ଋଷିକୂଲ୍ୟା ମୁହାଣରେ ନୂତନ ଭାବେ ସୃଷ୍ଟି ହୋଇଛି ଡ଼ାଇନାମିକ୍‌ ବିଚ୍

ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ନୂତନ ଭାବେ ସୃଷ୍ଟି ହୋଇଛି ଡ଼ାଇନାମିକ୍‌ ବିଚ୍ ତଥା ଗତିଶୀଳ ସମୁଦ୍ର ବେଳାଭୂମି। ଏହି ଗତିଶୀଳ ବିଚ୍ ବିଶେଷ କରି ଅଲିଭ ରିଡ଼ଲେ କଇଁଛ ମାନେ ଅଣ୍ଡାଦେବା ନିମନ୍ତେ ଉତ୍କୃଷ୍ଟ ସ୍ଥାନ। ଜିଲ୍ଲାର ଗଞ୍ଜାମ ବ୍ଳକର ନୂଆ ପୋଡ଼ମପେଟା ଠାରୁ ପୋଡ଼ମପେଟା ପର୍ଯ୍ୟନ୍ତ ରହିଛି ଏହି ବିଚ୍‌ର ଲମ୍ବ । ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରହିଥିବା ଏହି ଡ଼ାଇନାମିକ୍‌ ବିଚରେ ଚଳିତ ବର୍ଷ ଅଲିଭ ରିଡ଼ଲେ କଇଁଛ ଆସି ଅଣ୍ଡାଦେବାର ସମ୍ଭାବନା ରହିଛି । ଗତ ନଭେମ୍ବର ମାସ ଠାରୁ ଅଲିଭ ରିଡ଼ଲେ କଇଁଛଙ୍କ ମିଳନ ପ୍ରକ୍ରିୟା ଗଭୀର ସମୁଦ୍ରରେ ଆରମ୍ଭ ହୋଇଥିବା ବେଳେ ଫେବୃଆରୀ ମାସ ଆରମ୍ଭରେ କଇଁଛଙ୍କ ଗଣଅଣ୍ଡାଦାନ ଆରମ୍ଭ ହେବ । ସେପଟେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ପାଖେଇ ଆସୁଥିବା ଯୋଗୁଁ ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଓ ମତ୍ସ୍ୟଜୀବୀ ମାନେ ଏଥିରେ ସହଯୋଗ କରୁଛନ୍ତି ।

ପ୍ରକୃତିର ବଡ଼ ବିଚିତ୍ର ନିୟମ । ଗତ ବର୍ଷ ଅଲିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ହୋଇନଥିବା ବେଳେ ଚଳିତ ବର୍ଷ କିଭଳି ସୁରୁଖୁରୁରେ ହେବ ଗଣ ଅଣ୍ଡାଦାନ ସେ ନେଇ ଋଷିକୂଲ୍ୟା ମୁହାଣରେ ପ୍ରାକୃତିକ ଭାବେ ସୃଷ୍ଟି ହୋଇଛି ଗତିଶୀଳ ସମୁଦ୍ର ବେଳାଭୂମି । ପ୍ରକୃତି ନିୟମ ଅନୁସାରେ ଯଦି ସମୁଦ୍ର କୂଳରେ ନୂଆ ବେଳାଭୂମି ସୃଷ୍ଟି ହୁଏ ତେବେ କଇଁଛ ମାନେ ସେହି ନୂଆ ସମୁଦ୍ର ବେଳାଭୂମିରେ ହିଁ ଅଣ୍ଡାଦେବା ନିମନ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି । ତେଣୁ ଚଳିତ ବର୍ଷ ନିଶ୍ଚିତ ଭାବେ ଏହି ଡ଼ାଇନାମିକ୍‌ ବିଚ୍‌ରେ କଇଁଛ ଅଣ୍ଡାଦାନ କରିବେ ବୋଲି କହିଛନ୍ତି ଋଷିକୂଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ । ସେପଟେ ଗତ ନଭେମ୍ବର ମାସରୁ କଇଁଛଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେବେଠାରୁ ହିଁ ସମୁଦ୍ର ବେଳାଭୂମିକୁ ସଫେଇ କରିବା କାର୍ଯ୍ୟ ଆରମ୍ଭ ହୋଇସାରିଛି । ବନବିଭାଗ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍ଥାନୀୟ ମତ୍ସ୍ୟଜୀବୀ, ଯୁବଗୋଷ୍ଠୀ ମାନଙ୍କୁ ନେଇ ସଫେଇ କାର୍ଯ୍ୟ ଜାରି ରହିଛି । ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ସମୁଦ୍ର ବେଳାଭୂମିକୁ ନିୟମିତ ଭାବେ ସଫେଇ କରାଯାଉଛି । ଯାହାଫଳରେ ସୁରକ୍ଷିତ ଭାବେ କଇଁଛ ଅଣ୍ଡାଦାନ କରିପାରିବେ କହିଛନ୍ତି ସ୍ଥାନୀୟ ସ୍ବେଚ୍ଛାସେବୀ ।

