କର୍ତ୍ତବ୍ୟପଥରେ ୭୬ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଛି। ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ସାମିଲ୍ ହୋଇଥିଲେ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କର୍ତ୍ତବ୍ୟପଥରୁ ବିଶ୍ୱ ଦେଖିଲା ଭାରତର ଶକ୍ତି ଓ ପରାକ୍ରମ। ରାଫେଲ୍-ସୁଖୋଇ ସମେତ ୪୦ଯୁଦ୍ଧ ବିମାନ ଫ୍ଲାଏପାଷ୍ଟ କରିଛନ୍ତି। ଏଥିରୁ ୨୨ଟି ଫାଇଟର ଜେଟ୍, ୧୧ଟି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଓ ୭ଟି ହେଲିକେପ୍ଟର ପ୍ରଦର୍ଶନ କରିଛନ୍ତି। ମହାକୁମ୍ଭ ମେଳାର ପ୍ରଜ୍ଞାପନ ମେଢ଼ ବି ପ୍ରଦର୍ଶିତ ହୋଇଛି। ପ୍ୟାରେଡ ଆରମ୍ଭରୁ ୩ଶହ କଳାକାର ପାରମ୍ପରିକ ବାଦ୍ୟ ଯନ୍ତ୍ରରେ ସାରେ ଜହାଁ ସେ ଅଛାର ଧୁନ୍ ବଜାଇଥିଲେ। ଏହା ପରେ ୫ ହଜାର କଳାକର ଏକା ସାଙ୍ଗରେ କର୍ତ୍ତବ୍ୟପଥରେ ଭାରତର ବିକାଶ, ଐତିହ୍ୟ ଓ ସଂସ୍କୃତିର ପ୍ରଦର୍ଶନ କରିଥିଲେ। ପ୍ୟାରେଡରେ ୧୬ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୧୫ଟି ବିଭାଗର ମୋଟ୍ ୩୧ଟି ପ୍ରଜ୍ଞାପନ ମେଢ଼ ସାମିଲ୍ ହୋଇଥିଲା। ଏଥର ଗଣତନ୍ତ୍ର ଦିବସର ଥିମ୍ ହେଉଛି- ଗୋଲଡେନ୍ ଇଣ୍ଡିଆ ହେରିଟେଜ୍ ଓ ବିକାଶ। ଦେଶତମାମ ପ୍ରାୟ ୧୦ହଜାର ବିଶେଷ ଅତିଥିଙ୍କୁ ପ୍ୟାରେଡ ଦେଖିବାକୁ ନିମନ୍ତ୍ରଣ ମିଳିଥିଲା। ପ୍ୟାରେଡରେ ଇଣ୍ଡୋନେସିଆର ୩୫୨ ସଦସ୍ୟ ମାର୍ଚ୍ଚିଂ କରିବା ସହ ବ୍ୟାଣ୍ଡ୍ ପ୍ରଦର୍ଶନ କରିଥିଲେ। ପ୍ୟାରେଡ ପୂର୍ବରୁ ନାସନାଲ ଓ୍ୱାର ମେମୋରିଆଲ ପହଞ୍ଚି ସେଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଶକ୍ତି, ସମୃଦ୍ଧି ଓ ଏକତାର ପ୍ରତୀକକୁ ଗଣତନ୍ତ୍ର ଦିବସରେ ସାରା ଦୁନିଆ ଏହାର ଝଲକ ଦେଖିଲା। ଗଣତନ୍ତ୍ର ଦିବସର ଅବ୍ୟବିହତ ପୂର୍ବରୁ ନ୍ୟାୟ, ସ୍ୱାଧୀନତା, ସମାନତା କେମିତି ଆମ ସଭ୍ୟତାର ଅଂଶ ସାଜିଛି ବୋଲି ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ। ଏହା ସହ ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍କୁ ପ୍ରଶଂସା କରିଥିଲେ ରାଷ୍ଟ୍ରପତି।
ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ର ଉଦେଶ୍ୟରେ ସନ୍ଦେଶ ଦେଇ ଖଡ଼ଗେ କହିଛନ୍ତି ଯେ, ସମ୍ୱିଧାନ ଉପରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସାମ୍ୱିଧାନିକ ସଂସ୍ଥାର ସ୍ୱତନ୍ତ୍ରତାକୁ ଲଗାତାର କ୍ଷୁର୍ଣ୍ଣ କରାଯାଉଛି। ଏ ସବୁ ସଂସ୍ଥାକୁ ରାଜନୀତିକ ହସ୍ତକ୍ଷେପର ମୋହରା କରିଦିଆଯାଇଛି। ସତ୍ତାରୁଢ଼ ସରକାରଙ୍କ ଅହଙ୍କାର ଓ ଅତ୍ୟାଚାରର ପ୍ରବୃତ୍ତି କାରଣରୁ ସଂସଦରେ ପ୍ରଦର୍ଶନରେ ଗୁଣାବତ୍ତା ଓ ଉତ୍ପାଦକତା ହ୍ରାସ ପାଇବାରେ ଲାଗିଛି। ସମ୍ୱିଧାନର ପବିତ୍ର ସିଦ୍ଧାନ୍ତକୁ ଏକଛତ୍ରବାଦ ଶାସନ ଦ୍ୱାରା ଧ୍ୱସ୍ତ କରାଯାଉଛି। ଶାସକ ଦଳ ଅତୀତର ଆଳ ଦେଇ ବର୍ତ୍ତମାନକୁ ଦେଖୁନାହାନ୍ତି। ଗୋଟିଏ ରାଷ୍ଟ୍ର, ଗୋଟିଏ ଦଳ କରିବାକୁ ଅପପ୍ରୟାସ ଜାରି ରହିଛି।
ଦିଲ୍ଲୀସ୍ଥିତ ବାସଭବନରେ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ ଜାତୀୟ ପତାକା ଉତ୍ତୋଳନ ସହ ସିକ୍ୟୁରିଟି ଓ ସିଭିଲ ଷ୍ଟାଫଙ୍କୁ ମିଠା ବାଣ୍ଟିଛନ୍ତି। ଭାରତୀୟ ସେନା ଜମ୍ମୁକଶ୍ମୀରର ଉରି ସେକ୍ଟରର ବାରାମୁଳାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସବୁଠି ତ୍ରିରଙ୍ଗା। ବିଗତ ୭୫ ବର୍ଷ ଭିତରେ ସମ୍ୱିଧାନ ପ୍ରଗତିର ମାର୍ଗ ସାଜିଆସିଛି। କିନ୍ତୁ ସମ୍ୱିଧାନର ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ ଥିଲା ବେଳେ ବାସ୍ତବରେ ଏହାର ସୁରକ୍ଷା ହେଉଛି ନା ଏହାକୁ ଧ୍ୱସ୍ତ କରାଯାଉଛି। ତାକୁ ନେଇ ରାଜନୀତିକ ଆରୋପ ପ୍ରତ୍ୟାରୋପ ଭିତରେ ଗଣତନ୍ତ୍ରର ପ୍ରକୃତ ମୂଲ୍ୟ କେଉଁଠି ଗୌଣ ହୋଇଯାଉନି ତ।

Naxatra News is now on Whatsapp
Join and get latest news update delivered to you via whatsapp
Join Now