ପୁରୀରେ ଝାଡାବାନ୍ତି

Spread the love

ପୁରୀ: ପୁରୀ ପୌରପାଳିକାରେ ଝାଡାବାନ୍ତି ଆତଙ୍କକୁ ନେଇ ଏବେ ଦେଖାଦେଇଛି ଭୟାବହ ପରିସ୍ଥିତି। ଝାଡାବାନ୍ତି ଆକ୍ରାନ୍ତରେ ଦୁଇଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତେବେ ଝାଡାବାନ୍ତିକୁ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ଓ ଝାଡାବାନ୍ତିରେ ଆକ୍ରାନ୍ତ ବାସେଳୀସାହି ବାସିନ୍ଦାଙ୍କ ମତରେ ରହୁଛି ଭିନ୍ନତା। ଯାହାକୁ ନେଇ ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାପାଳ କହିଛନ୍ତି ପାନୀୟ ଜଳରେ କୌଣସି ସମସ୍ୟା ନାହିଁ। ପାନୀୟ ଜଳ ପରୀକ୍ଷାରୁ ରିପୋର୍ଟ ନେଗେଟିଭ୍ ଆସିଛି। ସେପଟେ ଲୋକଙ୍କ ଅଭିଯୋଗ ହେଉଛି ପରିକ୍ରମା ମାର୍ଗ ପ୍ରକଳ୍ପ କାମ ଯୋଗୁଁ ପାଇପ୍ ଫାଟି ନଳା ପାଣି ମିଶିବାରୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ବାସେଳୀସାହିରେ ଏକ ସ୍ୱାସ୍ଥ୍ୟ ଶିବିର କରାଯାଇ ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ଔଷଧ ଦିଆଯିବା ସହ ପ୍ରଶାସନ ତରଫରୁ ଟାଙ୍କିରେ ବ୍ଲିଚିଂ ପକାଯାଉଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଘରେଘରେ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ମଧ୍ୟ କିଛିକିଛି ସ୍ଥାନରେ ଅଚଳ ହୋଇଥିବା ଅଭିଯୋଗ ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବାବେଳେ ସେହି ଆଖପାଖ ଅଂଚଳରେ ପାଣି ପାଇପ ଫାଟି ଦୂଷିତ ହୋଇଛି ପାନୀୟ ଜଳ। ଆଉ ସେହି ପ୍ରଦୂଷିତ ପାଣି ପିଇ ବାସେଳି ସାହିର ଲୋକମାନେ ଝାଡାବାନ୍ତିର ଶିକାର ହୋଇଛନ୍ତି ଓ ଦୁଇଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ବାସେଳି ସାହିର ପାଣିକାତ ଗଳି, ପଣାପ୍ରିୟା ଲେନ୍, ଗୋଛିକାର ସାହି ଓ ମୁଦୁଲି ଗଳିର ଲୋକମାନେ ଘରେଘରେ ଝାଡାବାନ୍ତିରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାପାଳ ବାସେଳିସାହି ଯାଇ ଲୋକ ମାନଙ୍କ ସହ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ଜନସ୍ବାସ୍ଥ୍ୟ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗକୁ ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ପାଣିର ରିପୋର୍ଟ ନେଗେଟିଭ୍ ଆସିଥିବା କହିଛନ୍ତି ଜିଲ୍ଲାପାଳ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆକ୍ରାନ୍ତଙ୍କ ପରିବାର ଲୋକେ। ଦୂଷିତ ପାଣି ଯୋଗୁଁ ଏପରି ହେଉଥିବା କହିଛନ୍ତି ଆକ୍ରାନ୍ତ।

ସେପଟେ ପୁରୀ ପୌର ପାଳିକାରେ ନିର୍ବାଚିତ କାଉନସିଲ ନଥିବାରୁ ପ୍ରତିନିଧି ଶୂନ୍ୟ ହୋଇପଡ଼ିଛି ପୌର ପାଳିକା। ଜନସାଧାରଣଙ୍କ ଅତି ସାଧାରଣ ଓ ସାମାନ୍ୟ ଅଭିଯୋଗଟିଏ ମଧ୍ୟ ସମାଧାନ ହୋଇପାରୁନାହିଁ।‌ ଫଳରେ ସହରରେ ଥିବା ବିଭିନ୍ନ ଗଳିକନ୍ଦିର ରାସ୍ତାଘାଟ, ଡ୍ରେନେଜ ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ନା ଅଛନ୍ତି କାଉନସିଲର ନା ଅଛନ୍ତି ପୌରାଧ୍ୟକ୍ଷ। ସେପଟେ ପୌର ପାଳିକା ଦାୟିତ୍ଵରେ ନିର୍ବାହୀ ଅଧିକାରୀ ମଧ୍ୟ ଲୋକଙ୍କ ସମସ୍ୟା ଶୁଣିବା ଓ ଏହାର ସମାଧାନ ଦିଗରେ ଆଦୌ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପ୍ରଶାସନ ପକ୍ଷରୁ  ପୌରସଂସ୍ଥା, ଜନ ସ୍ଵାସ୍ଥ୍ୟ ଓ ଆଶାକର୍ମୀ,ସ୍ବଚ୍ଛ ସାଥୀକୁ ନେଇ ଏକ ଟିମ ଗଠନ କରାଯାଇଛି।ସମ୍ପୁକ୍ତ ଅଂଚଳରୁ ପିଇବା ପାଣିର ନମୁନା ସଂଗ୍ରହ ଓ ସାହି ଗୁଡିକରେ ବ୍ଲଚିଂ ପାଉଡର ସହ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ଆବଶ୍ୟକ ଔଷଧ ଦିଆଯାଇଛି। ତେବେ ପୁରୀରେ ଏଭଳି ସମସ୍ୟା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସହରବାସୀ ପ୍ରଶାସନ ଉପରେ ବର୍ଷିଛନ୍ତି ଓ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

 ପରିକ୍ରମା ପ୍ରକଳ୍ପ କାମକୁ ପ୍ରାରମ୍ଭିକ ଅବସ୍ଥାରେ ସବୁ ମହଲରୁ ସ୍ୱାଗତ କରାଯାଇଥିବା ବେଳେ ଲୋକଙ୍କ ମୌଳିକ ଆବଶ୍ୟକତା ପିଇବା ପାଣିର ସମସ୍ୟା ଯଦି ଖୁବଶୀଘ୍ର ଦୂର ନହୁଏ ତେବେ ଡାଇରିଆ ବା ଝାଡାବାନ୍ତି ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି।

ସମ୍ବିତ ମିଶ୍ର ରିପୋର୍ଟ

Leave a Reply

Your email address will not be published. Required fields are marked *