ସେପଟେ ଗତ ନଭେମ୍ବର ମାସରୁ ଆସନ୍ତା ମେ ମାସ ପର୍ଯ୍ୟନ୍ତ ଋଷିକୂଲ୍ୟା ମୁହାଣରୁ ସମୁଦ୍ର ମଧ୍ୟକୁ ୧୦ କିଲୋମିଟର ଓ ଆର୍ଯ୍ୟପଲ୍ଲୀରୁ ପ୍ରୟାଗୀ ପର୍ଯ୍ୟନ୍ତ ୨୦ କିଲୋମିଟର ନୋ ଫିସିଂ ଜୋନ କରାଯାଇଛି । ଏହି ଦୂରତା ମଧ୍ୟରେ କେହି ମତ୍ସ୍ୟଜୀବୀ ମାଛ ମାରିପାରିବେ ନାହିଁ । ଏଥିନେଇ ମତ୍ସ୍ୟଜୀବୀ ମାନଙ୍କୁ ବନବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି । ସେହିକ୍ରମରେ ମତ୍ସ୍ୟଜୀବୀ ମାନେ ମଧ୍ୟ ଟ୍ରଲର ଧରି ମାଛ ମାରିବାକୁ ଯାଉନାହାନ୍ତି । ଏହି କଟକଣା ସମ୍ପର୍କରେ ମଧ୍ୟ ସ୍ଥାନୀୟ ଗ୍ରାମର ଯୁବଗୋଷ୍ଠୀ ମାନେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଇଥାନ୍ତି । ତେବେ ଗତବର୍ଷ ପୋଡ଼ମପେଟାରୁ ନୂଆ ପୋଡ଼ମପେଟା ପର୍ଯ୍ୟନ୍ତ ସମୁଦ୍ର ବେଳାଭୂମି କୁଳ ଲଂଘି ପାଣିରେ ଭର୍ତ୍ତି ହୋଇଥିବା ବେଳେ ଚଳିତ ବର୍ଷ ନୂତନ ଭାବେ ଡ଼ାଇନାମିକ ବିଚ୍ ସୃଷ୍ଟି ହୋଇଛି । ତେଣୁ ସେଠାରେ କଇଁଛଙ୍କ ଅଣ୍ଡାଦାନରେ ସହାୟକ ହେବ କହିଛନ୍ତି ବ୍ରହ୍ମପୁର ଡ଼ିଏଫଓ । ସେପଟେ କଇଁଛଙ୍କ ସୁରକ୍ଷା ନିମନ୍ତେ ବନବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନୋ ଫିସିଂ ଜୋନରେ କେହି ଯେମିତି ପ୍ରବେଶ ନ କରନ୍ତି ତାହାକୁ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ପରିବେଶବିତ । ଗତ ବର୍ଷ ଅଲିଭ ରିଡ଼ଲେ କଇଁଛ ମାନେଙ୍କର ମିଳନ ପ୍ରକ୍ରିୟା ଗଭୀର ସମୁଦ୍ରରେ ହୋଇଥିବା ବେଳେ ଗଣଅଣ୍ଡାଦାନ ହୋଇନଥିଲା । କିନ୍ତୁ ଚଳିତ ବର୍ଷ ପାଗ ଅନୁକୂଳ ରହିଥିବା ବେଳେ ସହାୟକ ହେବ ନୂଆ ଡ଼ାଇନାମିକ ବିଚ୍‌ । ତେଣୁ କେତେ କଇଁଛ ଗଣଅଣ୍ଡାଦାନ ପାଇଁ ଋଷିକୂଲ୍ୟା ମୁହାଣକୁ ଆସୁଛନ୍ତି ତାହାକୁ ଏବେ ଅପେକ୍ଷା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *