ଅପରାଧଓଡ଼ିଶା

ପ୍ରତିଶୋଧପରାୟଣତାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ!

() ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ଅପରେସନ୍ କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ବେଳେ ଗୁଳିମାଡ଼ ହୋଇଥିଲା। ତେବେ ଏହି ଗୁଳିମାଡ କରିଥିଲେ ଏଏସଆଇ ଗୋପାଳକୃଷ୍ଣ ଦାସ । ଏଭଳି ଅପ୍ରତ୍ୟାଶିତ ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଥିବା ବେଳେ ଗୁଳିକାଣ୍ଡର କାରଣକୁ ନେଇ କ୍ରିୟା ପ୍ରତିକ୍ରିୟା ଜାରି ରହିଛି । ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଡିଜି ଅରୁଣ ବୋଥ୍ରୋଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି ଘଟଣାର ତନାଘନା ।

ବ୍ରଜରାଜ ଗସ୍ତରେ ଥିବା ମନ୍ତ୍ରୀ ନବ ଦାସ କାରରୁ ଗୋଡ଼ କାଢିଲା ବେଳକୁ ଛାତିରେ ବାଜିଥିଲା ଗୁଳି । ପୋଲିସ ୟୁନିଫର୍ମରେ ଥାଇ ଭିଡ଼ ଭିତରୁ ଫାୟାରିଂ କରିଥିଲା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ଗୁଳିବାଜିବା ସତ୍ତ୍ବେ ଛାତିରେ ହାତ ଦେଇ ଗାଡିରୁ ବାହାରିବା ବେଳେ ତଳେ ଖସିପଡିଥିଲେ ମନ୍ତ୍ରୀ। ସଙ୍ଗେ ସଙ୍ଗେ ତାଙ୍କ ସମର୍ଥକମାନେ ତାଙ୍କୁ ଟେକି କାରରେ ବସାଇଥିଲେ ଓ ଝାରସୁଗଡା ହସ୍ପିଟାଲକୁ ନିଆଯାଇଥିଲା। ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ଗ୍ରିନ କରିଡର ମଧ୍ୟରେ ଆମ୍ବୁଲାନ୍ସ ଯୋଗେ ଆପୋଲୋ ହସ୍ପିଟାଲ ନିଆଯାଇଥିଲା। ପରେ ଏୟାର ଲିପ୍ଟ କରାଯାଇ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।   ଗୁରୁତର ଅବସ୍ଥାରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚାଲିଛି ଚିକିତ୍ସା । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗୁଳି କରିଥିବା ବେଳେ ପୁଲିସ ତାଙ୍କୁ କାବୁ କରି ପଚରାଉଚରା ଜାରି ରଖିଛି । ସୁରକ୍ଷା ଦୃଷ୍ଟିରୁ ହସ୍ପିଟାଲ ପରିସର ଏବଂ ବାହାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ସେପଟେ ମନ୍ତ୍ରୀଙ୍କୁ ଗୁଳିମାଡ ଘଟଣାକୁ ନିନ୍ଦା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ପହଞ୍ଚି ପରିବାରବର୍ଗଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଗୁଳିମାଡ ଘଟଣାର କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାସ୍ଥଳରେ ଫରେନସିକ ଟିମ ପହଞ୍ଚି ତଦନ୍ତ କରୁଥିବା ବେଳେ ଏଡିଜି ଅରୁଣ ବୋଥ୍ରା ମଧ୍ୟ ପହଞ୍ଚି ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ବିଧାୟକ, ମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତାଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ଏଭଳି ଘଟଣାକୁ ନେଇ ସମସ୍ତେ ହତବାକ ହୋଇଛନ୍ତି ।  

ଅନ୍ୟପଟେ ଗୁଳିମାଡ କରିଥିବା ପୋଲିସ ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ କହିଛନ୍ତି ଯେ, ସେ ଜଣେ ମାନସିକ ରୋଗୀ । ଦୀର୍ଘ ବର୍ଷ ଧରି ଚିକିତ୍ସିତ ହେବା ସହ ମେଡିସିନ ଖାଉଛନ୍ତି । ସେ ଏଭଳି ଘଟଣା କାହିଁକି କରିଲେ ତାହା ଜାଣିନଥିବା ବେଳେ ପୂର୍ବ ଦିନ ଝିଅ ସହ ସ୍ୱାଭାବିକ ଭାବେ ଫୋନରେ କଥା ହୋଇଥିବା କହିଛନ୍ତିଗୋପାଳଙ୍କ ପତ୍ନୀ ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ ଘଟଣା କେବଳ ଝାରସୁଗୁଡ଼ା ନୁହେଁ ସାରା ରାଜ୍ୟ ଓ ଦେଶକୁ ସ୍ତବ୍ଧ କରିଛି । କିଭଳି ଭିଡ଼ ଭିତରେ ୟୁନିଫର୍ମ ପିନ୍ଧି ଏଏସଆଇ ଜଣଙ୍କ ସେଠି ଏଭଳି କାଣ୍ଡ କଲେ ତାହା ନାନା ପ୍ରଶ୍ନ ଚିହ୍ନ ଛିଡ଼ା କରିଥିଲା ବେଳେ ରାଜନୈତିକ ପ୍ରତିଶୋଧପରାୟଣତାର ଏହା ପ୍ରତିଫଳନ କି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave a Reply

Your email address will not be published.

Back to top button