ଜିରୋ ନାଇଟ ସେଲିବ୍ରେସନ ପାଇଁ ଚାଲିଛି ସ୍ବତନ୍ତ୍ର ପ୍ରସ୍ତୁତି

ପୁରୀ: ନୂଆବର୍ଷ ୨୦୨୩କୁ ସ୍ବାଗତ କରିବା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜିରୋ ନାଇଟ ସେଲିବ୍ରେସନ ପାଇଁ ସହରରେ ଥିବା ବିଭିନ୍ନ ହୋଟେଲ ମାନଙ୍କରେ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ବେଳେ ପର୍ଯ୍ୟଟକଙ୍କୁ ଏକ ନିଆରା ସ୍ମୃତି ଦେବାକୁ ହୋଟେଲିୟର ମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଜିରୋ ନାଇଟ ସେଲିବ୍ରେସନ ପାଇଁ ବିଭିନ୍ନ ହୋଟେଲ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ଆୟୋଜନ ସହ ପର୍ଯ୍ୟଟକମାନେ କିଭଳି ଭଳିକି ଭଳି ଖାଦ୍ୟ ପେୟର ମଜା ନେବେ ସେନେଇ ମଧ୍ୟ ହୋଟେଲ ମାନଙ୍କରେ ଚାଲିଛି ପ୍ରସ୍ତୁତି। ସେପଟେ ଡିସେମ୍ବର ୨୫ ବଡଦିନକୁ ଧୁମଧାମରେ ପାଳନ କରିବା ପାଇଁ ଚର୍ଚ୍ଚ ଗୁଡ଼ିକରେ ମଧ୍ୟ ସାଜସଜ୍ଜା ଓ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି।

ଆସୁଛି ନବବର୍ଷ ୨୦୨୩ । ପୁରୁଣା ବର୍ଷକୁ ବିଦାୟ ଦେବା ସହ  ନୂଆବର୍ଷକୁ ଧୂମଧାମରେ ପାଳନ କରିବା ପାଇଁ ପୁରୀରେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ଜିରୋ ନାଇଟ ସେଲିବ୍ରେସନ‌ ପାଇଁ ସହରରେ ଥିବା ବିଭିନ୍ନ ନାମିଦାମୀ ହୋଟେଲ ଗୁଡିକରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଏଥିପାଇଁ ବିଭିନ୍ନ ହୋଟେଲ ଗୁଡ଼ିକରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି। ତେବେ ୨୦୨୦ ଏବଂ ୨୦୨୧ ରେ କୋଭିଡ କଟକଣା ଯୋଗୁଁ ଜିରୋ ନାଇଟ ସେଲିବ୍ରେସନ‌ ବନ୍ଦ ଥିବାରୁ ପର୍ଯ୍ୟଟକ ଓ ହୋଟେଲିୟରଙ୍କୁ ନିରାଶ ହେବାକୁ ପଡିଥିଲା। କିନ୍ତୁ ଏଥର କୋଭିଡ କଟକଣା ନଥିବାରୁ ଜିରୋ ନାଇଟ ସେଲିବ୍ରେସନକୁ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ହୋଟେଲ ଗୁଡ଼ିକ ଏବେ ପ୍ରସ୍ତୁତ ହେଉଛି। ହୋଟେଲ ଗୁଡ଼ିକରେ ନାମିଦାମୀ ସିଙ୍ଗରଙ୍କୁ ନେଇ ମେଲୋଡ଼ି କାର୍ଯ୍ୟକ୍ରମ ଆୟୋଜନ ସହ ପର୍ଯ୍ୟଟକ ମାନେ ଯେଭଳି ଭଳିକି ଭଳି ଖାଦ୍ୟପେୟ ର ମଜା ନେଇପାରିବେ ସେନେଇ ହୋଟେଲିୟରମାନେ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସେପଟେ ଡିସେମ୍ବର ୨୫ ବଡଦିନକୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ଚର୍ଚ୍ଚ ଗୁଡ଼ିକରେ ମଧ୍ୟ ଜୋରସୋରରେ ପ୍ରସ୍ତୁତି ଚାଲିଛି।

କୋଭିଡ କଟକଣା ନଥିବାରୁ ନୂଆବର୍ଷକୁ ସେଲିବ୍ରେସନ୍ କରିବା ପାଇଁ ପୁରୀକୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ଅନୁମାନ କରାଯାଉଛି। ନୂଆବର୍ଷ ପାଇଁ ସମସ୍ତ ହୋଟେଲ ଗୁଡ଼ିକରେ ପର୍ଯ୍ୟଟକ ମାନେ ରହିବା ପାଇଁ ଶତ ପ୍ରତିଶତ ବୁକିଙ୍ଗ ମଧ୍ୟ କରି ସାରିଛନ୍ତି। ମୁଖ୍ୟତଃ ନୂଆବର୍ଷର ପ୍ରଥମ ଦିନରେ ବେଳାଭୂମିରେ ସୂର୍ଯ୍ୟୋଦୟ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଦିନ ଆରମ୍ଭ କରିବା ପାଇଁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ତେଣୁ ଭିଡ଼କୁ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ସମେତ ବଡ଼ଦାଣ୍ଡ, ସମୁଦ୍ର କୂଳ ଏବଂ ସହରର ବିଭିନ୍ନ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ସେପଟେ ନବବର୍ଷରେ ଭକ୍ତ ମାନେ ଶ୍ରୀମନ୍ଦିରରେ କିଭଳି ସୁରୁଖୁରୁରେ ଦର୍ଶନ ସାରି ଭଲରେ ପ୍ରତ୍ୟାବର୍ତ୍ତନ କରିପାରିବେ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ କହିଛନ୍ତି।

ସମ୍ବିତ ମିଶ୍ର

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *