ଭୁବନେଶ୍ବର: ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କମୁନି। ପାଣି ଘେରରେ ଆଜି ବି ଅନେକ ଗାଁ। ବାହ୍ୟ ଜଗତରୁ ବିଛିନ୍ନ ଅନେକ ପଞ୍ଚାୟତ। ଡଙ୍ଗା ନଥିବାରୁ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ବି ପହଞ୍ଚିପାରୁନି ଅନେକ ଜାଗାରେ। ଭୋକ ଓପାସରେ ଦିନ କାଟୁଛନ୍ତି ବିପନ୍ନ। ପିଲାଛୁଆଙ୍କୁ ଧରି ଅତି ଦୟନୀୟ ଅବସ୍ଥାରେ ଅଛନ୍ତି ବିପନ୍ନ।
ଗଲା ୫ ଦିନ ଧରି ରିଲିଫକୁ ଚାତକ ଭଳି ଚାହିଁ ବସିଛନ୍ତି ବନ୍ୟା ବିପନ୍ନ। କାରଣ ଏବେ ବି ଲୋକେ ଜଳବନ୍ଦୀ। ପାଣି ଛାଡ଼ିନି ଗାଁରୁ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ପୋରଗଦେଇ ପଞ୍ଚାୟତରେ ବିପନ୍ନଙ୍କ ଦୁର୍ଦ୍ଦଶା ଦେଖିଲେ ଏହା ଜଳ ଜଳ କରି ଦିଶୁଛି। ଘରର ଛାତ ଉପରେ ଆଶ୍ରୟ ନେଇଛି ପିଲାଛୁଆଙ୍କୁ ଧରି ବିପନ୍ନ। ଘର ଭିତରେ ଆଣ୍ଠୁଏ ପାଣି। ରୋଷେଇ କରି ଖାଇବା ବି ସମ୍ଭବ ନୁହେଁ। ଏଭଳି ସ୍ଥଳେ ସରପଞ୍ଚ କହୁଛନ୍ତି, ଲୋକଙ୍କୁ ରିଲିଫ ଦିଆଯାଇଛି। ଆଉ ବିପନ୍ନ କହୁଛନ୍ତି କିଛି ମିଳିନି। ପିଲା ଛୁଆଙ୍କୁ ଧରି ଆଉ କେତେଦିନ ଭୋକ ଓପାସରେ ରହିବୁ ବୋଲି ଭାବବିହ୍ୱଳ ହୋଇଛନ୍ତି ବିଲକୋଲର ବିପନ୍ନ।
କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ସମେତ ପାଟକୁରାରେ ଜଳବନ୍ଦୀ ଥିବା ବିପନ୍ନଙ୍କ ପାଖରେ ସରକାରୀ ସହାୟତା ପହଞ୍ଚି ପାରିନଥିବାରୁ ପ୍ରଶାସନର ଅବହେଳାକୁ ନେଇ ଅସନ୍ତୋଷ ବଢ଼ୁଛି। ମାର୍ଶାଘାଇର ଆଇତପୁର, ଗରଦପୁରର ବଙ୍ଗାଳପୁର ଓ ପାଟକୁରାର ପଦ୍ମପୁରରେ ବନ୍ୟା ପ୍ରକୋପରେ ପୀଡ଼ିତ ବିପନ୍ନଙ୍କୁ ଯଦିଓ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। କିନ୍ତୁ ଆଶ୍ରୟସ୍ଥଳୀରେ ବି ପାଣି ପଶିଛି। ଶୁଖିଲା କି ରନ୍ଧା ଖାଦ୍ୟ ବି ମିଳୁନଥିବାର ଅଭିଯୋଗ ହେଉଛି। ଗୃହପାଳିତ ପଶୁଙ୍କ ଅବସ୍ଥା ନ କହିବା ଭଲ। ଏବେକାର ଲଗାଣ ବର୍ଷା ପୁଣି ଜଳବନ୍ଦୀଙ୍କ ଚିନ୍ତା ବଢାଇଦେଇଛି।
ପୁରୀ ଜିଲ୍ଲାରେ ବିପନ୍ନଙ୍କ ଦୁର୍ଦ୍ଦଶା ତ ବଳି ପଡ଼ିଲାଣି। ଗାଁଗଣ୍ଡାରୁ ବଳିଗଲାଣି ପୁରୀ ପୌରପାଳିକା ଜଳବନ୍ଦୀଙ୍କ ଦୁର୍ଦ୍ଦଶା। ସୁଜାତାନଗର ବାସିନ୍ଦା ୩ ଦିନ ହେଲା ଜଳବନ୍ଦୀ। କୌଣସି ବୋଟ୍ର ବ୍ୟବସ୍ଥା ହୋଇନଥିଲା ବେଳେ ଲୋକଙ୍କ ଚଳପ୍ରଚଳ ଲାଗି ମାତ୍ର ଗୋଟିଏ ଡଙ୍ଗା ହିଁ ସାହାରା ସାଜିଛି। ଆଉ ପିପିଲି, ନିମାପଡ଼ା, ଗୋପ୍ ବ୍ଲକରେ ବିପନ୍ନଙ୍କ ଦୁର୍ଦ୍ଦଶା ବି ବଢିଛି। କୁଶଭଦ୍ରା ଓ ଧନୁଆ ନଦୀ ବନ୍ୟା ଜଳରେ ଗୋପ ବ୍ଲକ୍ ର ଶତାଧିକ ଗାଁ ଜଳବନ୍ଦୀରେ। ନିମାପଡା ବଳଙ୍ଗା ରାସ୍ତାର ଧନୁଆ ଉପରେ ୩ ଫୁଟରୁ ଅଧିକ ପାଣି ଚାଲୁଥିଲା। ଏପଟେ ସରକାରୀ ରିଲଫ୍ ନ ପାଇ କ୍ଷତିଗ୍ରସ୍ତଙ୍କ ଆଖିରୁ ଲୁହ ଶୁଖୁନି। ଗୋପ ବ୍ଲକ୍ ଅଣ୍ଡରା- ଇଛାପୁର ପଞ୍ଚାୟତର ଗବଶିଙ୍ଗା ଗାଁରେ ବିପନ୍ନଙ୍କ ଉପରେ ବି ସମଦଶା ପଡ଼ିଛି। ପ୍ରଶାସନର ସାହାଯ୍ୟ ଓ ସହଯୋଗକୁ ଅନାଇ ବସିଛନ୍ତି।
ବଢ଼ି ବିପତ୍ତି ଯେମିତି ବିପନ୍ନଙ୍କ ପାଇଁ କାଳ ସାଜିଛି। ଏବେ ବି ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ। ପ୍ରଶାସନର ସହାୟତା ପହଞ୍ଚିପାରୁନି। ଯାହାକି ବିଡ଼ମ୍ୱନା।
Naxatra News is now on Whatsapp
Join and get latest news update delivered to you via whatsapp
Join Now