ଐତିହାସିକ କୀର୍ତ୍ତିରାଜି ଶାନ୍ତିସ୍ତୂପକୁ ୫୦ ବର୍ଷ

Spread the love

() କଳିଙ୍ଗ ଯୁଦ୍ଧର ମୂକସାକ୍ଷୀ ଶାନ୍ତିସ୍ତୂପ ଧଉଳି। ଐତିହାସିକ କୀର୍ତ୍ତିରାଜି ଶାନ୍ତିସ୍ତୂପ ଧଉଳି ଆଜି ୫୦ ବର୍ଷରେ ପଦାର୍ପଣ କରିଛି। ରାଜ୍ୟ ସରକାର ଓ କଳିଙ୍ଗ ନିପ୍ପୋନ ବୁଦ୍ଧ ସଂଘ ଓ ଧଉଳି ଉନ୍ନୟନ ପରିଷଦ କମିଟି ସହଭାଗିତାରେ ମହାସମାରୋହରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦେଶ ବିଦେଶରୁ ଶତାଧିକ ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେଇଥିଲେ। ତେବେ ଆସନ୍ତୁ ନଜର ପକାଇଦେବା ଧଉଳି କିଭଳି ଗରିମାମୟ ଇତିହାସର ମୂକସାକ୍ଷୀ ସାଜିଆସିଛି।

ଦୟାନଦୀ କୂଳରେ ଥିବା ଧଉଳି ପାହାଡ଼ରେ ବହୁ ପ୍ରାଚୀନ କୀର୍ତ୍ତି ଓ ମଗଧ ସମ୍ରାଟ ଅଶୋକଙ୍କ ଶିଳାଲେଖର ଇତିହାସକୁ ଉଜ୍ଜିବୀତ ରଖିବାକୁ ୧୯୭୨ ମସିହା ଅକ୍ଟୋବର ୨୮ରେ ଶାନ୍ତିସ୍ତୂପ ନିର୍ମାଣ ହୋଇଥିଲା। ଧଉଳିର ଏହି ଶାନ୍ତିସ୍ତୂପ ସମଗ୍ର ବିଶ୍ୱରେ ୩୭ତମ ଶାନ୍ତିସ୍ତୂପ ଭାବେ ପରିଗଣିତ ହେଉଛି। ଆଜି ଯାଏ ବିଶ୍ୱରେ ୮୦ଟି ଶାନ୍ତିସ୍ତୂପ ନିର୍ମାଣ ହୋଇଛି। ଆଜି ଧଉଳି ଶାନ୍ତିସ୍ତୂପକୁ ୫୦ ବର୍ଷ ପୁରିଛି। ରାଜ୍ୟ ସରକାର ଓ କଳିଙ୍ଗ ନିପ୍ପୋନ ବୁଦ୍ଧ ସଂଘର ମିଳିତ ସହଯୋଗରେ ସୁବର୍ଣ୍ଣ ଜୟନ୍ତୀ ପାଳନ ହୋଇଛି। ସୁବର୍ଣ୍ଣ ଜୟନ୍ତୀ ପାଳନ ଲାଗି ମୁଖ୍ୟମନ୍ତ୍ରୀଙ୍କ ସ୍ନତନ୍ତ୍ର ପାଣ୍ଠିରୁ ୧ କୋଟି ଓ ସ୍ଥାନୀୟ ବିଧାୟକଙ୍କ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ବିନିଯୋଗରେ ଏହାର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଛି। ୨୩ଶହ ବର୍ଷ ପୂର୍ବ ସମ୍ରାଟ ଅଶୋକ ଧଉଳିଗିରିର ଶୀର୍ଷରେ ଧର୍ମ ବିଜୟର ପଥ ପ୍ରଶସ୍ତ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦୁଇ ସହର ହିରୋସିମା ଓ ନାଗାସାକି ସମ୍ପୂର୍ଣ୍ଣ ଧ୍ୱଂସ ପରେ ବିଶ୍ୱଶାନ୍ତି ଓ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଲାଗି ଜାପାନର ବୌଦ୍ଧ ଗୁରୁ ନିତିଦାତସୁ ଫୁଜି ଗୁରୁଜୀ ଶାନ୍ତିସ୍ତୂପ ନିର୍ମାଣର ପରିକଳ୍ପନା କରିଥିଲେ। ୧୯୫୪ରେ ଆଗ ଜାପାନର କୁମକୋଟ ସହରରେ ବିଶ୍ୱର ପ୍ରଥମ ଶାନ୍ତିସ୍ତୂପ ହୋଇଥିଲା। ଭାରତରେ ବିଶ୍ୱର ଦ୍ୱିତୀୟ ଶାନ୍ତିସ୍ତୂପ ବିହାରର ରାଜଗିରିରେ ମୁଣ୍ଡ ଟେକିଥିଲା।

ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ନିତ୍ୟାନନ୍ଦ କାନୁନଗୋ ସ୍ତୂପର କଳାକୃତ୍ତି ଦେଖି ଓଡ଼ିଶାରେ ବି ଅନୁରୂପ ଶାନ୍ତିସ୍ତୂପ ନିର୍ମାଣ ଲାଗି ମନସ୍ଥ କରିଥିଲେ। ଆଉ ଏହା ସାକାର ନେଇଥିଲା ୧୯୭୨ରେ। ସ୍ତୂପ ଉପରେ ଚାରି ଦ୍ୱାରରେ ଭଗବାନ ବୁଦ୍ଧଙ୍କ ଶୟନ ମୁଦ୍ରା, ଧ୍ୟାନମୁଦ୍ରା ଓ ବାଲ୍ୟାବସ୍ଥା ଆଦି ବିଭିନ୍ନ ମୁଦ୍ରାରେ ମୂର୍ତ୍ତି ପୂଜାର୍ଚ୍ଚନା କରାଯାଉଛି।  ଏହି ମୂର୍ତ୍ତି ପଦ୍ମଶ୍ରୀ ସୁଦର୍ଶନ ସାହୁ ଓ ପଦ୍ମ ବିଭୂଷଣ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ତିଆରି ହୋଇଥିଲା। ନଭେମ୍ୱର ୮,୧୯୭୨ରେ ଶାନ୍ତିସ୍ତୂପର ଉଦଘାଟନ ହୋଇଥିଲା। ଉତ୍ସବରେ ତତ୍କାଳୀନ ରାଜ୍ୟପାଳ ଜି.କେ.ମିଶ୍ର ଓ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଯୋଗ ଦେଇଥିଲେ। ଆଉ ସୁବର୍ଣ୍ଣ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲା ବେଳେ ଜାପାନର ଭିକ୍ଷୁ ତାକାଓ ତାକାଡ଼ୋ ପୂଜାରେ ପୌରହିତ୍ୟ କରିଛନ୍ତି।

କଳିଙ୍ଗ ଯୁଦ୍ଧର ଲୀଳାଭୂମି ତଥା ବୌଦ୍ଧଧର୍ମ ଏକ ବିଶ୍ୱଧର୍ମ ହେବାର ଅଭିଯାତ୍ରା ପଥର ଆଦିଭୂମି ଥିଲା ଧଉଳି। ଧଉଳି ପାହାଡ଼ ବିଶ୍ୱବିଜୟ ଅଭିଯାନର ଆଦିସାକ୍ଷୀ। ମଗଧ ସମ୍ରାଟ୍ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେବା ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଏହିଠାରେ ହିଁ ସେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରିଥିଲେ। ଧଉଳି ପାଦଦେଶରେ ବହି ଯାଉଥିବା ଦୟାନଦୀର ବି ରହିଛି ସ୍ୱାତନ୍ତ୍ର୍ୟ। ମଗଧ ଓ କଳିଙ୍ଗ ଯୁଦ୍ଧରେ ମୃତ ଲକ୍ଷ ଲକ୍ଷ ସୈନ୍ୟ ସାମନ୍ତଙ୍କ ରକ୍ତରେ ଲାଲ୍ ହୋଇଯାଇଥିଲା ଦୟାନଦୀ। ଇତିହାସ  ଦୟା ନଦୀକୁ ରକ୍ତର ନଦୀ ଆଖ୍ୟା ଦେଇଥିଲା। ସତ୍ୟ, ଧର୍ମ, ଅହିଂସା, ମୈତ୍ରୀର ବାର୍ତ୍ତା ନେଇ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ପୂର୍ବ ଦିନ ଶାନ୍ତି ପଦଯାତ୍ର ଅନୁଷ୍ଠିତ ହୋଇଥିଲା। ଧଉଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ ହୋଇସାରିଛି।

ମଗଧ ଓ କଳିଙ୍ଗ ଭିତରେ ହୋଇଥିବା ଭୟଙ୍କର ଯୁଦ୍ଧ ଏବେ ଇତିହାସର କଥାବସ୍ତୁ। କିନ୍ତୁ ସେହି ଗରିମାମୟ ଇତିହାସର ମୂକସାକ୍ଷୀ ଶାନ୍ତିସ୍ତୂପ ଧଉଳି ଆଜି ପାଳୁଛି ନିଜର ସୁବର୍ଣ୍ଣ ଜୟନ୍ତୀ।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *