ବୈତରଣୀ ନଦୀରୁ ୨ ଭୈରବ ମୂର୍ତ୍ତି ଉଦ୍ଧାର

Spread the love

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚ।ୟତ ମୁଢ଼ାପଦା ବୈତରଣୀ ନଦୀ ଶଯ୍ୟାରୁ ଗତ ଶନିବାର ୧୦ ଶତାଦ୍ଦୀର ଦୁଇଟି ଭୈରବ ମୂର୍ତ୍ତି ଉଦ୍ଧାର ହୋଇଛି । ଗ୍ରାମର କେତେକ ବ୍ୟକ୍ତି ନଦୀକୁ ଯାଉଥିବା ବେଳେ ମୂର୍ତ୍ତି ଦୁଇଟିକୁ ଦେଖିଥିଲେ । ଏ ସମ୍ପର୍କରେ ବିଶ୍ୱମ୍ଭର ରାଉତଙ୍କୁ ସେମାନେ ସୂଚନା ଦେଇଥିଲେ । ଶ୍ରୀ ରାଉତ ମୂ ମୂର୍ତ୍ତି ଦ୍ୱୟକୁ ଷୋଳମପୁର ବୈଦ୍ଧବିହାର ସଂଗ୍ରହାଳୟକୁ ଆଣି ସଂରକ୍ଷଣ କରିବା ସହ ପ୍ରତ୍ନତତ୍ତ୍ୱ ବିଭାଗକୁ ସୂଚନା ଦେଇଥିଲେ । ମୂର୍ତ୍ତି ଦୁଇଟି ୧୦ମ ଶତାଦ୍ଦୀରେ ର୍ନିମିତ ବୋଲି ପ୍ରତ୍ନତତ୍ତ୍ୱବିତ୍ ଡଃ ସୁନିଲ ପଟ୍ଟନାୟକଙ୍କ ମତ ଦେଇଥିଲେ । ଗୋଟିଏ ମୂର୍ତ୍ତି କଳା ଗ୍ରାନାଇଟ ଶିଳାରେ ନିର୍ମିତ । ଉଚ୍ଚତା ଦେଢପୁଟ ହେବ । ଏହି ବିଶାଖଟନ ଭୈରବ ମୂର୍ତ୍ତିର ୪ ବାହୁ ରୁ ୩ ବାହୁ ଭଗ୍ନ ଅଟେ । ଗୋଟିଏ ବାହୁ ବରଦା ମୁଦ୍ରାରେ ରହିଛି । ଜଟାମୁକୁଟ କେଶ ଶୋଭିତ ଭୈରବଙ୍କୁ ଦୁଇ ଗନ୍ଧର୍ବଙ୍କ ଦ୍ୱାରା ପୁଷ୍ପମାଳା ପ୍ରଦାନ କରାଯାଉଥିବା ଓ ଦୁଇ ଶିବ ଅନୁଚର ଅସ୍ତ୍ର ସହ ଦଣ୍ଡାୟମାନ ହୋଇଥିବା ଚିତ୍ର ଖୋଦେଇ ହୋଇଛି ବୋଳି ଶ୍ରୀ ପଟ୍ଟନାୟକ ମତ ଦେଇଛନ୍ତି । ଅନ୍ୟ ମୂର୍ତ୍ତିଟି ଖାଣ୍ଡେଲାଇଟ ଶିଳାରେ ର୍ନିମିତ ବଜ୍ର ଭୈରବ ମୂର୍ତ୍ତି ଅଟେ । ଚାରି ବାହୁ ବିଶିଷ୍ଟ ଏହି ମୂର୍ତ୍ତିର ନିମ୍ନରେ ମୁଖ ବିହୀନ ସଂହ ବାହନ ରହିଛି । ଗୋଟିଏ ବାହୁ ବରଦା ମୁଦ୍ରା ଓ ଅନ୍ୟ ବାହୁରେ ଦଣ୍ଡ, ଖର୍ପର ଆୟୁଧ ଶୋଭା ପାଉଛି । ସ୍ଥାନୀୟ ବାସିନ୍ଦା ଗଜେନ୍ଦ୍ର ମହାନ୍ତି, ରମେଶ ଜେନା, ବିଜୟ ସାହୁ, ବିବେକାନନ୍ଦ ମଲ୍ଲିକ, ଅଜୟ ଜେନା, ବିପିନ ଘଡାଇ, ଶିବସୁନ୍ଦର ଜେନା ମୂର୍ତ୍ତି ଦ୍ୱୟକୁ ସଂଗ୍ରହାଳୟକୁ ହସ୍ତାନ୍ତରରେ ସହଯୋଗ କରିଥିଲେ । ଏହି ମୂର୍ତ୍ତିକୁ ଦେଖିବାକୁ ଦିନ ତମାମ ଜନଗହଳି ଲାଗି ରହିଥିଲା । କ୍ରମାଗତ ଭାବେ ମୂର୍ତ୍ତି ଉଦ୍ଧାର ହୋଇ ରଖାଯାଉଥିବା ସଂଗ୍ରହାଳୟରେ ଜଗୁଆଳି ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି ହୋଇଛି । 

Leave a Reply

Your email address will not be published. Required fields are marked *