ଅଜଣା ଜନ୍ତୁ ରହସ୍ୟକୁ ଭେଦି ପାରୁନି ପ୍ରଶାସନ

Spread the love

ଗଜପତି: ଗଜପତି ଜିଲ୍ଲା କିଡିଗାଁରେ ଅଜଣା ଜନ୍ତୁ ଆକ୍ରମଣ ରହସ୍ୟ ଉପରୁ ଉଠୁନି ପରଦା । ଛେଳି ଓ ମେଣ୍ଢା ମୃତ୍ୟୁ ସଂଖ୍ୟା ବଢିବା ସହ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣା ଉପରେ ନଜର ରଖିବା ଛଡା ପ୍ରଶାସନ ନା କ୍ଷତି ପୂରଣ ଦେଇଛି କ୍ଷତିଗ୍ରସ୍ତଙ୍କୁ ନା ଅଜଣା ଜନ୍ତୁ ରହସ୍ୟ ଭେଦିବାକୁ କରୁଛି ପ୍ରୟାସ ।

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁରେ ଅଜଣା ଜନ୍ତୁଙ୍କ ଆତଙ୍କ।  ବି.ରାମନାଥ ଓ ବି.କ୍ରିଷ୍ଣାଙ୍କ ଗୁହାଳରେ ପଶି ଛେଳି,ମେଣ୍ଢାକୁ ମାରିଛି। ଶୁକ୍ରବାରରୁ ଅଜଣା ଜନ୍ତୁ ଆକ୍ରମଣରେ ୮୦ରୁ ଅଧିକ ଛେଳି, ମେଣ୍ଢାଙ୍କ ମୃତ୍ୟୁ ହେଲାଣି। ଯଦିଓ ପ୍ରାଣୀ ସମ୍ପଦ ବିଭାଗ ଗାଁରେ ପହଞ୍ଚି ଆହତ ଛେଳିଙ୍କ ଚିକିତ୍ସା ଆରମ୍ଭ କରିଛି। ତେବେ ମୃତ୍ୟୁ ସଂଖ୍ୟା ଥମୁନି। ବନ ବିଭାଗ ବି ରାତ୍ରି ପାଟ୍ରୋଲିଂ କରିଛି। କିନ୍ତୁ ଅଜଣା ଜନ୍ତୁର ରହସ୍ୟକୁ ଭେଦି ପାରିନାହାନ୍ତି କେହି। ଏହାକୁ ନେଇ ଗାଁରେ କୋକୁଆ ଭୟ ଖେଳିଯାଇଛି। ଛେଳି ମେଣ୍ଢା ଚରାଇବା ତ ଦୂରର କଥା, ଲୋକେ ଗାଈ ଗୋରୁର ସୁରକ୍ଷାକୁ ନେଇ ଭୟଭୀତ ଅଛନ୍ତି । ଏପରିକି ଦିବା ଲୋକରେ ବାହାରକୁ ବାହାରିବାକୁ ଭୟ କରିବା ସହ ନିଜ ପିଲାଙ୍କୁ ସ୍କୁଲ ପଠାଇବାକୁ ଭୟ କରୁଥିବା କହିଛନ୍ତି । ସେପଟେ ଘନ ଘନ ପ୍ରାଣୀ ସମ୍ପଦ, ବନ ବିଭାଗ, ରାଜସ୍ୱ ବିଭାଗର ଅଧିକାରୀଙ୍କ ଗସ୍ତ ଗାଁକୁ ଲାଗିଛି।  କେବଳ ସାନ୍ତ୍ୱନା ଛଡ଼ା କ୍ଷତିଗ୍ରସ୍ତଙ୍କୁ ଆଉ କିଛି ମିଳିନି ବୋଲି ଲୋକେ ଅଭିଯୋଗ କରିଛନ୍ତି।

କାଶୀନଗର ବିଡିଓ କିଡିଗାଁକୁ ଯାଇ କ୍ଷତିଗ୍ରସ୍ତଙ୍କ ଭେଟି ଘଟଣା ବିଷୟରେ ଅନୁଧ୍ୟାନ କରିଛନ୍ତି । ଆଉ ଅଜଣା ଜନ୍ତୁକୁ ଚିହ୍ନଟ ଲାଗି ଗାଁରେ ସିସିଟିଭି କ୍ୟାମେରା ଲଗାଇବାକୁ ଜିଲ୍ଲା ପ୍ରଶାସନକୁ ଚିଠି କରିବେ ବୋଲି କହିଛନ୍ତି। କାଶୀନଗର ପ୍ରାଣୀ ସମ୍ପଦ ଅଧିକାରୀ ଆହତ ଛେଳିଙ୍କୁ ଚିକିତ୍ସା ଯୋଗାଇଛନ୍ତି । ଶବ ବ୍ୟବଛେଦ ରିପୋର୍ଟ ମୁତାବକ କୌଣସି ହିଂସ୍ରଜନ୍ତୁର ଆକ୍ରମଣ ବୋଲି ସ୍ପଷ୍ଟ କରିଛନ୍ତି।

ତେବେ ଅଜଣା ଜନ୍ତୁକୁ ପ୍ରଶାସନ କେବେ ସୁଦ୍ଧା ଚିହ୍ନଟ କରିପାରୁଛି ଓ ପଶୁପାଳକଙ୍କୁ କେତେ ଶୀଘ୍ର କ୍ଷତିପୂରଣ ଦେଉଛି, ଦେଖିବାକୁ ରହିଲା।  

ନାଗେଶ୍ୱର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *