ଯାଜପୁରରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା

ଯାଜପୁର: ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପୁସ୍ତକ ମେଳା। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପୁସ୍ତକ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ଯୋଗ ଦେଇଛନ୍ତି ଅନେକ ପ୍ରକାଶକ ଓ ବିତରକ। ପ୍ରତ୍ୟେକ ସଂଧ୍ୟାରେ ଆଲୋଚନା ଚକ୍ର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସଂଧ୍ୟାରେ ବିଭିନ୍ନ ବହି ଷ୍ଟଲରେ ବୁଲାବୁଲି କରିବା ସହିତ ଘର କରଣା ସାମଗ୍ରୀ କିଣୁଛନ୍ତି ଗ୍ରାହକ।
ଗତ ୨୩ ତାରିଖରୁ ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଛି ରାଜ୍ୟସ୍ତରୀୟ ପୁସ୍ତକ ମେଳା। ରାଜ୍ୟ ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ରଂଜନ ଦାସ ଏହାର ଉଦ୍ଘାଟନ କରିଛନ୍ତି। ଏହି ପୁସ୍ତକ ମେଳାରେ ମିଳୁଛି ପାଠ୍ୟ ପୁସ୍ତକ ଠାରୁ ଆରମ୍ଭ କରି ଧାର୍ମିକ ପୁସ୍ତକ,ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପୁସ୍ତକ ଏବଂ ମହାପୁରୁଷଙ୍କ ଆତ୍ମ ଜୀବନୀ ପୁସ୍ତକ। ଯାହାକୁ କିଣିବା ପାଇଁ ପାଠକଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଆଗ୍ରହ। ଅପରପକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ହେଉଛି କୁଇଜ ପ୍ରତିଯୋଗିତା ଯାହା ସବୁ ବର୍ଗର ଲୋକଙ୍କୁ ଆକୃଷ୍ଟ କରିପାରିଛି।
ତେବେ ପାଠକଙ୍କ ନିକଟରେ ବିଭିନ୍ନ ଲେଖକଙ୍କ ପୁସ୍ତକ ପହଁଚାଇବା ଏବଂ ଅଧିକ ପାଠକ ସୃଷ୍ଟି କରିବା ଲକ୍ଷ୍ୟରେ ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ପ୍ରତିବର୍ଷ ଏହି ପୁସ୍ତକ ମେଳା ଆୟୋଜନ ହୋଇଆସୁଛି। ଚଳିତବର୍ଷ ଏହି ପୁସ୍ତକ ମେଳା ଆୟୋଜନରେ ଜିଲା ପ୍ରଶାସନ ଓ ରାଜ୍ୟ ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ସହଯୋଗ କରାଯାଇଛି। ତେବେ ପ୍ରତ୍ୟେହ ସଂଧ୍ୟାରେ ଆଲୋଚନା ଚକ୍ର,ପୁସ୍ତକ ମେଳା ଓ ନାଟକ ପରିବେଷଣ ଆୟୋଜିତ କରାଯାଉଛି।
ତେବେ ପୁସ୍ତକ ମେଳା ଛୋଟ ଛୋଟ ପିଲାମାନଙ୍କ ମନୋରଂଜନ ପାଇଁ ବିଶେଷ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ସହିତ ଘରକରଣା ସାମଗ୍ରୀ କିଣାକିଣି କରିବା ପାଇଁ ଦର୍ଶକଙ୍କ ମଧ୍ୟ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି।
ହିମାଂଶୁ କୁମାର ପାଢ଼ୀ