ମିଳିଛି।

ଭୁବନେଶ୍ବର ବିମାନବନ୍ଦରର କାର୍ଗୋ କମ୍ପ୍ଲେକ୍ସରେ ବିଭିନ୍ନ ଲଗେଜ୍‌ ଓ ପ୍ୟାକେଟ୍‌ ସବୁକୁ ସ୍କାନର୍‌ରେ ଯାଞ୍ଚ କରାଯାଉଥିଲା। ଏତିକିବେଳେ ଏକ ସନ୍ଦିଗ୍ଧ ପ୍ୟାକେଟ୍‌ ନଜରକୁ ଆସିଥିଲା। ତେଣୁ ସେହି ପ୍ୟାକେଟ୍‌କୁ ଭଲ ଭାବେ ଯାଞ୍ଚ କରାଯାଇଥିଲା ଏବଂ ସେଥିରେ ୧୫ କେଜି ଓଜନର ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଖବର ପାଇ କଷ୍ଟମସ୍‌ ବିଭାଗର ଅଧିକାରୀମାନେ ସେହି ପ୍ୟାକେଟ୍‌କୁ ଜବତ କରିଥିଲେ। ପ୍ୟାକେଟ୍‌ଟି ଭୁବନେଶ୍ବରସ୍ଥିତ ଡିଟିଟିସି କୋରିଅର୍‌ ସଂସ୍ଥା ପକ୍ଷରୁ ମୁମ୍ବାଇ ପଠାଯାଉଥିଲା। ତେଣୁ ତୁରନ୍ତ ବିଭାଗୀୟ ଅଧିକାରୀମାନେ ଉକ୍ତ କୋରିଅର୍‌ ସଂସ୍ଥା ସହ ଯୋଗାଯୋଗ କରି ପ୍ରେରକକୁ ଠାବ କରିବାକୁ ଚେଷ୍ଟା କରିଥିଲେ। ଏନେଇ କଷ୍ଟମସ୍‌ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଖୁବ୍‌ ଶୀଘ୍ର ଭୁବନେଶ୍ବର କୋର୍ଟରେ ଜବତ ଗଞ୍ଜେଇ ଦାଖଲ କରାଯିବ। ଏନେଇ ଅଧିକ ତଦନ୍ତ ଜାରି ରହିଛି। ଏହି ବେଆଇନ ଚାଲାଣରେ କୋରିଅର୍‌ ସଂସ୍ଥାର ସିଧାସଳଖ ସମ୍ପୃକ୍ତି ଅଛି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି। କୌଣସି ଅଜଣା ଅପରିଚିତ ବ୍ୟକ୍ତି କୋରିଅର୍‌ ସଂସ୍ଥା ଜରିଆରେ କୌଣସି ମାଲ୍ ପଠାଇବା ସମ୍ଭବ ନୁହେଁ। ତେଣୁ ଗଞ୍ଜେଇ ଚାଲାଣକାରୀକୁ ଠାବ କରିବା କଷ୍ଟମସ୍‌ ବିଭାଗ ପାଇଁ କାଠିକର ହେବ ନାହିଁ ବୋଲି କୁହାଯାଉଛି। ଅତଏବ ଖୁବ୍‌ ଶୀଘ୍ର ଏହି ଚୋରା ଚାଲାଣର ପର୍ଦ୍ଦାଫାସ ହେବ ବୋଲି ଚର୍ଚ୍ଚା ଚାଲିଛି।

ମାୟାନଗରୀ ମୁମ୍ବାଇରେ ଓଡ଼ିଶା ଗଞ୍ଜେଇର ବହୁ ଚାହିଦା ରହିଛି। ବିଶେଷକରି ବଲିଉଡ୍‌ରେ ଓଡ଼ିଶା ଗଞ୍ଜେଇର ଚାହିଦା ବହୁତ। ଅତୀତରେ ବହୁ ନାୟକ ନାୟିକା ଏକଥାକୁ ଖୋଲାଖୋଲି ସ୍ବୀକାର କରିଛନ୍ତି। ତେଣୁ ଆଜି ଜବତ ହୋଇଥିବା ଗଞ୍ଜେଇ ବଲିଉଡ୍‌କୁ ଚାଲାଣ ହେଉଥିଲା ଏବଂ ବଲିଉଡ୍‌ରେ ଚାଲାଣକାରୀ ସଂସ୍ଥାର ଲମ୍ବା ହାତ ଥିବା ସନ୍ଦେହ କରାଯାଉଛି। ତେଣୁ ପ୍ରକୃତ ଖୋଳତାଡ଼ ହେଲେ ଏହି ଚୋରା ଚାଲାଣରେ ଚେର ମିଳିଯିବ ବୋଲି କୁହାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *