ତୁର୍କିୀ, ସିରିୟା ପରେ ଏବେ ତାଜକିସ୍ତାନରେ ଭୀଷଣ ଭୂମିକମ୍ପ

Spread the love

() ତୁର୍କିୀ, ସିରିୟା ପରେ ଏବେ ତାଜକିସ୍ତାନରେ ଭୀଷଣ ଭୂମିକମ୍ପ। ତାଜିକିସ୍ତାନରେ ୬.୮ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ହୋଇଥିବା ୟୁ.ଏସ. ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ଆଜି ସକାଳ ପ୍ରାୟ ୫.୩୭ସମୟରେ ଭୂଗର୍ଭର ପାଖାପାଖି ୨୦.୫ କିଲୋମିଟର ଗଭୀରରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଚୀନ୍‌ ଓ ତାଜିକିସ୍ତାନ ସୀମାନ୍ତକୁ ଲାଗିଥିବା ଗୋର୍ଣ୍ଣୋ-ବଦାଖଶାନ ଅଞ୍ଚଳ। ସ୍ୱଳ୍ପସଂଖ୍ୟକ ଲୋକ ବସବାସ କରୁଥିବା ଏହି ଅଞ୍ଚଳକୁ ବେଢ଼ି ରହିଛି ସୁଉଚ୍ଚ ପାମିର୍‌ ପର୍ବତମାଳା। ତେବେ ପ୍ରଥମ ଭୂକମ୍ପନର ୨୦ ମିନିଟ ପରେ ପୁଣି ଥରେ ୫.୦ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା। ମାତ୍ର ଚୀନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଜି ସକାଳେ ଚୀନ୍ ଓ ତାଜିକିସ୍ତାନ ସୀମାନ୍ତ ନିକଟ ସିନ୍‌ଜିଆଙ୍ଗ୍‌ ୟୁଗୁର ସ୍ୱୟଂଶାସିତ ଅଞ୍ଚଳରେ ୭.୩ ତୀବ୍ରତାର ଭୂମିକମ୍ପ ହୋଇଛି। ଚୀନ ଆର୍ଥକ୍ୱେକ୍‌ ନେଟ୍‌ୱାର୍କସ୍‌ ସେଣ୍ଟର୍‌’ ତଥ୍ୟ ଅନୁଯାୟୀ ତାଜିକିସ୍ତାନର ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ୭.୨ ତୀବ୍ରତା ଭୂମିକମ୍ପ ଅନୁଭୂତ ହୋଇଯାଇଛି। ତେବେ ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବା ଅଥବା କୌଣସି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ଆସିନାହିଁ ବୋଲି ‘ସିଜିଟିଏନ୍‌’ ଅଧିକାରୀମାନେ କହିଛନ୍ତି। ସେପଟେ ୟୁଏସ ଜିଓଲୋଜିକାଲ ସର୍ଭେ ଅନୁଯାୟୀ ତାଜିକସ୍ତାନର ଏହି ଭୂକମ୍ପ ଦ୍ବାରା ଭୂସ୍ଖଳନ ମଧ୍ୟ ହୋଇଛି। ସେପଟେ ଆଫଗାନିସ୍ତାନର ଫୈଜାବାଦରେ ମଧ୍ୟ ୬.୮ ରିକ୍ଟର ସ୍କେଲ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳୀ ଫୈଜାବାଦରୁ ୨୬୫ କିମି ଦୂରରେ ରହିଛି। ଆଫଗାନିସ୍ତାନରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହେବା ସମୟରେ ଦିଲ୍ଲୀ ଏନସିଆରରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।

ଅପରପକ୍ଷେ ଭାରତର ଗୁଜରାଟର ଅମରେଲି ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳ ୯ଟା ୬ ମିନିଟରେ ୩.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ତୁର୍କୀ ଓ ସିରିୟା ଖବର ଭିତରେ ଏଭଳି ଭୂକମ୍ପ ଲୋକଙ୍କୁ ଆତଙ୍କିତ କରିଛି। ପୂର୍ବରୁ, ଫେବ୍ରୁଆରି ୪ ତାରିଖରେ ଅମରେଲି ଜିଲ୍ଲାରେ ୩.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଆଶ୍ୱସ୍ତିର ବିଷୟ ହେଉଛି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ । ଇନଷ୍ଟିଚ୍ୟୁଟ୍ ଅଫ୍ ସିସ୍ମୋଲୋଜିକାଲ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ ସକାଳ ୭ଟା ୫୧ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଅମରେଲି ସହରଠାରୁ ୪୩ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବଦିଗରେ ୩.୨ କିଲୋମିଟର ଗଭୀରତାରେ ଥିଲା। ସେପଟେ ଫେବ୍ରୁଆରି ୨୦ ତାରିଖରେ କଚ୍ଛ ଜିଲ୍ଲାରେ ମଧ୍ୟ ସାମାନ୍ୟ ଭୂମିକମ୍ପ ହୋଇଥିଲା। ଏହା ପୂର୍ବରୁ ସୌରାଷ୍ଟ୍ରର ଅମରେଲି ଏବଂ ସୁରଟରେ ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଫେବ୍ରୁଆରି ୮ ଓ ୯ ତାରିଖରେ କଚ୍ଛରେ ମଧ୍ୟ ଭୂମିକମ୍ପ ହୋଇଥିଲା। ସେପଟେ ଭୂକମ୍ପ ଜୋନ-୩ ରେ ଓଡିଶାର ତାଳଚେର ବ୍ଲକ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ। ଏନଡିଏମଏ ଓ ବିଏମଟିପିସି ଦ୍ବାରା ପ୍ରକାଶିତ ଭୂକମ୍ପ ଆଟଲାସରେ ଏନେଇ ଦର୍ଶାଯାଇଛି।

