ଓଡ଼ିଶାରେ ହୋଇପାରେ ଆଗୁଆ ନିର୍ବାଚନ, ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତୁତି ଜୋରଦାର

Spread the love

ଆଗକୁ ସାଧାରଣ ନିର୍ବାଚନ । ଏପରିକି ଓଡ଼ିଶାରେ ଆଗୁଆ ନିର୍ବାଚନ ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ଏହା ଭିତରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବି ଆଗୁଆ ନିର୍ବାଚନ ଦିଗରେ ଅନେକ କିଛି ସଂକେତ ଦେଉଛି । ରାଜ୍ୟରେ ଅସମ୍ପୂର୍ଣ୍ଣ ରହିଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଏବଂ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି କିଛି ନୂତନ ଯୋଜନା କାର୍ଯ୍ୟକାରୀ କରିବା ଲାଗି ସରକାର ଚିନ୍ତା କରିଛନ୍ତି । ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟ୍ ଆଣିବାପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ମୌସୁମୀ ଅଧିବେଶନ ହେଉ କିମ୍ବା ଶୀତକାଳୀନ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ବଜେଟ ଆସିବ। ଏହାକୁ ନେଇ ବିଭାଗୱାରୀ ପ୍ରସ୍ତାବ ଦେବାକୁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ।

ସୋମବାର ଅର୍ଥ ବିଭାଗ ନିର୍ଦେଶକ ଡ. ସତ୍ୟପ୍ରିୟ ରଥ ସବୁ ବିଭାଗୀୟ ମୁଖ୍ୟଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ୨୦୨୩-୨୪ ଆର୍ଥିକବର୍ଷର ବାର୍ଷିକ ବଜେଟ୍ ଅଧିବେଶନ ଶେଷ ହୋଇଛି । ତେବେ ବଜେଟରେ କେତେକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅତିରିକ୍ତ ବଜେଟ ଅଣାଯିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ସରକାର କେତେକ ନୂତନ ଯୋଜନା ଓ କାର୍ଯ୍ୟକ୍ରମ କରିବା ସହିତ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର କିଭଳି ଫାଇଦା ଉଠାଯାଇ ପାରିବ ତାହା ହିଁ ମୂଳ ଲକ୍ଷ୍ୟ। ସରକାରଙ୍କ ପକ୍ଷରୁ ମୌସୁମୀ କିମ୍ବା ଶୀତକାଳୀନ ଅଧିବେଶନ ସମୟରେ ଅତିରିକ୍ତ ବଜେଟ ଅଣାଯିବାକୁ ରହିଛି। ଏହାକୁ ଦୃଷ୍ଟିରେ ରଖି ଅର୍ଥବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଚଳିତମାସ ଶେଷ ସୁଦ୍ଧା ପ୍ରଶାସନିକ ଖର୍ଚ୍ଚ ଲାଗି ଆବଶ୍ୟକ ପ୍ରସ୍ତାବ ଅର୍ଥ ବିଭାଗକୁ ଦୂରସଞ୍ଚାର ଜରିଆରେ ଦେବାକୁ ହେବ। ସେହିପରି କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦ ପ୍ରସ୍ତାବ ଯୋଜନା ଓ ସଂଯୋଜନା ବିଭାଗକୁ ପଠାଇବାକୁ ପଡ଼ିବ। ବିଭାଗର କାର୍ଯ୍ୟକ୍ରମ ବାବଦ ପ୍ରସ୍ତାବକୁ ଯୋଜନା ଓ ସଂଯୋଜନା ବିଭାଗ ଅନୁମୋଦନ ଦେବା ପରେ ସଂପୃକ୍ତ ବିଭାଗ ଅର୍ଥ ବିଭାଗକୁ ପୁନର୍ବାର ପଠାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *