ତାମିଲନାଡ଼ୁରେ ବିଷାକ୍ତ ମଦମୃତ୍ୟୁର ବିଭୀଷିକା

Spread the love

ତାମିଲନାଡ଼ୁରେ ବିଷାକ୍ତ ମଦମୃତ୍ୟୁର ବିଭୀଷିକା। ବିଷାକ୍ତ ମଦ ପିଇ ଅପରାହ୍ନ ଗୋଟାଏ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିଲା। ୬୦ରୁ ଅଧିକ ଗୁରୁତର ହୋଇପଡ଼ିଥିଲେ। ତାମିଲନାଡ଼ୁର କଲ୍ଲାକୁରୁଚି ଜିଲ୍ଲାରେ ମଦମୃତ୍ୟୁକୁ ନେଇ ରାଜନୀତି ବି ତେଜ୍ ହୋଇଛି। ଷ୍ଟାଲିନ୍ ସରକାରଙ୍କ ଦାୟିତ୍ୱହୀନତାକୁ ବିରୋଧୀ ଦଳ ଟାର୍ଗେଟ କରିଥିଲା ବେଳେ ସରକାର କହିଛନ୍ତି, ଯିଏ ବି ଦୋଷୀ, ନିସ୍ତାର ପାଇବନି। ଜିଲ୍ଲାପାଳ ଓ ଏସପିଙ୍କ ଉପରେ ଆକ୍ସନ ନେଇଛନ୍ତି ସରକାର।

କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ପରିବେଶ। ହସ୍ପିଟାଲକୁ ବୁହା ଚାଲିଥିଲା ଲୋକଙ୍କୁ। ଘରେ ଥିଲା ବେଳେ କାହାର ଜୀବନ ଚାଲିଯାଇଥିଲା ତ ହସ୍ପିଟାଲକୁ ନେବା ବାଟରେ କାହାର ମୃତ୍ୟୁ ହୋଇଥିଲା। ଆଉ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଜୀବନ ମରଣ ସହ ସଂଘର୍ଷ କରୁଥିଲେ। ଏ ଦୃଶ୍ୟ ତାମିଲନାଡ଼ୁ କଲ୍ଲାକୁରିଚି ଜିଲ୍ଲାର। ବିଷାକ୍ତ ମଦ ପିଇବାର କରୁଣ ପରିଣତି। ବିଷାକ୍ତ ମଦମୃତ୍ୟୁର ବିଭୀଷିକାରେ ପୁରା ଥରହର ହୋଇଛି ତାମିଲନାଡ଼ୁ। ଗୁରୁବାର ଅପରାହ୍ନ ଗୋଟାଏ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିଲା। ଆଉ ୬୦ରୁ ଅଧିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଏଭଳି ଘଟଣାରେ ଦୁଃଖପ୍ରକାଶ କରିବା ସହ ବେଆଇନ ଓ ବିଷାକ୍ତ ମଦ ପଛରେ ଥିବା ଦୋଷୀ ନିସ୍ତାର ପାଇବେନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍। ଏହି ଘଟଣାର ତଦନ୍ତ ଲାଗି ସିବି-ସିଆଇଡି ନିର୍ଦେଶ ଦେଇଛନ୍ତି ଷ୍ଟାଲିନ୍। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାପାଳ ଓ ଏସପିଙ୍କୁ ଦାୟିତ୍ୱରୁ ହଟାଇଦିଆଯାଇଛି। ଏସପି ସମୟ ସିଂ ମୀନାଙ୍କୁ ନିଲମ୍ୱିତ କରାଯାଇଥିଲା ବେଳେ ଜିଲ୍ଲାପାଳ ଶ୍ରବଣ କୁମାରଙ୍କୁ ଦାୟିତ୍ୱରୁ ହଟାଇଦିଆଯାଇଛି।  ମଦମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ଓ ଚିକିତ୍ସାଧୀନଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ସରକାର।  ପୂର୍ବତନ ବିଚାରପତି ବି.ଗୋକୁଳଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଜଣିକିଆ କମିଶନ ଏହାର ତଦନ୍ତ କରିବେ। ୩ ମାସ ଭିତରେ ରିପୋର୍ଟ ଦେବେ କମିଶନ। ରାଜ୍ୟପାଳ ଆର.ଏନ.ରବି ବି ଦୁଃଖ ପ୍ରକାଶ କରିବା ସହ କହିଛନ୍ତି, ଏଭଳି ଘଟଣା ଚିନ୍ତାଜନକ। କଂଗ୍ରେସ କହିଛି, ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେ ଦିଗରେ ବିଧାନସଭାରେ ଆଲୋଚନା ହେବ। ବିରୋଧୀ ଦଳ ଏଆଇଏଡିଏମକେ କହିଛି, ଏଭଳି ଘଟଣାରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ନିଜ ପଦରୁ ଇସ୍ତଫା ଦେବା ଉଚିତ୍। ଏଭଳି ଘଟଣାରେ ନିଜ ଆଡୁ ସଂଜ୍ଞାନ ନେଇ ଜରୁରୀକାଳୀନ ଶୁଣାଣୀ ଲାଗି ମାଡ୍ରାସ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲା ଏଆଇଏଡିଏମକେ । ଜୁନ୍ ୨୧ରେ ଏହାର ଶୁଣାଣୀ କରିବାକୁ ରାଜି ହୋଇଛନ୍ତି ଅଦାଲତ।

ବିଷାକ୍ତ ମଦ ଲାଗି ମୃତ୍ୟୁର ତାଣ୍ଡବ ପ୍ରତି ମୂହୂର୍ତ୍ତରେ ବଢ଼ୁଥିଲା। ତାମିଲନାଡୁ ପୁଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି। ଅନେକ ବେଆଇନ ମଦ ପ୍ରସ୍ତୁତକାରୀଙ୍କୁ ପୁଲିସ ଗିରଫ ସହ ମଦ ଜବତ କରିଛି। ଜବତ ମଦରେ ମେଥାନଲ ମିଶିଥିବା ଜଣାପଡ଼ିଛି। ଯାହା ଲାଗି ମଦ ପିଇଥିବା ଲୋକଙ୍କ ଶରୀରରେ ବିଷକ୍ରିୟା ହୋଇ ସେମାନଙ୍କ ଅବସ୍ଥାକୁ ଅଧିକ ସଙ୍କଟାପନ୍ନ କରିଦେଇଥିଲା। ଏଭଳି ଘଟଣାକୁ ଦେଖି ଜିଲ୍ଲାରେ ୭ଜଣ ଏସପି ଓ ହଜାରେରୁ ଅଧିକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ହେଲ୍ପଡେସ୍କ ଖୋଲି ଶବଗୁଡ଼ିକୁ କିଭଳି ନିରାପଦ ଭାବେ ପରିବାରକୁ ହସ୍ତାନ୍ତର କରାଯିବ, ତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ତଳସ୍ତରରେ ଥିବା କିଛି ପୁଲିସ ଓ ଅବକାରୀ ଅଧିକାରୀ ଟଙ୍କା ନେଇ ବେଆଇନ ମଦବେପାରୀଙ୍କୁ ଛାଡ଼ିଦେଉଥିଲେ। ପୁଲିସର ମାଇଣ୍ଡସେଟ୍ ବଦଳିବା ଦରକାର ବୋଲି କହିଛି ଶାସକ ଡିଏମକେ।

ତାମିଲନାଡ଼ୁରେ ବିଷାକ୍ତ ମଦମୃତ୍ୟୁର ବିଭୀଷିକା। ଅଧିକାଂଶ ପୀଡ଼ିତ କରୁଣାପୁରମ ଅଞ୍ଚଳର ଥିଲେ। ମଦ ପିଇବା ପରେ ପେଟରେ ଗଭୀର ଯନ୍ତ୍ରଣା ସହ ଆଖି ଖୋଲିବା କଷ୍ଟକର ହୋଇପଡ଼ିଥିଲା। ଆଉ ଏହା ପରେ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ବି ତୁରନ୍ତ କଲାକୁରୁଚିରେ ପହଞ୍ଚି ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ସମୀକ୍ଷା କରିଛନ୍ତି। ଗଲା ବର୍ଷ ତାମିଲନାଡ଼ୁରେ ବିଷାକ୍ତ ମଦ ପିଇ ୨୨ଜଣଙ୍କ ଜୀବନ ଯାଇଥିଲା।

Leave a Reply

Your email address will not be published. Required fields are marked *