ତେବେ ହିମାଳୟ ପର୍ବତାଞ୍ଚଳରେ ଖୁବ ଶୀଘ୍ର ଆସିପାରେ ଭୟଙ୍କର ଭୂକମ୍ପ। ନାସନାଲ ଜିଓଫିଜିକଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବା ଏନଜିଆରଆଇର ବୈଜ୍ଞାନିକଙ୍କ ପକ୍ଷରୁ ଏପରି ଦାବି କରାଯାଇଛି। ଏହି ଭୂକମ୍ପରେ ବହୁ କ୍ଷୟକ୍ଷତିର ଅଶଙ୍କା କରିଛି ସଂସ୍ଥା। ଭାରତର ଭୂତଳରେ ଥିବା ପ୍ଲେଟ ସବୁ ଲଗାତର ଖସୁଥିବାରୁ ହିମାଳୟ ପର୍ବତାଞ୍ଚଳରେ ବ୍ୟାପକ କ୍ଷତିର ଆଶଙ୍କା କରୁଛି ଏନଜିଆରଆଇ। ଫେବୃଆରୀ ୬ରେ ତୁର୍କୀରେ ହୋଇଥିବା ବିନାଶକାରୀ ଭୂମିକମ୍ପ ଠାରୁ ଅଧିକ ତୀବ୍ରତାର ଭୂମିକମ୍ପ ହେବ। ହିମାଚଳ ପ୍ରଦେଶ, ନେପାଳର ପଶ୍ଚିମାଞ୍ଚଳ ଓ ଉତ୍ତରାଖଣ୍ଡରେ ଭୂକମ୍ପର ସମ୍ଭାବନା ରହିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୮ ରହିବ ବୋଲି ଅନୁମାନ କରିଛି ସଂସ୍ଥା। ହିମାଳୟ କ୍ଷେତ୍ର ଭୂକମ୍ପ ସମ୍ବେଦନଶୀଳ ସ୍ଥାନ ଅଟେ। ନିକଟ ଅତୀତରେ ଏହି ଅଞ୍ଚଳରେ ବହୁ ଛୋଟ ଛୋଟ ଭୂକମ୍ପ ଆସିଛି। ଯାହା ଭୂମି ତଳେ ପରିବର୍ତ୍ତନକୁ ଇଙ୍ଗିତ କରୁଛି। ୱାଡିଆ ଇନଷ୍ଟିଚ୍ୟୁଟ ଅଫ ହିମାଳୟାନ ଜିଓଲୋଜିର ବରିଷ୍ଠ ବୈଜ୍ଞାନିକ ଅଜୟ ପାଳ କହିଛନ୍ତି କି, ଭାରତୀୟ ଓ ୟୁରୋପୀୟାନ ପ୍ଲେଟ୍ ଗୁଡିକ ମଧ୍ୟରେ ଧକ୍କା କାରଣରୁ ହିମାଳୟ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ୟୁରୋପୀୟ ପ୍ଲେଟ୍ ସବୁର ଚାପ ଭାରତୀୟ ପ୍ଲେଟ ଉପରେ ପଡୁଛି, ଯାହା ଏହି ଅଞ୍ଚଳରେ ଭାରି ଉର୍ଜା ଉତ୍ପତିର କାରଣ ହେଉଛି ଓ ଏହା ଭୂକମ୍ପ ଜରିଆରେ ମାଟିରୁ ବାହାରିଥାଏ। ଏହା ବ୍ୟତୀତ ଜୋଶୀମଠ ଏବଂ ଭାରତର ବିଭିନ୍ନ ସ୍ଥାନରେ ମାଟି ଧସିବା  ଘଟଣା ଏକ ବଡ ଧରଣର ବିପଦ ଆଡକୁ ସଙ୍କେତ ଦେଉଛି। ବିଗତ ୧୫୦ ବର୍ଷରେ ହିମାଳୟ ଅଞ୍ଚଳରେ ଚାରିଟି ବଡ ଭୂକମ୍ପ ଆସିଛି। ଯେଉଁଥିରେ ୧୮୯୭ର ସିଲଙ୍ଗ ଭୂକମ୍ପ, ୧୯୦୫ର କାଙ୍ଗଡା ଭୂକମ୍ପ, ୧୯୩୪ରେ ବିହାର ନେପାଳର ଭୂକମ୍ପ ଓ ୧୯୫୦ରେ ଆସାମର ଭୂକମ୍ପ ରହିଛି। ଏହା ବ୍ୟତୀତ ୧୯୯୧ରେ ଉତ୍ତରକାଶୀରେ, ୧୯୯୯ ଚମୋଲି, ୨୦୧୫ରେ ନେପାଳରେ ବଡଧରଣର ଭୂମିକମ୍ପ ଆସିଥିଲା।

ବିଶ୍ବରେ ପ୍ରକୃତି ନିଜର ତାଣ୍ଡ ରଚିବାରେ ଲାଗିଛି। ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ସାରା ବିଶ୍ବକୁ ଧ୍ବସ୍ତ ବିଧ୍ବସ୍ତ କରୁଛି। ତୁର୍କୀ ଓ ସିରିୟାରେ ପ୍ରଳୟକାରୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୪୭ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି। ଅନେକ ବାସହରା ହୋଇଛନ୍ତି। ତେବେ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ତୁର୍କୀ ସରକାର ଶ୍ରମିକ ଏବଂ ବ୍ୟବସାୟୀଙ୍କ ପାଇଁ ଅସ୍ଥାୟୀ ମଜୁରୀ ସହାୟତା ଯୋଜନା ଆରମ୍ଭ କରିଛନ୍ତି। ଏହାସହ ୧୦ସହରରେ ଛଟେଇ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ସମୀକ୍ଷା ପଲେଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *