ମହାକୁମ୍ଭରେ ଦଳାଚକଟାରୁ ୩୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ୬୦ରୁ ଅଧିକ ଆହତ ହେଲେ। ବିଳମ୍ୱିତ ରାତି ୨ଟାରେ ତ୍ରିବେଣୀ ସଙ୍ଗମ ଓ ମହାକୁମ୍ଭ ଲାଗି ଉଦ୍ଦିଷ୍ଟ ୧୨ କିଲୋମିଟର ବ୍ୟାପୀ ନଦୀକୂଳ ରାସ୍ତାରେ ପ୍ରବଳ ଭିଡ଼ ସାଙ୍ଗକୁ ଗୁଜବରୁ ଏଭଳି ଅଘଟଣ ଘଟିଥିଲା। ଶ୍ରଦ୍ଧାଳୁ ବ୍ୟାରିକେଡ୍ ଡେଇଁବାକୁ ଚେଷ୍ଟାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ମହାକୁମ୍ଭରେ ଘଟିଥିବା ଦୁର୍ଘଟଣା ଲାଗି ଗଭୀର ଶୋକବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ।
ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ସରକାର। ଦଳାଚକଟା ଘଟଣାର ତଦନ୍ତ ଲାଗି ପ୍ରୟାଗରାଜ ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ଓ ଡିଜିପି।ମୁଖ୍ୟମନ୍ତ୍ରୀଙ୍କୁ ଉଭୟ ଅଧିକାରୀ ରିପୋର୍ଟ ଦେବେ। ଏଭଳି ଅଘଟଣର ଯାଞ୍ଚ ଲାଗି ୩ ଜଣିଆ ତଦନ୍ତ କମିଶନ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦଳାଚକଟା ଘଟଣା ପରେ ପ୍ରୟାଗରାଜ ଯିବାକୁ ପ୍ରମୁଖ ରାସ୍ତା ସିଲ୍ କରିଦିଆଯିବାରୁ ଜାମ୍ ହୋଇଥିଲା। ୮ ଜିଲ୍ଲାର ହାଇଓ୍ୱେରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଗାଡ଼ି ଫସିରହିଥିଲା। ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଭୋକ ଓପାସରେ ଗାଡ଼ିରେ ରହିବା ଛଡ଼ା ଆଉ ଚାରା ନଥିଲା। ଫେବୃଆରୀ ୪ ତାରିଖ ଯାଏଁ କଡ଼ା ପ୍ରତିବନ୍ଧକ ଲଗାଯାଇଛି। ପ୍ରୟାଗରାଜ ସହର ଭିତରକୁ କୌଣସି ଚାରି ଚକିଆ ଯାନର ପ୍ରବେଶ ଉପରେ ରୋକ୍ ଲାଗିଛି। ସମସ୍ତ ଭିଭିଆଇପି ପାସ୍ ରଦ୍ଦ କରିଦିଆଯାଇଛି। ମେଳା କ୍ଷେତ୍ରକୁ ପୁରା ନୋ-ଭେଇକିଲ୍ ଜୋନ୍ ଭାବେ ଘୋଷଣା ହୋଇଛି। ଏଭଳି ଦଳାଚକଟା ଘଟଣାରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଶ୍ରଦ୍ଧାଳୁଙ୍କ ନିରାପତ୍ତା ସହ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିଛନ୍ତି ଆଇନଜୀବି ବିଶାଳ ତିଓ୍ୱାରୀ। କୌଣସି ମେଡିକାଲ ଏମର୍ଜେନ୍ସି ଲାଗି ସମସ୍ତ ରାଜ୍ୟ ସରକାର ୟୁପି ସରକାରଙ୍କ ସହ ସମନ୍ୱୟ ରଖି ଆବଶ୍ୟକୀୟ ଡାକ୍ତର ଓ ନର୍ସ ଦିଅନ୍ତୁ। ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ହେଉଥିବା ଘୋଷଣା, ଡିସପ୍ଲେ ବୋର୍ଡ ବିଭିନ୍ନ ଭାଷାରେ କରାଯାଉ। ଯାହାକି ଅନ୍ୟ ରାଜ୍ୟର ଶ୍ରଦ୍ଧାଳୁଙ୍କୁ ସାହାଯ୍ୟ କରିବ।
ଦଳାଚକଟା ବେଳେ ସଙ୍ଗମ କ୍ଷେତ୍ରରେ ଡ୍ୟୁଟିରେ ଥିବା ୟୁପିର ଜଣେ ସବ-ଇନ୍ସପେକ୍ଟର ଅଞ୍ଜନି କୁମାର ରାଏଙ୍କ ମୃତ୍ୟୁ ହୋଇଛି। ଶ୍ରଦ୍ଧାଳୁଙ୍କ ଜୀବନ ରକ୍ଷା କରିବା ବେଳେ ସବ-ଇନ୍ସପେକ୍ଟର ଅଞ୍ଜନିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲା ବେଳେ ବେମାରରୁ ମୃତ୍ୟୁ ହୋଇଥିବା ଅଧିକାରୀ କହୁଛନ୍ତି। ସେପଟେ ବୁଧବାର ସକାଳେ ଆଉ ଏକ ଦଳାଚକଟା ମାମଲା ସାମ୍ନାକୁ ଆସିଛି। ମୌନି ଅମାବାସ୍ୟାରେ ଓଲଡ ଜିଟି ମୁକ୍ତିମାର୍ଗରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହା ଗୁଜବ ନା ସତ, ତଦନ୍ତ ଚାଲିଛି। ବଡ଼ ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଥିବା ବେଳେ ଆଉ ଏକ ଦଳାଚକଟା ହୋଇଥିଲା। ମହାକୁମ୍ଭ ମେଳାରେ ଦଳାଚକଟା ପରେ ନିଖୋଜ ଲୋକଙ୍କୁ ଖୋଜୁଛନ୍ତି ପରିଜନ।
ଏତେ ବଡ଼ ଅଘଟଣ ସତ୍ତ୍ୱେ ଆସ୍ଥାର ଲହର କୁମ୍ଭମେଳାରେ ଦେଖିବାକୁ ମିଳିଛି। ଜାନୁଆରୀ ୧୩ରୁ ଆଜି ଯାଏଁ୨୮ କୋଟି ଶ୍ରଦ୍ଧାଳୁ ସଂଗମରେ ବୁଡ଼ ପକାଇଛନ୍ତି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now