ନିଶ୍ଚିନ୍ତକୋଇଲି ମିନି ଷ୍ଟାଡିୟମ ଅନାବନା ଗଛ ଘାସରେ ପରିପୂର୍ଣ୍ଣ : ସଫା କରୁଛନ୍ତି ପ୍ରଶିକ୍ଷାର୍ଥୀ

Spread the love

ସାଲେପୁର : ନିଶ୍ଚିନ୍ତକୋଇଲି ମିନି ଷ୍ଟାଡିୟମ ୧୦ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଫଳରେ ତତ୍କାଳୀନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଯେଉଁ ଉଦ୍ଦେଶ୍ୟରେ ଅହମ୍ମଦ ବକ୍ସ ଖେଳ ପଡିଆକୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଇ ମିନୀ ଷ୍ଟାଡିୟମ୍ରେ ରୂପାନ୍ତରିତ କରିଥିଲେ ତାହା ଫଳପ୍ରଦ ହୋଇପାରୁନାହିଁ । ପୂର୍ବରୁ ଏହି ପଡିଆରେ ସ୍ଥାନୀୟ ଅଂଚଳର ବହୁ କ୍ରୀଡାବିତ୍ ଏବଂ କ୍ରୀଡା ଓ ବ୍ୟାୟାମରେ ଶିକ୍ଷାଗ୍ରହଣ କରୁଥିବା ପ୍ରଶିକ୍ଷାର୍ଥୀମାନେ ଏହାକୁ ବ୍ୟବହାର କରୁଥିଲେ । ବର୍ତମାନ ଏହି ମିନୀ ଷ୍ଟାଡିୟମଟି ଅନାବନା ଗଛ ଘାସରେ ପରିପୂର୍ଣ୍ଣ ହୋଇ ରହିଛି । ଫଳରେ ଏଠାରେ କୌଣସି କ୍ରୀଡା ଏବଂ ଅନ୍ୟାନ୍ୟ ସଭାସମିତିମାନ କରାଯାଇ ପାରୁନଥିବା ବେଳେ ପ୍ରତ୍ୟେକ ଦିନ ଏଠାରେ ଦୌଡୁଥିବା ଓ ବିଭିନ୍ନ ଶାରିରୀକ ଅଭ୍ୟାସା କରୁଥିବା ପିଲାମାନେ ହଇରାଣ ହରକତ ହେଉଛନ୍ତି । ଏ ଅଂଚଳରେ ସେଭଳି ପଡିଆ ନଥିବାରୁ ଏଠାରେ ଖେଳକୁଦ, ଦୌଡ ଓ ଶାରିରୀକ ଶିକ୍ଷା ଅଭ୍ୟାସ କରିବା ନିମନ୍ତେ ଛାତ୍ର ଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ଏହା ଉପରେ ନିର୍ଭର କରିଥାଆନ୍ତି । ଏହା ଅହମ୍ମଦ ବକ୍ସ ସ୍କୁଲର ଖେଳପଡିଆ ହୋଇଥିବାରୁ ମିନି ଷ୍ଟାଡିୟମ ହେବା ସମୟରେ ଏହାକୁ ବ୍ଲକ ପ୍ରଶାସନ ଉନ୍ନତିକରଣ କରିବା ପାଇଁ ଦାୟିତ୍ୱ ନେଇଥିଲା । ପ୍ରଶାସନିକ ଅବହେଳା ଯୋଗୁ ୨୦୧୪ ମସିହାରୁ ନିର୍ମାଣ ହୋଇଥିବା ଏହି ମିନୀ ଷ୍ଟାଡିୟମ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏ ସଂକ୍ରାନ୍ତରେ ବହୁବାର ବ୍ଲକ ପ୍ରଶାସନ ନିକଟରେ ଅବଗତ କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି । ଫଳରେ ଏ ଅଂଚଳର ପ୍ରଶିକ୍ଷାର୍ଥୀମାନେ ବାଧ୍ୟ ହୋଇ ମିନୀ ଷ୍ଟାଡିୟମରେ ହୋଇଥିବା ଅନାବନା ଘାସ ଗଛ ଗୁଡିକୁ ନିଜେ ସଫା କରି ଏହାକୁ ଖେଳ ଉପଯୋଗୀ କରିବା ପାଇଁ ଲାଗି ପଡିଛନ୍ତି । ଏତେ ବଡ ଷ୍ଟାଡିୟମକୁ ଏହି ପିଲାମାନେ ସଫା କରିବା ସମ୍ଭବପର ହେବ ନାହିଁ । ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ମିନୀଷ୍ଟାଡିୟମକୁ ସଫା ସୁତୁରା କରାଯାଇ ଖେଳ ଉପଯୋଗୀ କରିବା ନିମନ୍ତେ ଅଂଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *