ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଋଣଭାର କମ୍‌

Spread the love

() ରାଜ୍ୟ ଋଣଭାରରେ ବୁଡ଼ିଛି କି ନାହିଁ। ଋଣଭାର ହ୍ରାସ ଲାଗି ସରକାର କି ପଦକ୍ଷେପ ନେଇଛନ୍ତି। ଏ ସମ୍ପର୍କିତ ପ୍ରଶ୍ନକୁ ନେଇ ପ୍ରଶ୍ନକାଳରେ ଘମାସାନ ଆଲୋଚନା ବେଳେ ଅର୍ଥମନ୍ତ୍ରୀଙ୍କ ଉତ୍ତର ଓ ପ୍ରଶ୍ନକର୍ତ୍ତାଙ୍କ ତୀର୍ଯ୍ୟକ ତୀର ବିଧାନସଭାରେ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। ଋଣ ତୁଳନାରେ ମୁଣ୍ଡ ପିଛା ଆୟ ଅଧିକା ହେତୁ ଏବେ ରାଜ୍ୟର ଋଣ ପୋଷଣୀୟତା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆଉ କେନ୍ଦ୍ର ଋଣଜନ୍ତାରେ ପଡ଼ିଛି ବୋଲି ଆକ୍ଷେପକୁ ନେଇ କଥା କଟାକଟିର ପର୍ବ ଦେଖିବାକୁ ମିଳିଥିଲା ଗୃହରେ।

ଏବେ ରାଜ୍ୟର ମୁଣ୍ଡପିଛା ଋଣ ୨୨ହଜାର୪୨ ଟଙ୍କା। କିନ୍ତୁ ମୁଣ୍ଡପିଛା ଆୟ ୧ ଲକ୍ଷ ୨୮ହଜାର ୮୭୩ ଟଙ୍କା। ସେଥିଲାଗି ଋଣ ଏବେ ସହନୀୟ ସ୍ଥିତିରେ।  ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଋଣଭାର କମ୍‌। ସର୍ବମୋଟ୍ ୯୭ହଜାର ୨୦୪ କୋଟି ୯୮ ଲକ୍ଷ ଟଙ୍କା ଋଣ କରିଛି ଓଡ଼ିଶା। ଖୋଲାବଜାର, ନାବାର୍ଡ, ଏନଏସଏସଏଫ,ଭାରତ ସରକାର, ଜିପିଏଫ, ଏଲଆଇସି, ଜିଆଇସି, ଓମଡାଡସି ଆଦିରୁ ଏହି ଋଣ ଆଣିଛନ୍ତି ସରକାର। ଏମିତି ଢଙ୍ଗରେ ତାରାପ୍ରସାଦ ବାହିନୀପତିଙ୍କ ମୂଳ ପ୍ରଶ୍ନ ଉପରେ ରାଜ୍ୟ ଋଣଭାରରେ ବୁଡ଼ିଛି କି ନାଁ, ପ୍ରଶ୍ନର ଉତ୍ତର ରଖିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଯାହାକୁ ନେଇ ଚିହିଁକି ଉଠିଥିଲେ ବାହିନୀପତିଙ୍କ ସମେତ ବିଜେପି ସଭ୍ୟ। ମନ୍ତ୍ରୀ ନିର୍ଦ୍ଦିଷ୍ଟ ଉତ୍ତର ଦେବା ବଦଳରେ ଦୀର୍ଘ ସମୟ ଧରି ଉତ୍ତର ପଢ଼ିବାରୁ ଏହାକୁ କଟାକ୍ଷ କରିଥିଲେ ବାହିନୀପତି। କେହି କିଛି ବୁଝିପାରିବେନି କି ଜାଣିପାରିବେନି। ଉନ୍ନୟନମୂଳକ କାମ ପାଇଁ ଋଣ ହୁଏ। କିନ୍ତୁ ଋଣ ପରିଶୋଧ, କମ୍ ସୁଧ ହାରରେ ଋଣ ଆଣିବା ଓ ସର୍ବୋପରି କେଉଁଠି ଋଣ ଟଙ୍କା ଖର୍ଚ୍ଚ ହେଉଛି କହି ଉତ୍ତର ମାଗିଥିଲେ ଦଳମତ ନିର୍ବିଶେଷରେ ସଭ୍ୟଗଣ।

ସେପଟେ ମନ୍ତ୍ରୀ କହିଛନ୍ତି, ଋଣ ଅର୍ଥର ଅଧିକ ବିନିଯୋଗ ସେବା ଓ ଭିତ୍ତିଭୂମିରେ ହେଉଛି। ଆଗ ଏକାକୀ କୃଷି କ୍ଷେତ୍ରରେ ଋଣର ୬୦ ପ୍ରତିଶତ ବ୍ୟୟ ହେଉଥିଲା। ଏବେ ଏହା କମି ୨୨ ପ୍ରତିଶତକୁ ଖସିଛି। ଆଉ ଋଣ ଭାର କମାଇବା ସହ କମ୍ ସୁଧରେ ଋଣ ଆଣିବାକୁ ସରକାର କି ବ୍ୟବସ୍ଥା କରିଛନ୍ତି, ତାକୁ ନେଇ ସରକାରଙ୍କଠୁ ଉତ୍ତର ଲୋଡ଼ିଥିଲେ ସଭ୍ୟ।

ରାଜ୍ୟ ଋଣଭାରରେ ବୁଡ଼ିନି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଋଣ ଆଣିବା, ଠିକ୍ ସମୟରେ ପରିଶୋଧ କରିବା ଓ ଋଣ ଅର୍ଥ ସୁପରିଚାଳନା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ବୋନସ ଦେବା ଆଦି କଥା କହିଛନ୍ତି ଅର୍ଥମନ୍ତ୍ରୀ।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *