ଝାରସୁଗୁଡ଼ା ପୌର ପରିଷଦରେ ମଶା ତେଲ କିଣାରେ ହୋଇଛି ବଡ଼ ଦୁର୍ନୀତି । ଟେଣ୍ଡର ଫିକ୍ସିଂ ଓ ବ୍ୟାପକ ଅନିୟମିତତା ଜରିଆରେ ଚଢ଼ା ଦରରେ କିଣାଯାଇଛି ମଶା ତେଲ। ଆଠ ମାସ ତଳେ ଲିଟର ପିଛା ୭୭ ଟଙ୍କାରେ କିଣାଯାଇଥିଲା ତେଲ। ଏବେ ୧୦ ଗୁଣା ଅଧିକ ଦାମ ଦେଇ ଲିଟର ପିଛା ୭୪୦ ଟଙ୍କାରେ କିଣାଯାଇଛି ତେଲ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଖୋଲି ଦେଇଛି ଝାରସୁଗୁଡ଼ା ପୌର ପରିଷଦର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମୁଖା । ୨୦୧୯ ଜୁନରୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ଲିଟର ପିଛା ୭୭ ଟଙ୍କାରେ କିଣାଯାଇଥିଲା ମଶା ତେଲ। ଟେଣ୍ଡର ଜରିଆରେ ଚୟନ କରାଯାଇଥିବା ସୁନ୍ଦରଗଡ଼ର ସଂସ୍ଥା ଓଡ଼ିଶା ରବର ଉଦ୍ୟୋଗ ପ୍ରାଇଭେଟ ଲିମିଟେଡ ଯୋଗାଉଥିଲା ତେଲ। ସେହି ସମୟରେ କିଣାଯାଇଥିଲା ଦୁଇ ହଜାର ଲିଟର ତେଲ। ଖର୍ଚ୍ଚ ହୋଇଥିଲା ୧ ଲକ୍ଷ ୫୪ ହଜାର ଟଙ୍କା। ସେହି ଟେଣ୍ଡର ଅବଧି ଶେଷ ହେବା ପରେ ଆରମ୍ଭ ହୋଇଥିଲା ପୌରପରିଷଦର ଦୁର୍ନୀତିଖୋର ଅଧିକାରୀମାନଙ୍କ ଅସଲ ଖେଳ। ଟେଣ୍ଡରରେ କାରସାଦି କରି ଝାରସୁଗୁଡ଼ାର ଫ୍ୟୁଜନଗ୍ରୁପ୍ କୁ ଦିଆଯାଇଥିଲା ତେଲ ଯୋଗାଣ ବରାଦ। ଦୁର୍ନୀତିରେ ଲିପ୍ତ ସମସ୍ତଙ୍କ ପାଇଁ ଭାଗ ବାହାର କରିବା ଲାଗି ଲିଟର ପିଛା ଦାମ୍ କୁ ୭୪୦ ଟଙ୍କାକୁ ବଢ଼ାଇ ଦିଆଗଲା। ସେହି ଚଢ଼ା ଦରରେ ୨୦୨୩ ମାର୍ଚ୍ଚରୁ ନଭେମ୍ବର ପର୍ଯ୍ୟନ୍ତ ତେଲ ଅଣାଗଲା। ୭,୫୦୦ ଲିଟର ମଶା ତେଲ କିଣାରେ ଖର୍ଚ୍ଚ ହେଲା ୫୫ ଲକ୍ଷ ୫୦ ହଜାର ଟଙ୍କା। ତେବେ ଏତେବଡ଼ ଦୁର୍ନୀତି ହେଲା ହେଲେ ଜିଲ୍ଲା ପ୍ରଶାସନ ଏହା କିପରି ଜାଣି ପାରିଲା ନାହିଁ ତାହା ଏବେ ଜିଲ୍ଲାବାସୀ ଙ୍କ ମନ ରେ ସନ୍ଦେହ ସୃଷ୍ଟି କରିଛି । ଯିଏ ଯିଏ ଏହି ଘଟଣା ରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ କରି ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ବୁଦ୍ଧିଜୀବୀ । ଏବେ 135 ଟଙ୍କା ରେ ଏହି ତେଲ କିଣୁଛି ଓଡ଼ିଶା ରବଡ଼ ଉଦ୍ୟୋଗ । ଯିଏକି 2019 ରୁ 70 ଟଙ୍କା ରେ ଟେଲ ଯୋଗାଉଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now