ନବରଙ୍ଗପୁର: ନବରଙ୍ଗପୁରରେ ଦାଦନ ଶ୍ରମିକ ଉଦ୍ଧାର। ଦାଦନ ଖଟିବାକୁ ତାମିଲନାଡୁକୁ ଯାଉଥିବା ସମୟରେ ରାଇଘର ଅଞ୍ଚଳର ୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ପାପଡ଼ାହାଣ୍ଡି ପୋଲିସ । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ ୪ ଜଣ ଯୁବକ ଓ ୩ ଜଣ ଯୁବତୀ ଙ୍କ ସମେତ ଜଣେ ନାବାଳିକା ରହିଛନ୍ତି ।
ଦାଦନ ଓ ନବରଙ୍ଗପୁର ଜିଲ୍ଲା ଯେମିତି ଅଙ୍ଗାଅଙ୍ଗି ଭାବେ ଜଡିତ। ଲୋକେ ପେଟପାଟଣା ପାଇଁ ଯାଉଛନ୍ତି ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ। ନିକଟରେ ତାମିଲନାଡୁକୁ ରାଇଘର ଅଞ୍ଚଳର ୪ ଯୁବକ, ୩ ଯୁବତୀ ଓ ଜଣେ ନାବାଳିକା ଯାଉଥିଲେ। ଶ୍ରମିକ ମାନେ ଏକ ସରକାରୀ ବସରେ ରାଇଘରରୁ ବିଶାଖାପାଟଣା ଯାଉଥିଲେ। ପାପଡ଼ାହାଣ୍ଡି ଟ୍ରାଫିକ ଛକ ନିକଟରେ ପୁଲିସ ଯାଞ୍ଚ ସମୟରେ ସେମାନଙ୍କୁ ପଚରା ଉଚରା ବେଳେ ସେମାନଙ୍କ ଠାରୁ ସବୁ କଥା ଜାଣି ସେମାନଙ୍କୁ ଉଦ୍ଧାର କରାଯାଇଛି ।
କେଉଁଠିକି କି କାମ କରିବାକୁ ଯାଉଥିବା ପଚାରିବାରୁ ସେମାନେ କହିଥିଲେ କି, ତାମିଲ ନାଡୁର କ୍ରିଷ୍ଣାଗିରୀର ଏକ କତା ଦୌଡି ତିଆରି କାରଖାନାରେ ୪ ଯୁବକଙ୍କୁ କାମ ମିଳିଥିବା ଯୁବତୀମାନେ ଓ ନାବାଳିକା ସିଲେଇ କାମ କରିବା ପାଇଁ ତାମିଲନାଡୁର ତ୍ରିପୁର୍ ସ୍ଥିତ ଏକ ଲୁଗା କାରଖାନାକୁ ଯାଉଛନ୍ତି । ପୁଲିସ ସମସ୍ତଙ୍କୁ ଉଦ୍ଧାର କରି ସେମାନଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିଛି।
ତେବେ ରାଜ୍ୟରେ କାମ ଅଭାବରୁ ବାରମ୍ବାର ଏପରି ଦାଦନ ଖଟିବାକୁ ବହୁ ଓଡିଆ ବାହାର ରାଜ୍ୟକୁ ଯାଉଛନ୍ତି। ସେଠାରେ ସେମାନଙ୍କୁ ନାନା ଭାବେ ନିର୍ଯାତନା ହେଉଥିବା ଅଭିଯୋଗ ସହ ଅନେକ ଦୁର୍ଘଟଣା ଓ ରୋଗରେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଏହାକୁ ନେଇ ରାଜନୀତି ମଧ୍ୟ ହେଉଛି। କିନ୍ତୁ ଗରିବଙ୍କ ଦୁଃଖ ଦୂର ହେବାର ନାମ ଧରୁନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now