ଅପରାଧଓଡ଼ିଶାଭୁବନେଶ୍ୱର

LUMEX RESOURCE FRAUD(ଲୁମେକ୍ସ ଠକେଇର ମାଷ୍ଟରମାଇଣ୍ଡି ରାଜୀବ ଦାସ)

12/04/2023

() ପାଣି ଭଳି ପ୍ରାଞ୍ଜଳ। ଲୁମେକ୍ସ ଠକେଇର ମୁଖ୍ୟ ମାଷ୍ଟରମାଇଣ୍ଡ ରାଜୀବ ଦାସଙ୍କର ନିଇତି କେଳେଙ୍କାରୀର ନୂଆ ନୂଆ ଚିଠା ଖୋଲୁଛି। କିନ୍ତୁ ଅଭିଯୁକ୍ତ କେଉଁଠି। ତଦନ୍ତକାରୀ ଏଜେନ୍ସି ଇଓଡବ୍ଲୁ ବି କଅଣ କମିଶନରେଟ ପୁଲିସ ଭଳି ଅଭିଯୋଗକାରୀଙ୍କ ଚାରିପଟେ ଖାଲି ବୁଲୁଛି କି। କାହିଁକି ଏ ଯାଏ କୌଣସି ଆଖିଦୃଶିଆ ପଦକ୍ଷେପ ନେଇପାରିନି। ଏହି ପ୍ରଶ୍ନ ଭିତରେ ରାଜୀବ ଓ ତାହାର ସହଯୋଗୀ କିଭଳି ବିଭିନ୍ନ ସେଲିବ୍ରିଟିଙ୍କୁ ନେଇ ବଡ଼ ହୋଟେଲରେ କାର୍ଯ୍ୟକ୍ରମ କରି ନିବେଶକଙ୍କୁ ଅତୀତରେ ଆକୃଷ୍ଟ କରିବାକୁ ଫନ୍ଦି କରିଥିଲେ, ତାହାର ଏକ ପ୍ରମାଣ ସାମ୍ନାକୁ ଆସିଛି। ପ୍ରାୟ୧୭ ମାସ ବିତିଗଲାଣି। ନିବେଶକାରୀ ନିଶାରାଣୀ ନ୍ୟାୟ ଲାଗି ଦୌଡୁଛନ୍ତି। ଜାଲି ଦସ୍ତାବିଜ୍ ବଳରେ ତାଙ୍କଠୁ ରାଜୀବ, ସୋନିଆ ଓ ତାଙ୍କର ସହଯୋଗୀ କୋଟି କୋଟି ଟଙ୍କା ଲୁଟିନେଲେ। ଲୁମେକ୍ସ ସଂସ୍ଥାରେ ତାଲା ଠୁଙ୍କି ପାର୍ ହୋଇଗଲେ। କମିଶନରେଟ ପୁଲିସ ନ୍ୟାୟ ଦେଇପାରିଲାନି। ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ସମ୍ପର୍କୀୟ ହେତୁ ରାଜୀବ ଦେହରେ ହାତ ମାରିବାକୁ କମିଶନରେଟ ପୁଲିସ ସାହସ କୁଳାଇପାରିଲାନି ବୋଲି ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ଫାଇଭ-ଟି ସଚିବ, ଗୃହ ସଚିବ ଓ ଡିଜିଙ୍କୁ ଚିଠି ଲେଖି ଆଶଙ୍କାବ୍ୟକ୍ତ କରିଥିଲେ ନିଶାରାଣୀ। ବିଧାନସଭାରେ ଏହାକୁ ନେଇ ବିରୋଧୀ ସ୍ୱର ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବାହିନୀପତି। ଆଉ ଶେଷରେ ଇଓଡବ୍ଲୁକୁ ଏହାର ତଦନ୍ତ ଭାର ଦେଲେ ସରକାର। ହେଲେ କମିଶନରେଟ ପୁଲିସଠୁ ଇଓଡବ୍ଲୁ କେବେଠୁ ନଥିପତ୍ର ନେଇସାରିଲାଣି। କିନ୍ତୁ ଆଖିଦୃଶିଆ ପଦକ୍ଷେପ କାଇଁ। ତଦନ୍ତ ନାଁରେ କେବଳ ଆଇଓ୍ୱାସ ପାଇଁ ଏହା ଉଦ୍ଦିଷ୍ଟ ନୁହେଁ ତ ବୋଲି ସନ୍ଦେହ ହେଲାଣି। କମିଶନରେଟ ପୁଲିସ ପାରିଲାନି ବୋଲି ନିଜର ଟେନସନ ଇଓଡବ୍ଲୁକୁ ଦେଇଦେଲା। ହେଲେ ଇଓଡବ୍ଲୁ ଭଳି ଦକ୍ଷ ତଦନ୍ତକାରୀ ଏଜେନ୍ସି ଓ ଏହାର ଦକ୍ଷ ଅଫିସର ଅରୁଣ ବୋଥ୍ରାଙ୍କ ତଦନ୍ତ ଶୈଳୀ ନିବେଶକଙ୍କ ଭିତରେ ଆଶାସଞ୍ଚାର କରିଥିଲା। ହେଲେ ସମୟ ଗଡ଼ୁଛି ସିନା। ନିବେଶକ ନ୍ୟାୟ ଅପେକ୍ଷାରେ ସନ୍ତୁଳିତ ହେଉଛନ୍ତି ଖାଲି। ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ ଅନେକ ଆର୍ଥିକ କେଳେଙ୍କାରୀ ଭଳି ଏହା ବି ଏକ ବଡ଼ ଧରଣର ଠକେଇ। ଏହି ପ୍ରସଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଉଠାଇଥିଲେ। କୌଣସି ବଡ଼ବଡ଼ିଆଙ୍କ ଚାପରେ ଯଦି ତଦନ୍ତକୁ ଦିଗହରା ସହ ବିଳମ୍ୱ କରାଯାଉଥାଏ। ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା ନୀତି ପ୍ରତି କୁଠାରଘାତ କରୁଛି। ଠକ ଦମ୍ପତ୍ତି ରାଜୀବ ଓ ସୋନିଆଙ୍କୁ କେଉଁ ପରିସ୍ଥିତିରେ ସୁରକ୍ଷା ଦିଆଯାଉଛି କହି ଏହାର ଉତ୍ତର ରାଜ୍ୟବାସୀଙ୍କୁ ସରକାର ଦେବା ଦରକାର ବୋଲି କହିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଠକ ଦମ୍ପତ୍ତିଙ୍କୁ କାହା ଛତ୍ରଛାୟା ତଳେ ସୁରକ୍ଷା ଦିଆଯାଉଛି। ଜିରୋ ଟଲେରାନ୍ସ କେଉଁଠି ବି ଦେଖାଯାଉନି। ସେପଟେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଏଭଳି ଠକାମୀର ତଦନ୍ତ ଲାଗି ସରକାର ସଜାଗ ଅଛନ୍ତି। ନିବେଶକାରୀଙ୍କୁ ଚୂନ ଲଗାଉଥିବା ଅନେକ ଫ୍ରଡ୍ କମ୍ପାନୀ ବିରୁଦ୍ଧରେ ଆକ୍ସନ ଲାଗି ଉଭୟ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଓ ରାଜ୍ୟ ସରକାରଙ୍କ ଏଜେନ୍ସି କାମ କରୁଛନ୍ତି।

ତେବେ ରାଜୀବ କେମିତି ନିବେଶକଙ୍କୁ ପାଲରେ ପକାଉଥିଲେ, ତାହାର ଏକ ପ୍ରମାଣ ଲାଗିଛି ହାତରେ। ୨୦୧୯ର କଥା। ମେ ଫେୟାର ହୋଟେଲରେ ବଡ଼ ଜାକଜମକରେ ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଭଳି ସେଲିବ୍ରିଟିଙ୍କୁ ଡାକି ଯେଉଁ କମ୍ପାନୀ ଜନ୍ମ ନେଇଥିଲା, ତାହାର ନାଁ ଥିଲା ରେଭାଟାଜ ଗ୍ଲୋବାଲ। ଯେଉଁ ରେଭାଟାଜ ଗ୍ଲୋବାଲ କମ୍ପାନୀ ଏବେ ଗୁଗଲରେ ସର୍ଚ୍ଚ କଲେ ଅସ୍ଥାୟୀ ଭାବେ ବନ୍ଦ ଥିବା ଦର୍ଶାଉଛି। ଆଉ ଯେଉଁ ଠିକଣା ଦିଆଯାଇଥିଲା, ସେଠି ଏବେ ଅଫିସର କୌଣସି ଚିହ୍ନବର୍ଣ୍ଣ ନାହିଁ। ବଡ଼ କଥା ହେଲା ଏବେ ବି ଏହି କମ୍ପାନୀ ଆକ୍ଟିଭ୍। ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ସହ ରାଜୀବ ଦାସ, ପତ୍ନୀ ସୋନିଆ ତ୍ରିପାଠୀ ଓ ତାଙ୍କର ସହଯୋଗୀ ବିକ୍ରମ ସାହୁଙ୍କ ଫଟୋ ପଦାକୁ ଆସିଛି। ନିବେଶକଙ୍କୁ ଆକୃଷ୍ଟ କରିବାକୁ ଅନୁଙ୍କ ଭଳି ସେଲିବ୍ରିଟିଙ୍କୁ ଡାକି କାର୍ଯ୍ୟକ୍ରମ କରିଥିଲେ ରାଜୀବ ଓ ତାଙ୍କର ସହଯୋଗୀ। କିନ୍ତୁ କୋର୍ଟ ଅଫିସରଙ୍କ ଫରେନସିକ୍ ଅଡିଟ ରିପୋର୍ଟ ସ୍ପଷ୍ଟ କରିସାରିଛି ଯେ, ଲୁମେକ୍ସରେ ନିବେଶକ ଖଟାଇଥିବା ଟଙ୍କାକୁ ରେଭାଟାଜ ଗ୍ଲୋବାଲକୁ ଯାଇଥିଲା। ରେଭାଟାଜ ଗ୍ଲୋବାଲ କମ୍ପାନୀ ଫ୍ରଡ୍ ବୋଲି କୋର୍ଟ ଅଫିସର ବି କହିସାରିଛନ୍ତି। ଲୁମେକ୍ସ ଗଠନର କିଛି ମାସ ପରେ ହିଁ ରେଭାଟାଜ ଗ୍ଲୋବାଲ କମ୍ପାନୀ ଆରମ୍ଭ ହୋଇଥିଲା। ଆଉ ନିବେଶକଙ୍କ ପୁରା ଟଙ୍କାକୁ ନିଜ ନିଜ ଭିତରେ ରାଜୀବ ଓ ତାଙ୍କ ସହଯୋଗୀ ଚଳୁ କରିଥିଲେ ବୋଲି ଜଣାପଡ଼ୁଛି। ସେଥିଲାଗି ପୁରା ଟଙ୍କାକୁ ରେଭାଟାଜରୁ ରିକଭରି ହେବା ଦରକାରବୋଲି କୋର୍ଟ ଅଫିସର ମତ ଦେଇଥିଲେ। ଗୋଟିଏ କମ୍ପାନୀ ବନ୍ଦ ହେଲେ ଆଉ ଗୋଟିଏ ଖୋଲିବାକୁ ବେଶୀ କସରତ କରିବାକୁ ପଡ଼ୁନଥିଲା ରାଜୀବ ଓ ତାଙ୍କର ସହଯୋଗୀଙ୍କୁ। କାରଣ ମୁଖ୍ୟ ଉଦେଶ୍ୟ ଥିଲା, ନିବେଶକଙ୍କୁ ଲୁଟ୍ କରିବା ଆଉ ନିବେଶକଙ୍କ ଟଙ୍କାକୁ ନିଜ ନିଜ ଭିତରେ ଭାଗ ବଣ୍ଟୁଆରା କରି ଲକଜରି ଲାଇଫ୍ ଜିଇଁବା। ନିବେଶକ ତେଣିକି ଚୁଲିକୁ ଯାଆନ୍ତୁ ପରବାଏ ନାହିଁ। ପୁରା ପ୍ରକରଣକୁ ଦେଖିଲେ ଲାଗୁଛି, କ୍ୟୁ-ନେଟ୍‌ ଭଳି ବଡ଼ ସ୍କାମ୍ ଯେମିତି ଅତୀତରେ ନିଜର କାୟା ମେଲାଇଥିଲା। ଆଉ ସବୁ ବର୍ଗର ଲୋକଙ୍କୁ ଆକୃଷ୍ଟ କରି ସେମାନଙ୍କ ନିବେଶ ଟଙ୍କାକୁ ଧରି ଛୁ ମାରିଥିଲା। ଅନୁରୂପ ଭାବେ ତେଲେଙ୍ଗାନା ଭଳି ରାଜୀବ ଓ ତାଙ୍କର ସହଯୋଗୀ ଏମିତି ଜାଲ ବିଛାଇଛନ୍ତି ଓଡ଼ିଶାରେ। ହେଲେ ଅଭିଯୁକ୍ତଙ୍କ ପାଖରେ ଏ ଯାଏ ପହଞ୍ଚିପାରୁନି ପୁଲିସ। ଅଭିଯୁକ୍ତଙ୍କୁ ନ ଧରିଲା ଯାଏ, କେମିତି ଏ ସବୁର ଗୁମର ଫିଟିବ। କେମିତି ନିବେଶକାରୀ ନ୍ୟାୟ ପାଇବେ। ତାହା ହିଁ ବଡ଼ ପ୍ରଶ୍ନ।

ବ୍ୟୁରୋ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Related Articles

Leave a Reply

Your email address will not be published.

Back to top button