ଓଡ଼ିଶା

ଏନଏସି ନିର୍ବାଚନ ପାଇଁ ସବୁ ଦଳ ସଜବାଜ

ବରଗଡ: ଆସନ୍ତା  ଅପ୍ରେଲ ୩ ତାରିଖରେ ଅନୁଷ୍ଠିତ ହେବ ବରଗଡ଼ ଜିଲା ଅତାବିରା ଏନଏସି ନିର୍ବାଚନ । ଏନଏସି ଗଠନ ହେବା ପରଠୁ ଏହା ତୃତୀୟ ଥର ନିର୍ବାଚନ ହେବାକୁ ଯାଉଥିଲେ ମଧ୍ୟ ପାନୀୟ ଜଳ, ରାସ୍ତାଘାଟ, ପରିମଳ, ବିଜୁଳି ସମସ୍ୟାର ସୁଧାର ଆସିନି। ଲୋକେ ମୌଳିକ ସେବାରୁ ବଞ୍ଚିତ ଥିଲେ ମଧ୍ୟ ନିର୍ବାଚନକୁ ନେଇ ଭୋଟରଙ୍କ ମଧ୍ୟରେ  ଦେଖାଦେଇଛି ଉତ୍ସାହ । ସେପଟେ  ପ୍ରମୁଖ ତିନି ଦଳ କଂଗ୍ରେସ, ବିଜେଡି, ବିଜେପି ଏନଏସି ଦଖଲ ପାଇଁ ଅଣ୍ଟା ଭିଡ଼ିଲେଣି ।

ସହର ମଧ୍ୟରେ କୁଢ଼ କୁଢ଼ ଅଳିଆ ଆବର୍ଜନା । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଡ୍ରେନ ପାଣି ରାସ୍ତାରେ ଲହଡି ମାରୁଛି । ପ୍ରତିଦିନ ଆଖି ଆଗରେ ଦେଖିବାକୁ ମିଳୁଥିବା ଏହି ଦୃଶ୍ୟ ହେଉଛି ବରଗଡ଼ ଜିଲ୍ଲା ଅତାବିରାର। କେବଳ ପରିମଳ ବ୍ୟବସ୍ଥା ନୁହଁ, ପିଇବା ପାଣି, ରାସ୍ତାଘାଟ , ବାସଗୃହ ପରି ସମସ୍ୟାରେ ଭରପୂର ଥିବା ଅତାବିରା ଏନଏସିରେ ଏହା ମୁଖ୍ୟ ନିର୍ବାଚନୀ ମୁଦ୍ଦା ହୋଇଛି । କାରଣ ଆସନ୍ତା ଅପ୍ରେଲ ୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏନଏସି ନିର୍ବାଚନରେ । ଏଥିପାଇଁ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଲୋକଙ୍କ ସମସ୍ୟା ଯିଏ ସମାଧାନ କରିପାରିବ ସେମିତି ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଭୋଟର ନିଜକୁ ପ୍ରସ୍ତୁତ କରିସାରିଲେଣି ।

