ହାତୀବେଶ ପ୍ରସ୍ତୁତିରେ ନିମଗ୍ନ କାରିଗର

Spread the love

ପୁରୀ : ଭକ୍ତପ୍ରିୟ ଭାବର ଠାକୁର ଭାବଗ୍ରାହୀ ଶ୍ରୀଜଗନ୍ନାଥ । ଭକ୍ତର ଗୁହାରି ରଖିବାକୁ ଯାଇ ପ୍ରଭୁ ହାତୀ ବେଶରେ ଦର୍ଶନ ଦେଇଥିଲେ । ସେହିଦନ ଠାରୁ ହାତୀବେଶ ପ୍ରତି ସ୍ନାନପୂର୍ଣ୍ଣମୀରେ ସ୍ନାନବେଦିରେ ଠାକୁରଙ୍କୁ ବେଶ କରାଯାଉଛି । ଏହି ହାତୀବେଶ ନିର୍ମାଣ କରିବା ପାଇଁ କାରିଗର ବହୁ ପରିଶ୍ରମ କରିଥାନ୍ତି । ହାତୀବେଶ ନିର୍ମାଣରେ ଦରଜିଙ୍କ ପ୍ରମୁଖ ଭୂମିକା ରହିଛି । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ଥିବା ରାଘବ ଦାସ ମଠ ପକ୍ଷରୁ ମା ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ବଡ଼ଠାକୁର ବଳଭଦ୍ର ଓ ସୁଦର୍ଶନଙ୍କ ହାତୀବେଶ ଓ ସାମଗ୍ରୀ ବାଲିସାହି ସ୍ଥିତ ଗୋପାଳତୀର୍ଥ ମଠ ପକ୍ଷରୁ ପ୍ରସ୍ତୁତ କରାଯାଉଛି । ମହାପ୍ରଭୁଙ୍କ ମସ୍ତକରେ ତରାସ ଓ ତାର ନିମ୍ନ ଅଂଶରେ ଡ଼ାଳି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଛିଛି । ଠିଆଫାଳି, ଚନ୍ଦ୍ରସୂର୍ଯ୍ୟ, ଛତି, କାନ, ଚିତା, ଯୋଡ଼ିହସ୍ତ, ଅଧର, ତୋରଣା,ଆଡ଼କାନି,ନାକଚଣା ଛୋଟ ଓ ବଡ଼ ଫୁଲ, ଚିଳକ, କରପଲ୍ଲବ, ବଡ଼ତାଳ, ସାନତାଳ, ପାଖୁଡ଼ା, ଗଜଖୁମ୍ବ ଆଦି ନିର୍ମାଣ କରାଯାଇ ବେଶରେ ଖଞ୍ଜାଯିବ । ମା ସୁଭଦ୍ରାଙ୍କ ବେଶ ପାଇଁ ଦୁଇଟି ତଡ଼ଜୀ, ନାକୁଆସୀ, ତରାସ, ଛତି, ଚୂଡ଼ ଓ ଚିତା ନିର୍ମାଣ କରାଯାଉଛି । ସୁଦର୍ଶନଙ୍କ ପାଇଁ ଚୁଳ, ନୀଳଚକ୍ର ଓ ଛତି ପ୍ରଦାନ କରାଯାଇଥାଏ । ହାତୀବେଶ ନିର୍ମାଣରେ ବାଉଁଶ କାଠି, ବେତ, ଭେଲଭେଟ କନା, କଟନ କନା, ଜରି କନା, ଜରି, ଜମ୍ବୁରା, ସୋଲ, କଇଁଥ ଅଠା, କଳା, କଦଳୀ ପାଟୁକା, ପଇତା ସୂତା ,ବିଭିନ୍ନ ପ୍ରକାର ଲେସ୍ ଓ ବିଭିନ୍ନ ରଙ୍ଗ ବ୍ୟବହୃତ ହୋଇଥାଏ । ଏହି ବେଶକାମ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ସ୍ନାନ ପୂର୍ଣ୍ଣିାମରେ ଶେଷ ହୋଇଥାଏ । ବେଶ କାରିଗରମାନେ ହବିଷ ବ୍ରତ ପାଳନ କରି ଶୁଦ୍ଧପୂତ ଭାବେ ନିର୍ମାଣ କାର୍ଯ୍ୟରେ ନିମଗ୍ନ ରହିଛନ୍ତି । ଚିତ୍ରକରମାନେ ମଧ୍ୟ ବେଶ ନିର୍ମାଣରେ ଲାଗିଛନ୍ତି । ବସନ୍ତ କୁମାର ରଣାଙ୍କ ନେତୃତ୍ୱରେ ସତ୍ୟନାରାୟଣ ବେହେରା, ସନ୍ତୋଷ କୁମାର ମିଶ୍ର, ରଘୁନାଥ ବେହେରା, ବିଶ୍ୱନାଥ ବେହେରା,ବିଜୟ କୁମାର ମହାପାତ୍ର ଜରି ଓ ସୋଲ କାରିଗର ଭାବେ କାର୍ଯ୍ୟ କରୁଥିବା ବେଳେ ଦରଜି ସେବକ ଭାବେ ଲୋକନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟ କରୁଛନ୍ତି । ଚିତକ୍ରର ସେବକ ଜିତେନ୍ଦ୍ର ମହାରଣା ବେଶ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ରାଘବଦାସ ମଠ ଓ ଗୋପାଳତୀର୍ଥ ମଠରୁ ରୁ ହାତୀବେଶ ସାମଗ୍ରୀ ଶୋଭାଯାତ୍ରା କରାଯାଇ ଘଂଟ, ଘଂଟା, କାହାଳି ସହ ଶ୍ରୀମନ୍ଦିରକୁ ନିଆଯିବ । ସ୍ନାନ ବେଦିରେ ଶ୍ରୀଜୀଊମାନେ ସ୍ନାନ କରିବା ପରେ ଏହି ବେଶ ଲାଗି ହେବ । ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରି ଭକ୍ତମାନେ ବିଭୋର ହେବେ । ଏହି ହାତୀବେଶ ପ୍ରସ୍ତୁତ କରି କାରିଗରମାନେ ନିଜକୁ ଧନ୍ୟ ମନେ କରଛନ୍ତି ।

Leave a Reply

Your email address will not be published. Required fields are marked *