ସ୍ଥିତି ଅସମ୍ଭାଳ। ତଳି ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା । ପ୍ରଭାବିତ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଉଛନ୍ତି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପରିସ୍ଥିତି ଦେଖି ଗେଟ ଖୋଲିବା ଅନୁମତି ଦେଉଛନ୍ତି । ଗୋଟିଏ ପଟେ ଗେଟ ଖୋଲା ଯାଉଛି, ଆରପଟେ ନଇକୂଳିଆ ଲୋକଙ୍କ ମନରେ ଛନକା ପଶୁଛି। ଦୁର୍ବଳ ନଦୀବନ୍ଧକୁ ନେଇ ସ୍ଥାନୀୟ ସ୍ତରରେ ବର୍ଷା ପୂର୍ବରୁ ସ୍ୱର ଶୁଭେ । ତରବରିଆ ବନ୍ଧ ସୁଦୃଢୀକରଣର ତାଳି ପକା କାମ ହୁଏ। ପୁଣି ସମୟ ଆସେ ଘଳିଆ ପଡେ ,ଘାଇ ହୁଏ ଆଉ ଗାଁ ଭିତରକୁ ପାଣି ପଶେ । ଘରଦ୍ୱାର ,ଚୁଲିଚାଳ ଭାଷେ, ସ୍କୁଲ ଘର, ମନ୍ଦିର, ଶ୍ମଶାନ ସବୁ ଏକାକାର ହୋଇଯାଏ । ଏପଟେ ରାଜଧାନୀରେ ବୈଠକ ବସେ ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ସ୍ୱତନ୍ତ୍ର ରିଲିଫ କମିଶନର ,ଜିଲ୍ଲା ପ୍ରଶାସନ ତତ୍ପର ହୁଅନ୍ତି । କେଉଁ ଯାଗାରେ କେତେ ଫୁଟର ଘାଇ ହେଲା ,କେଉଁ ନଦୀ ଫୁଲିଲା, କିଏ ବିପଦ ସଂକେତ ଉପରେ ପୁଣି କିଏ ତଳେ ପ୍ରବାହିତ ହେଲା ତାର ରିପୋର୍ଟ ଆସେ । ରିପୋର୍ଟ ଆସେ କେମିତି ଶହ ଶହ ହେକ୍ଟର ଚାଷ ଜମିରେ ପାଣି ଠିଆ ହୋଇଛି । ଚାଷୀ ମରୁଡ଼ିକୁ ଡରିବ କି ବନ୍ୟାକୁ ତା ପାଇଁ ସବୁ ଏକା ଭଳି ଦୁର୍ଦ୍ଦଶା ଆଣେ । ସବୁ ସରିଲେ ତାଙ୍କ କ୍ଷତିର ଭରଣା କଥା କୁହାଯାଏ ।
ରିଲିଫ୍ କୋର୍ଡ ଅଛି ସେହି ଅନୁସାରେ କିଛି ପ୍ରାପ୍ୟ ମିଳେ । ଯେଉଁଥିରେ ସଂଶୋଧନ ଦରକାର କାରଣ ଚାଷୀ ତା ମୂଳ ପଇସା ବି ପାଉନି ବୋଲି ଅଭିଯୋଗ ହୁଏ। ତା ସାଙ୍ଗକୁ ବିଭିନ୍ନ ଉଦ୍ଧାରକାରୀ ଦଳ ସଜାଗ ହୋଇ ଯାଆନ୍ତି । ଭାଗ ଭାଗ ହୋଇ ବନ୍ୟାଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚିନ୍ତି । ଏପଟେ ଭୁବନେଶ୍ୱର ରେଡକ୍ରସ ଭବନରୁ ଚୁଡା,ଗୁଡ,ମହମବତୀ ସହ ଆଉ କିଛି ଆବଶ୍ୟକୀୟ ସାମଗ୍ରୀର ପୁଡିଆ ପ୍ରସ୍ତୁତ ହୁଏ, ଯାହାକୁ ବିଭିନ୍ନ ପ୍ରଭାବିତ ଜିଲ୍ଲାକୁ ପଠାଯାଏ । କିଏ ପାଏ କିଏ ନ ପାଇବାର ଅଭିଯୋଗ କରେ । ବନ୍ୟାଞ୍ଚଳ ଲୋକ କୁହନ୍ତି, ପାଣି ଶୁଖିଲା ପରେ ବି ଅନେକ ଦିନ ଯାଏଁ ଅବସ୍ଥା ସୁଧୁରେନି । ରୋଗବୈରାଗ ମାଡ଼ି ବସେ ଯାହା ଆଉ ଏକ ବଡ ପ୍ରସଙ୍ଗ । ପୁଣି ଅଣ୍ଟା ସଳଖି ଛିଡ଼ା ହେବାକୁ ପଡ଼େ । ଅବଶ୍ୟ ବନ୍ୟା ପାଣି ଠାରୁ ଉଛୁଳା ପାଣି ବା ପଛୁଆ ପଶୁଥିବା ପାଣିର ଜ୍ବାଳା ଏ କିଛି ବର୍ଷ ହେବ ବେଶୀ ଦେଖା ଯାଉଛି । ତେଣୁ ବନ୍ୟା କେବଳ ଗାଁର ନୁହେଁ ଛୋଟ ବଡ ସହରକୁ ପ୍ରଭାବିତ କରୁଛି । ତେବେ ଏକଥା ଏତେ ଥରର ଘଟଣା ହେଲାଣି ଯେ ଆଉ ନୂଆ ଭଳି ଲାଗୁନି । କିନ୍ତୁ ଏ ପରିସ୍ଥିତି ପାଇଁ ନୂଆ ପ୍ରସ୍ତୁତି କେବଳ ବନ୍ୟାବେଳର ତତ୍ପରତା ଭିତରେ ସିମୀତ । ବନ୍ୟା ପାଣି ଶୁଖିବ ଏକଥା ବି ସରିଯିବ ।
ବନ୍ୟା ନିୟନ୍ତ୍ରଣ କଥା ଆସିଲେ ହୀରାକୁଦ ପ୍ରସଙ୍ଗ ସବୁଠାରୁ ଅଧିକ ଚର୍ଚ୍ଚା ହୁଏ । ଯେହେତୁ ବୃହତ୍ତମ ନଦୀ ମହାନଦୀରେ ବନ୍ୟା ପ୍ରବଳ ହେଉଥିଲା ତେଣୁ ହୀରାକୁଦର ପରିକଳ୍ପନା ଜନ୍ମ ନେଲା । ବନ୍ୟା ନିୟନ୍ତ୍ରଣ ସହ ଜଳ ସେଚନ ଓ ଜଳ ବିଦ୍ୟୁତ ଉତ୍ପାଦନ ଭଳି ତିନୋଟି କଥାକୁ ଆଖି ଆଗରେ ରଖି ହୀରାକୁଦ ୧୯୫୩ରେ ତିଆରି କରାଗଲା । ବହୁମୂଖୀ ଯୋଜନାର ପରିକଳ୍ପନା ଅନ୍ୟତମ ଆଶ୍ଚର୍ଯ୍ୟ ବୋଲି କୁହାଯାଇଥିଲା । ଏହି ନଦୀବନ୍ଧ ଯୋଜନାଟି ଅନେକ ବିତ୍ପାତକୁ ଦୀର୍ଘ ଦିନ ହେଲା ଦେଖି ଆସିଛି, ଆଉ ତାର ପ୍ରଭାବକୁ ସହି ଆସିଛି । ତେବେ ହୀରାକୁଦ ବନ୍ଧ କିଛିଟା ବନ୍ୟା ରୋକିଛି ଏଥିରେ ସନ୍ଦେହ ନାହିଁ । କିନ୍ତୁ ସମୟ ସହ ପରିବେଶଜନିତ ଆହ୍ବାନ ବର୍ଷା ଅନିୟମିତତାକୁ ଜନ୍ମ ଦେବା ସହ ସେହି ହୀରାକୁଦ ଆଗରେ ଚ୍ୟାଲେଂଜ ବଢାଇଛି । ହୀରାକୁଦ ନିର୍ମାଣ ବେଳର ପାଣିପାଗ ଓ ପରିବେଶ ସମୟ ସହ ଦ୍ରୁତ ଗତିରେ ବଦଳିଛି । ତେଣୁ ହୀରାକୁଦ ନିର୍ମାଣ ହେବା ପୂର୍ବର ବନ୍ୟା ଠାରୁ ପରର ବଡ ବନ୍ୟା ସଂଖ୍ୟା ଅଧିକ ହୋଇଛି । ଏପରିକି ଜଳ ବିଶେଷଜ୍ଞମାନେ ଅନେକ ଥର ରୁଲ୍ କର୍ଭ ରେ ପରିବର୍ତ୍ତନ ପାଇଁ ସୁପାରିଶ କରିଛନ୍ତି । ରୁଲ କର୍ଭ ଅର୍ଥାତ୍ ହୀରାକୁଦରେ କେଉଁ ସମୟରେ କେତିକି ଜଳ ରହିବ ତାହା ପୂର୍ବ ନିଦ୍ଧାରିତ । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ତାପାୟନ ଓ ତତଜନିତ ପରିବେଶରେ ବ୍ୟାପକ ଅସନ୍ତୁଳନକୁ ଦୃଷ୍ଟିରେ ରଖି ରୁଲ କର୍ଭରେ ପରିବର୍ତ୍ତନ ନିତ୍ୟାନ୍ତ ଆବଶ୍ୟକ ଥିବା ବେଳେ ଏ କଥାକୁ କେବେ ଗୁରୁତ୍ବ ମିଳିବ ତାକୁ ଅପେକ୍ଷା ରହିଛି ।
ହୀରାକୁଦ ନିର୍ମାଣ ପରେ ଅନେକ ବଡ ବନ୍ୟା ଦେଖିଲାଣି ରାଜ୍ୟ। ହୀରାକୁଦରୁ ଛଡ଼ା ଯାଉଥିବା ପାଣି ତାର କାରଣ ବୋଲି କୁହାଯାଏ । ବର୍ଷା ଅଧିକ ହେଲେ ଏବଂ ଉପରମୁଣ୍ଡରୁ ଚାପ ରହିଲେ ହୀରାକୁଦର ଗେଟ ଖୋଲା ନିଷ୍ପତ୍ତି ହୁଏ । ଏବେ ଯେଉଁ ୪୦ ଗେଟ ଖୋଲାକୁ ନେଇ ଏତେ ଚର୍ଚ୍ଚା ପୂର୍ବରୁ ମଧ୍ୟ ବହୁବାର ଏମିତି ଗେଟ୍ ଖୋଲାଯାଇଛି । ଏହାଠାରୁ ଅଧିକ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦ ନିର୍ମାଣଶୈଳୀ ନିଜ ଭିତରେ ଏକ ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ । ହୀରାକୁଦ ମୁଖ୍ୟ ବନ୍ଧରେ ୨ଟି ସ୍ପିଲୱେରେ ୯୮ଗେଟ ଅଛି । ତଳ ଭାଗରେ ଥିବା ୬୪ ଗେଟ୍ ସ୍ଲୁଇସ୍ ଗେଟ୍ କୁହାଯାଉଥିବା ବେଳେ ଉପର ଭାଗରେ ୩୪ କ୍ରେଷ୍ଟ ଗେଟ ରହିଛି । ସାଧାରଣତଃ ସ୍ଲୁଇସ ଗେଟ ଦେଇ ଜଳ ନିଷ୍କାସନ ହୁଏ । କିନ୍ତୁ ଅଧିକ ଜଳ ନିଷ୍କାସନ ପାଇଁ ବିଭିନ୍ନ ସମୟରେ କ୍ରେଷ୍ଟ ଗେଟ୍ ଖୋଲାଯାଇଛି । ଯେଉଁ ଗେଟ ଦ୍ୱାରା ଅଢେଇଗୁଣ ଅଧିକ ଜଳ ନିଷ୍କାସିତ ହୋଇପାରେ । ବଡ ବନ୍ୟା କ୍ରେଷ୍ଟ ଗେଟ୍ ଖୋଲିବା ପାଇଁ ଜଳସମ୍ପଦ ବିଭାଗର ଟେକନିକାଲ ଏକ୍ସପର୍ଟ ନିଷ୍ପତ୍ତି ନିଅନ୍ତି । ୧୯୬୧ ମସିହା ବନ୍ୟାକୁ ବିଗତ ୭ ଦଶନ୍ଧିର ସବୁଠୁ ବଡ ବନ୍ୟା ବୋଲି ଆମ ରାଜ୍ୟରେ କୁହାଯାଏ । ଡ୍ୟାମ୍ ର ସୁରକ୍ଷା ପାଇଁ ଗେଟ ଖୋଲିବା ଅପରିହାର୍ଯ୍ୟ । ନିର୍ଦ୍ଧିଷ୍ଟ ଜଳ ଧାରଣ କ୍ଷମତା ଠାରୁ ଅଧିକ ଜଳ ପ୍ରବେଶର ସୂଚନା ମିଳିଲେ ତୁରନ୍ତ ପଦକ୍ଷେପ ନିଆଯାଏ ।
ଅନେକ ସମୟରେ ମହାନଦୀ ତ୍ରିକୋଣଭୂମି ଅଞ୍ଚଳ ବନ୍ୟା ବିତ୍ପାତରେ କ୍ଷତିଗ୍ରସ୍ତ ହୁଏ । ହୀରାକୁଦ ନିକଟ ସମ୍ବଲପୁର ସହର ଜଳ ବିଭୀଷିକାକୁ ଅତି ନିକଟରୁ ସାମ୍ନା କରେ । ତେବେ ବନ୍ୟା ନିୟନ୍ତ୍ରଣ ପାଇଁ ସମସ୍ତେ ହୀରାକୁଦ ଠାରୁ ବହୁତ କିଛି ଆଶା କରନ୍ତି । କିନ୍ତୁ ହୀରାକୁଦ କ’ଣ ଚାହେଁ ତାକୁ କେହି ପଚାରନ୍ତିନି । କାରଣ ଅନେକ ସମୟରେ ହୀରାକୁଦ ଡ୍ୟାମର ରକ୍ଷଣା ବେକ୍ଷଣ ନେଇ ପ୍ରଶ୍ନ ଉଠିଛି । ଭଣ୍ଡାର ଛାତିରେ ପଟୁ ଜମିଥିବା ବେଳେ ତାକୁ କିଏ କେବେ ସଫା କରୁଛି କି ବୋଲି ପ୍ରଶ୍ନ ଉଠେ । ଯଦି ତା ନହେଉଛି ଜଳଧାରଣ କ୍ଷମତା ସମୟ ସହ କମି କମି ଯିବ ଯାହା ବିଶେଷଜ୍ଞ କୁହନ୍ତି । ଖବର ଏମିତି ବି ଆସିଥିଲା ଡ୍ୟାମରେ ଫାଟ ହୋଇଛି । ଯଦି ଦେଶରେ ଏକ୍ସପର୍ଟଙ୍କ ଅଭାବ ଅଛି ବିଦେଶରୁ ଆସନ୍ତୁ କିନ୍ତୁ ସେ କାମ ହେଉ ବୋଲି କୁହାଯାଏ । କାରଣ ପରିବେଶବିତ୍ ଚେତାଇ ଦେଉଛନ୍ତି ବନ୍ୟା ବିତ୍ପାତ ଆଗକୁ ଆହୁରି ବଢିବ ।କାରଣ ଅନିୟମିତ ବର୍ଷା ଏବେ ସ୍ୱାଭାବିକ ବର୍ଷା ଭାବେ ଉଭା ହୋଇଛି ।
ବନ୍ୟା ସମୟରେ ପକ୍ଷ ବିପକ୍ଷ ଲଢାଲଢି ହେଉଛନ୍ତି । କେନ୍ଦ୍ର ଜଳ କମିଶନ,ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ସମନ୍ବୟର ଅଭାବ ଜଳ ଜଳ ଦେଖାଯାଉଛି । କିଏ ଆସିଲା ନାହିଁ, କିଏ ବସିଲା ନାହିଁ ଏ ତର୍କ ଚାଲିଛି । କିନ୍ତୁ ମୂଳ ପ୍ରସଙ୍ଗକୁ କେହି ଛୁଇଁବା ପାଇଁ ଚାହୁଁ ନାହାଁନ୍ତି । ବନ୍ୟା ପାଣି ଗାଁ ଦାଣ୍ଡରୁ ଶୁଖିଗଲେ ବନ୍ୟା ପରିଚାଳନା ପ୍ରସଙ୍ଗ ଟି ପୁରୁଣା ଟ୍ରଙ୍କର କେଉଁ କୋଣରେ ମାଡ଼ିଦେଇ ଆମେ ଧିରେ ଧିରେ ତାକୁ ଭୁଲିଯିବାର ଅଭିନୟ କରୁଛୁ । କିନ୍ତୁ ଏ ଅଭିଯୋଗ ସବୁ ବେଳେ ହୋଇଛି ଶିଳ୍ପ ସଂସ୍ଥା ପାଣି ଅଧିକ ଥିବା ବେଳେ ତାଙ୍କ ବ୍ୟବସ୍ଥା କାହିଁକି କରୁନାହାଁନ୍ତି । ନା ଛତିଶଗଡ଼ ଶିଳ୍ପ ସଂସ୍ଥାକୁ କିଛି କହି ପାରୁଛି ନା ଓଡ଼ିଶା । ସେଥିପାଇଁ ଉପରମୁଣ୍ଡରେ ଜିନ୍ଦଲ୍, ତଳ ମୁଣ୍ଡରେ ବେଦାନ୍ତ ନେଇ ଚାଲିଛି ପାଣି । ଶିଳ୍ପ ପାଇଁ ଜଳ ତିରୋଟର ଖବର ନାହିଁ । କିନ୍ତୁ ମହାନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କ ପିଇବା ପାଣି,ଚାଷକୁ ପାଣି ସବୁ ନିଅଣ୍ଟ । ୧୫/୧୬ ଜିଲ୍ଲା ପାଇଁ ଲାଇଫଲାଇନ କୁହାଯାଉଥିବା ମହାନଦୀ ଆମ ପଟେ ଶୁଖିଲା ତାଙ୍କ ପଟେ ଭରପୁର ବୋଲି ଚର୍ଚ୍ଚା ହୁଏ । ରାଜନୀତି ହୁଏ ସମୟ ଆସିଲେ ସମସ୍ତଙ୍କ ଆଭିମୁଖ୍ୟ ଏକ ହୋଇଯାଏ ।
ନଦୀ ଅବବାହିକାରେ ସଭ୍ୟତାର ବିକାଶ ହୁଏ । ମହାନଦୀ ମଧ୍ୟ ସେହି ଧାରାରୁ ବ୍ୟତିକ୍ରମ ନୁହେଁ । ସେହି ଅଞ୍ଚଳରେ ଜନବସତିର ଘନତ୍ୱ ମଧ୍ୟ ଅପେକ୍ଷାକୃତ ଅଧିକ । ତେଣୁ ନଦୀ ବଞ୍ଚିଲେ ମାନବ ସମାଜ ବଞ୍ଚିବ ଆଉ ନଦୀକୁ ବଞ୍ଚାଇବାକୁ ହେଲେ ତା ଆଖପାଖର ଜୈବ ବିଭିଦତାକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ ହେବା ଆବଶ୍ୟକ । ଯାହା ହେଉନାହିଁ ବରଂ ପରିବେଶ ସହ ବିଭିନ୍ନ ଢଙ୍ଗରେ ଖେଳ ଚାଲିଛି । ଆଜି ଗାଁ ସହର ସବୁ ଜଳାର୍ଣ୍ଣବ କିନ୍ତୁ ନଦୀ, ନାଳ, ପ୍ରାକୃତିକ ଜଳ ଉତ୍ସ ପୋତିବା ବେଳେ ଏ ଦୁର୍ଦ୍ଦଶା କଥା ଆମେ ଭାବିନାହୁଁ । କେବେ ସୁବଳୟା କେବେ ମଣିଭଦ୍ରା ଯୋଜନା ହୀରାକୁଦର ଭାର କମାଇବ ବୋଲି ଚର୍ଚ୍ଚାକୁ ଆସିଛି । ଯାହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । କେବେ ବିରୋଧ ହୋଇଛି କେବେ ଅବହେଳାରେ କଥା ସରିଛି । କିନ୍ତୁ ନୂଆ ସମୟର ଆହ୍ୱାନ ବେଳେ କେବଳ ପୁରୁଣା କଥା ଦୋହରାଇଲେ ସମସ୍ୟା ସମାଧାନ ହେବନାହିଁ ଆହୁରି ବଢିବ ।
ସୁପ୍ରିୟା ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now