ଆଧାର ସେବା ପ୍ରଦାନରେ ଅନିୟମିତତା ଅଭିଯୋଗ

Spread the love

ଚମ୍ପୁଆ : ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ବ୍ଲକ ଅନ୍ତର୍ଗତ ପଂଚାୟତ ଗୁଡିକରେ ଚାଲିଥିବା ଆଧାର ସେବା ପ୍ରଦାନ କ୍ଷେତ୍ରରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ, ବ୍ଲକ୍ ଉନ୍ନୟନ ଅଧିକାରୀ, ଯୋଡାଙ୍କ ପତ୍ର ସଂଖ୍ୟା- ୧୬୧୩/ ତା ୨୫/୫/୨୦୨୩ ରିଖ ଅନୁଯାୟୀ ଯୋଡ଼ା ବ୍ଲକରେ ରହିଥିବା ସମସ୍ତ ଗ୍ରାମପଂଚାୟତ ମାନଙ୍କରେ ତା ୨୯/୫/୨୦୨୩ ରିଖ ଠାରୁ ତା ୫/୮/୨୦୨୩ ରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏକ ଅସ୍ଥାୟୀ ଆଧାର ସଂଶୋଧନ ଶିବିରର ଆୟୋଜନ ନିମନ୍ତେ ବିଧିବଦ୍ଧ ଭାବେ ନୋଟିସ୍ ଜାରି କରାଯାଇ ପରବର୍ତୀ ସମୟରେ ପତ୍ର ସଂଖ୍ୟା- ୧୬୧୪ ଜରିଆରେ ସମସ୍ତ ସରପଂଚ ମାନଙ୍କୁ ମଧ୍ୟ ଏହି ବାବଦରେ ଅବଗତ କରାଯାଇଥିଲା । ଯଦ୍ୱାରା ସାଧାରଣ ଜନତା ପୂର୍ବବର୍ଷ ମାନଙ୍କ ପରି ନିଶୁଳ୍କରେ ଆଧାର ସେବା ପାଇପାରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଉକ୍ତ ପତ୍ରରେ ଅର୍ଥ ସମ୍ବନ୍ଧୀୟ କୌଣସି ସୂଚନା ନଥିଲେ ମଧ୍ୟ ବର୍ତମାନ ଆଧାର ସେବା ପ୍ରଦାନ ଆଳରେ ସାଧାରଣ ଜନତାଙ୍କ ଠାରୁ ଅନ୍ୟାୟ ଭାବେ ଅର୍ଥରାଶି ନିଆଯାଉଥିବାର ଦେଖିବାକୁ ମିଳିଛି । ଯଦ୍ୱାରା ସାଧାରଣ ଜନତା ଶୋଷଣର ଶିକାର ହେବା ସହ ତାହା ବର୍ତମାନ ଏକ ପ୍ରକାରର ପ୍ରହସନ ପାଲଟିଯାଇଛି । ଏହି ସମ୍ବନ୍ଧରେ ଆଜି ମାନବ ପ୍ରେମୀ ସେବା ଟ୍ରଷ୍ଟ ର ସଭାପତି ବିଚିତ୍ରାନନ୍ଦ ଦାସ ଓ ସମ୍ପାଦକ ପିଂଟୁନ ନାଏକଙ୍କ ଜରିଆରେ ବ୍ଲକ ଉନ୍ନୟନ ଅଧିକାରୀ, ଯୋଡାଙ୍କୁ ଏକ ଲିଖିତ ଅଭିଯୋଗ କରାଯାଇଛି । କିନ୍ତୁ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଜିପିଓଙ୍କୁ ଦେଖାକରି ଏହି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଯଥାଶୀଘ୍ର ପ୍ରଦାନ କରିବାକୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଉକ୍ତ କାର୍ଯ୍ୟକ୍ରମରେ ନିଶୁଳ୍କ ଭାବେ ସେବା ପ୍ରଦାନ କରିବା ଅଥବା ତାକୁ ସ୍ଥଗିତ ରଖିବା ନିମନ୍ତେ ଦାବି କରିଥିବାର ଜଣା ପଡିଛି ।

Leave a Reply

Your email address will not be published. Required fields are marked *