ଅତାବିରା ଗ୍ରାମ ପଞ୍ଚାୟତ ଓ ଲାଦରପାଲି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ଅତାବିରା ଏନଏସିକୁ ୧୨ଟି ୱ।ର୍ଡରେ ଭାଗ କରାଯାଇଛି । ଏନଏସି ଗଠନ ପରେ ଏହା ତୃତୀୟ ନିର୍ବାଚନ । ଏଥର ଭୋଟର ସଂଖ୍ୟା ରହିଛି ୧୩ ହଜାର ୫୨୦। ସେଥି ମଧ୍ୟରୁ ୬୭୪୩ ଜଣ ପୁରୁଷ ଭୋଟର ଥିବାବେଳେ ୬ହଜାର ୭ଶହ ୭୭ ଜଣ ମହିଳା ଭୋଟର । ଅର୍ଥାତ ପୁରୁଷ ଅପେକ୍ଷା ମହିଳା ଭୋଟର ଅଧିକ ଥିବାରୁ ନିର୍ବାଚନରେ ମହିଳା ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ଅତାବିରା ଏନଏସି ଗଠନ ହେବାପରେ ୨୦୧୩ରେ ପ୍ରଥମ ନିର୍ବାଚନ ହୋଇଥିଲା । ଏଥିରେ କଂଗ୍ରେସ ଛଅ, ବିଜେଡି ଛଅ ୱାର୍ଡରେ ବିଜୟ ଲାଭ କରି କଂଗ୍ରେସ ପରିଷଦ ଅଧ୍ୟକ୍ଷ ପଦ ହାତେଇ ଥିଲା । ସେହିପରି ୨୦୧୮ ଦ୍ୱିତୀୟ ନିର୍ବାଚନରେ ସମୁଦାୟ ୧୨ଗୋଟି ୱାର୍ଡରେ ବିଜେଡି ବିଜୟ ହାସଲ କରିଥିଲା । ହେଲେ ଅତାବିରା ଏନଏସିରେ ଡ୍ରେନେଜ, ଶୌଚାଳୟ, ବିଜୁଳି, ପାନୀୟ ଜଳ, ରାସ୍ତାଘାଟ ପାର୍କ, ପୋଖରୀ ପୁନଃରୁଦ୍ଧାର, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିକାଶ ଲୋକଙ୍କ ପାଖରେ ପହଞ୍ଚିପାରିନାହିଁ । ଏହାକୁ ମୁଖ୍ୟ ଅସ୍ତ୍ର କରିଛନ୍ତି ବିରୋଧୀ କଂଗ୍ରେସ । ସେହିପରି ନିଜର ଖାତା ଖୋଲି ପାରି ନ ଥିବା ବିଜେପି ରାଜ୍ୟରେ ବଢି ଚାଲିଥିବା ଦୁର୍ନୀତିକୁ ଅସ୍ତ୍ର କରି ନିର୍ବାଚନ ଲଢିବ। ସେପଟେ ପାଞ୍ଚ ବର୍ଷ ଧରି ଶାସନରେ ଥିବା ବିଜେଡି ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଧରି ପୁଣିଥରେ ନିର୍ବାଚନ ବୈତରଣୀ ପାରି ହେବାର ଲକ୍ଷ୍ୟ ରଖିଛି । ବାଇଟ -୪-ନିହାର ମହାନନ୍ଦ, ଜିଲ୍ଲା କଂଗ୍ରେସ ସଭାପତି, ବରଗଡ଼

ଅତାବିରା ଏନଏସି ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ୧୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ୧୭ ତାରିଖରେ ଯାଞ୍ଚ, ୨୦ ତାରିଖିରେ ପ୍ରତ୍ୟାହର ଏବଂ ଚୂଡାନ୍ତ ତାଲିକା ଘୋଷଣା,ଏପ୍ରିଲ ୩ରେ ନିର୍ବାଚନ ହୋଇ ଏପ୍ରିଲ ୫ରେ ଭୋଟ ଗଣତି ହେବ । ୧୬ ଗୋଟି ମତଦାନ କେନ୍ଦ୍ର କରାଯାଇଛି । ଶାନ୍ତି ଶୃଙ୍ଖଳା ସହ ମତଦାନ ପାଇଁ ସମସ୍ତ ପଦକ୍ଷେପ ସରିଯାଇ ଥିବା କହିଛନ୍ତି ନିର୍ବାଚନ ଅଧିକାରି ତଥା ବରଗଡ଼ ଉପଜିଲ୍ଲାପାଳ ।

ପ୍ରଥମ ଥର ଏବର୍ଷ ଏନଏସି ଅଧ୍ୟକ୍ଷ ପଦ ପାଇଁ ସିଧା ସଳଖ ନିର୍ବାଚନ ଅନୁଷ୍ଠିତ ହେବ । ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଏହି ଏନଏସି ନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ଆତ୍ମ ସମ୍ମାନର ବିଷୟ ହୋଇଛି ।.

ଧୃବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button