ରୋଗଗ୍ରସ୍ତ କାଗଜ କଳର ଅବସରପ୍ରାପ୍ତ ଶ୍ରମିକଙ୍କ ଦୁର୍ଦ୍ଦଶା

Spread the love

ଜୟପୁର : କାଗଜକଳର  ଅବସରପ୍ରାପ୍ତ ଶ୍ରମିକ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କର ପ୍ରୋଭିଡେଂଟ ଫଣ୍ଡ୍‌ରେ ଲକ୍ଷ ଲକ୍ଷ ଟଙ୍କା ଅଛି , ଲକ୍ଷ ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ପାଇବେ କିନ୍ତୁ ଦୂରାରୋଗରେ ପିଡିତ ଅବସରପ୍ରାପ୍ତ ଶ୍ରମିକ ମାନେ ନିଜ ଚିକିତ୍ସା ପାଇଁ ଘର, ସୁନା ଗହଣା ଆଦି ବିକା ଭଙ୍ଗା କରିବା ପାଇଁ ବାଧ୍ୟ ହୋଇଛନ୍ତି । ୩୨ ଜଣ ଶ୍ରମିକ ମୃତ୍ୟୁ ବରଣ କଲେଣି । ବର୍ତମାନ କାଗଜ କଳର ଅବସରପ୍ରାପ୍ତ ଶ୍ରମିକ ଯୁଧିଷ୍ଠିର ସ୍ୱାଇଁ ଭୁବନେଶ୍ୱର ଏମ୍ସରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଲକ୍ଷାଧିକ ଟଙ୍କା ସରିଲାଣି । ଗତ ୦୭.୦୫.୨୦୨୩ ରବିବାର ଦିନ ହଠାତ୍ ହାର୍ଟ ଆଟାକ୍ ହେବାରୁ ଜୟପୁର ମେଡିକାଲ ନିଆଗଲା । ସେଠାରୁ କୋରାପୁଟ ମେଡିକାଲ କଲେଜରେ ଭର୍ତି ହେଲେ । ସେଠାରୁ ରେଫର୍ କରିଦିଆଗଲା ବ୍ରହ୍ମପୁର ମେଡିକାଲ କଲେଜ । ବ୍ରହ୍ମପୁରରୁ ଗଲେ ଭୂବନେଶ୍ୱର ଏମ୍ସକୁ । ତାଙ୍କର ପ୍ରୋଭିଡେଂଟ ଫଣ୍ଡ୍ ରେ ପ୍ରାୟ ପାଂଚ ଲକ୍ଷ ଟଙ୍କା ଅଛି । କାଗଜ କଳ ଫାଉଣ୍ଡେସନ ବେଳରୁ କାମ କରୁଛନ୍ତି । ଗ୍ରାଚ୍ୟୁଇଟି ପ୍ରାୟ ଚାରି ଲକ୍ଷ ଟଙ୍କା ପାଇବେ । କିନ୍ତୁ ବର୍ତମାନ ମେଡିକାଲ୍ ଖର୍ଚ୍ଚ ପାଇଁ ଘର ବାଡ଼ି ସୁନା ରୂପା ଯାହା ଅଛି ବିକି ଭାଙ୍ଗି ଚିକିତ୍ସିତ ହେଉଛନ୍ତି । ମ୍ୟାନେଜମେଂଟକୁ ଗୁହାରି କରିବାରୁ ମାତ୍ର ୧୫ ହଜାର ଟଙ୍କା ଦେଲା । କାରଖାନା ଚାଲିଛି । କାଗଜ ଉତ୍ପାଦନ ହେଉଛି, ବିକ୍ରି ହେଉଛି । ମ୍ୟାନେଜମେଂଟ ଓ ତାର ଏଜେଂଟମାନେ ପ୍ରଚାର କରୁଛନ୍ତି ଯେ ଅବସରପ୍ରାପ୍ତ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉଛି । ଏସବୁ ଡାହା ମିଛ । ୭୦ ରୁ ଉର୍ଦ୍ଧ୍ୱ ଏଭଳି ଅବସରପ୍ରାପ୍ତ ଶ୍ରମିକ ଅଛନ୍ତି ଯେଉଁମାନଙ୍କୁ ନିଯୁକ୍ତି ନାହିଁ କିମ୍ବା ୬୦ ବର୍ଷ ପରେ ଆଉ କାମ କରିବା ପାଇଁ ଯୋଗ୍ୟ ନୁହଁନ୍ତି । ଜଣେ ଶ୍ରମିକ ହୃଦଘାତରେ ଆଜି ପର୍ଯ୍ୟନ୍ତ କୋମାରେ ଅଛନ୍ତି । କାଳିଆ ଗାଁ ର ହରିଜନ ଶ୍ରମିକ ଧୋବୁଲୁ ବାଘ କିଡନୀ ରୋଗ ରେ ପିଡୀତ । ପ୍ରୋଭିଡେଂଟ ଫଣ୍ଡ୍ କଲିକତା ଟ୍ରଷ୍ଟ ରୁ ବ୍ରହ୍ମପୁର ଆଂଚଳିକ ପିଏଫ୍ କମିଶନ ଅଫିସ୍ କୁ ସ୍ଥାନାନ୍ତର ହୋଇପାରୁନି । ଶ୍ରମିକ ମାନେ ପାଇପାରୁ ନାହାନ୍ତି ।

ଏହି କାଗଜ କଳ ୨୦୨୦ ଫେବୃଆରୀ ୨୬ ରେ ବିକ୍ରୀ ହେଲା ଏବଂ ଜୁନ ମାସ ରେ ଇଣ୍ଡସ୍ ଇଣ୍ଡ୍ ବ୍ୟାଙ୍କ ରୁ ୧୫୦ କୋଟି ଟଙ୍କା ରୁଣ ନେଇଛି । ସେଥିରୁ ୧୦୦ କୋଟି ଟଙ୍କା ପୁରୁଣା ମାଲିକ ଗୈାତମ ଥାପର ଖାଇଗଲା । କିନ୍ତୁ ଶ୍ରମିକ ମାନଙ୍କ ବକେୟା ପାଉଣା ଏବଂ ପି ଏଫ୍ ଆଦି ବ୍ୟବସ୍ଥିତ କରାଗଲା ନାହିଁ ।

ଏନ୍ ଓ ସି ପାଇବା ପାଇଁ ୨୦୨୧ ରେ ଓଡ଼ିଶା ସରକାର ଙ୍କ ପାଖରେ ଆବେଦନ କଲେ । ସେହି ସମୟରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଙ୍କ ଠୁଁ ନେଇ କୋରାପୁଟ ଜିଲ୍ଲାପାଳ ସମସ୍ତ ଙ୍କୁ ଶ୍ରମିକ ସଂଘ ମାନଙ୍କ ପକ୍ଷରୁ ସମସ୍ୟା ସମାଧାନ ପାଇଁ ଲେଖା ଯାଇଛି ।

ମୃତ ଶ୍ରମିକଙ୍କ ବିଧବା ପତ୍ନୀ ମାନେ ଆସି ରାଜରାସ୍ତାରେ ଠିଆ ହେଲେ । ସେମାନଙ୍କୁ ଚାରି ମାସ ମଧ୍ୟରେ ଗ୍ରାଚ୍ୟୁଇଟି ଟଙ୍କା ଦେବା ପାଇଁ ଶ୍ରମ ବିଭାଗକୁ ଲିଖିତ ଭାବେ ମ୍ୟାନେଜମେଂଟ ଦେଇଛି । କିନ୍ତୁ କେବେ ମିଳିବ ସ୍ପଷ୍ଟ ନାହିଁଁ । ଆନ୍ଦୋଳନ କରି ସ୍ୱର ଉତୋଳନ କଲେ ପ୍ରଚାର ହେଉଛି କାରଖାନା ଚଲେଇବା ପାଇଁ ବାଧା ସୃଷ୍ଟି କରୁଛନ୍ତି । ଏ ସମ୍ପର୍କରେ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି ଯେ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରତି ଦିନ ୟୁନିଟ୍ ହେଡ୍ ବାସଭବନ ଆଗରେ ପ୍ରତୀକ ଧାରଣା ଗତ ଜାନୁଆରୀ – ୦୩ ତାରିଖରୁ ଚାଲିଛି । ଏହାକୁ ଆଗକୁ ଆହୁରି ଜୋରଦାର କରିବା ପାଇଁ ଖୁବ୍ ଶୀଘ୍ର ମିଳିତ ବୈଠକରେ ନିଷ୍ପତି ନିଆଯିବ ।

Leave a Reply

Your email address will not be published. Required fields are marked *