ପରାଜୟ ପଛରେ ପାଣ୍ଡିଆନ୍!

ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନ ହେଲେ ରାଜନୀତି ଛାଡ଼ିଦେବି। ତିନି ଚତୁର୍ଥାଂଶ ଭୋଟରେ ବିଜେଡି ଜିତିବ। ଜୁନ୍ ୯ରେ ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିଜେଡି ପାଇଁ ପ୍ରଚାର ମୈଦାନରେ ନବୀନଙ୍କ ସହ ମଙ୍ଗ ଧରିଥିବା ପାଣ୍ଡିଆନଙ୍କ ଏ ଦମ୍ଭୋକ୍ତିକୁ ଓଡ଼ିଶାବାସୀ ପାଣିଫୋଟକା ଭଳି ମିଳାଇଦେଲେ। ଜନମତ ସମ୍ପୂର୍ଣ୍ଣ ଏକତରଫା ଭାବେ ବିଜେପିକୁ ଭୋଟ୍ ପିଟିଲେ। ବିଜେଡିର ନମ୍ୱର ଟୁ ଷ୍ଟାର କ୍ୟାମ୍ପେନର ପାଣ୍ଡିଆନଙ୍କୁ ହିଁ ବିଜେପି ଓ କଂଗ୍ରେସର ଟପ୍ ନେତା ସବୁବେଳେ ପ୍ରତ୍ୟକ୍ଷ ଟାର୍ଗେଟ କରିଆସୁଥିଲେ। ଏବେ ପାଣ୍ଡିଆନ କରିବେ କଅଣ, ତାକୁ ନେଇ ସବୁଠି ଚର୍ଚ୍ଚା।

Prime Minister Narendra Modi (L) and Congress leader Rahul Gandhi (R) addressing separate election rallies | PTI

ମେ ୧୦ ତାରିଖରେ ଝାରସୁଗୁଡ଼ାର୍ ନିର୍ବାଚନୀ ପ୍ରଚାରରେ ଏମିତି ବାଣ ମାରିଥିଲେ ପାଣ୍ଡିଆନ୍।ପ୍ରଧାନମନ୍ତ୍ରୀ ମୋଦି, ଶାହା, ନଡ୍ଡା, ହିମନ୍ତ ବିଶ୍ୱଶର୍ମା, ଖଡ଼ଗେ ଓ ରାହୁଲଙ୍କ ଭଳି ଜାତୀୟ ଦଳର ଟପ୍ ନେତାଙ୍କ ଚେହେରାଙ୍କ ଟାର୍ଗେଟରେ ବି ଥିଲେ ପାଣ୍ଡିଆନ୍। ନବୀନଙ୍କ ଅପେକ୍ଷା ଅଧିକ ଟାର୍ଗେଟ କରିଥିଲେ ପାଣ୍ଡିଆନଙ୍କୁ। ଆଉ ଦଳ, ସରକାର ଓ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କୁ ଚଳାଉଥିବା କୋଟରୀ ଗୋଷ୍ଠୀର ଅଣ୍ଟା ଭାଙ୍ଗିଦେବୁ ବୋଲି ପ୍ରଚାର ବେଳେ ଚେତାଇ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି।ଜୁନ୍ ୪ରେ ବିଜେଡିର ଏକ୍ସପାଏରୀ ତାରିଖ ବୋଲି କହୁଥିବା ବିଜେପିର ଶୀର୍ଷ ନେତୃତ୍ୱଙ୍କ କଥା ଏଥର ସତ ପ୍ରମାଣିତ ହେଲା। ଜୁନ୍ ୧୦ରେ ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି ବୋଲି ଡାଏରୀରେ ଲେଖିକି ରଖ ବୋଲି କହିଥିବା ମୋଦ଼ିଙ୍କ କଥା ସତ ହେଲା।

ସୋସିଆଲ ମିଡିଆରେ ବି ବୟକଟ୍ ପାଣ୍ଡିଆନ୍ ଟ୍ରେଣ୍ଡିଂ ଜୋରଦାର ଧରିଥିଲା ରେଜଲ୍ଟ ପରଠୁ। ୧୨ଟା ସୁଦ୍ଧା ବିଜେପି ୭୮ ସିଟରେ ଆଗୁଆ ରହିଥିଲା ବେଳେ ବିଜେଡି ୫୪ ସିଟରେ ଆଗୁଆ ଥିଲା। କଂଗ୍ରେସ ବି କିଛି କମରେ ନଥିଲା। ୧୧ ସିଟରେ ଆଗୁଆ ଥିଲା। ସିପିଆଇଏମ୍ ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଆଗୁଆ ରହିଥିଲେ। ମ୍ୟାଜିକ୍ ନମ୍ୱର ପାର୍ କରିସାରିବା ପରେ ବିଜେପି ଶିବିରରେ ଉଲ୍ଲାସ ଖେଳିଯାଇଥିଲା। ସବୁଠୁ ବଡ଼ କଥା ହେଲା, କଣ୍ଟାବାଞ୍ଜି ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଟକ୍କରର ସମ୍ମୁଖୀନ ହେଲେ। ସୋସିଆଲ ମିଡିଆରେ ୟୁଜର୍ସ ଏହି ହାର୍ ଲାଗି ପାଣ୍ଡିଆନଙ୍କୁ ଦାୟୀ କରିଥିଲେ। ଏଭଳି ବିଜେଡିର ଭୟଙ୍କର ପ୍ରଦର୍ଶନ ପଛରେ ପାଣ୍ଡିଆନଙ୍କୁ ଏକାକୀ ଦାୟୀ କରି ବର୍ଷିଥିଲେ ୟୁଜର୍ସ। ନବୀନଙ୍କୁ ଓଡ଼ିଶାବାସୀ ଭଲ ପାଆନ୍ତି। ନବୀନଙ୍କ ନିର୍ମଳ ଛବି ଓ ନେତୃତ୍ୱକୁ। କିନ୍ତୁ ପାଣ୍ଡିଆନଙ୍କୁ କଦାପି ଗ୍ରହଣ କରିବେନି କି କଲେନି। ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ପାଣ୍ଡିଆନଙ୍କୁ ଓଡ଼ିଶାରୁ ବିଦା କରିବା ଭଳି ପୋଷ୍ଟ କରି ଅନେକ ୟୁଜର୍ସ ଗର୍ଜିଥିଲେ।

ଜିତିଥିଲେ ନାୟକ ସାଜିଥାଆନ୍ତେ ପାଣ୍ଡିଆନ୍। ସବୁ କ୍ରେଜ୍ ପାଣ୍ଡିଆନଙ୍କୁ ଯାଇଥାଆନ୍ତା ସ୍ୱାଭାବିକ କଥା। କିନ୍ତୁ କଥାରେ ଅଛି ଜୋ ଜିତା ଓ୍ୱହି ସିକନ୍ଦର। ଆତ୍ମବିଶ୍ୱାସ ନା ଅହଂକାର ଏଥର ବିଜେଡିକୁ ବୁଡ଼ାଇଲା। ନବୀନଙ୍କ କଥା କମ୍ କାମ ବେଶୀର ରଣନୀତି ନିର୍ବାଚନୀ ପ୍ରଚାରରେ ପାଣ୍ଡିଆନଙ୍କ ସିଙ୍ଗଲ୍ ଏଜେଣ୍ଡା ଭାରି ପଡ଼ିଲା। ଅପରାଜେୟ ନବୀନ ପରାଜୟର ଦ୍ୱାରଦେଶରେ ପହଞ୍ଚିବାକୁ ତାଳ ଦେଇ ପାଣ୍ଡିଆନଙ୍କୁ ଦାୟୀ କରିବାର ଆଧାର ଓଡ଼ିଶା ରାଜନୀତିରେ ଭିନ୍ନ ଚିତ୍ର ଛାଡ଼ିଯାଇଛି ଯେମିତି। ୨୪ ବର୍ଷ ଭିତରେ ପ୍ରଥମ ବଡ଼ ହାର୍‌ ଦେଖିଲେ ନବୀନ। ଆଉ ଓଡ଼ିଶା ବଡ଼ ପରିବର୍ତ୍ତନ ଦେଖାଇଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *