ଧାମନଗର ଉପନିର୍ବାଚନ ଲଢେଇ

Spread the love

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ଲାଗି ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଏବେ ତିନି ପ୍ରମୁଖ ଦଳ ଭିତରେ ଆରମ୍ଭ ହେଲାଣି କସରତ। କାହାକୁ ମୈଦାନକୁ ଓହ୍ଲାଇବ ଦଳ। କିଏ ହେବେ ପ୍ରାର୍ଥୀ। ଆଉ ତିନି ଦଳ ଧାମନଗର ହାତେଇବେ ବୋଲି ଦମ୍ଭୋକ୍ତି ଦେଖାଇଥିଲା ବେଳେ ଅସଲ ଖେଳ ପୂଜା ପରେ ଆରମ୍ଭ ହୋଇଯିବ।

ଧାମନଗର ଆସନ ବିଜେପି ହାତରେ ଥିଲା। ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଏହି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି। ସୋମବାର ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା ପରେ ଏହାକୁ ନେଇ ତିନି ପ୍ରମୁଖ ଦଳ ଆସନ ହାତେଇବାକୁ ଆରମ୍ଭ କରିଦେଲେଣି କସରତ।ତେବେ ପ୍ରାର୍ଥୀ କିଏ ହେବ, ସେ ଅଙ୍କକଷା ସରିନଥିବାରୁ ଯିଏ ବି ପ୍ରାର୍ଥୀ ହେବେ, ବିଜୟୀ ନିଶ୍ଚିତ ବୋଲି ଦମ୍ଭ ଦେଖାଇଲେଣି ପ୍ରମୁଖ ଦଳ। ବିଜେପି ଏହି ଆସନ ବଜାୟ ରହିବ ବୋଲି ଦୃଢୋକ୍ତି ଦେଖାଇଛି। ସ୍ୱର୍ଗତ ବିଷ୍ଣୁଙ୍କ ଲୋକପ୍ରିୟତା ସହ ଦଳର ସଂଗଠନ ଓ ରଣନୀତି ବଳରେ ଦଳ ଜିତିବ ବୋଲି କହିଛି ବିଜେପି। ପ୍ରାର୍ଥୀ ଚୟନ ନେଇ ସମନ୍ୱୟ ବୈଠକ ବସିଲାଣି।

 ବିଜେଡି କହିଛି, ପ୍ରାର୍ଥୀ କିଏ ହେବେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ସଂଗଠନ ସୁଦୃଢ଼ ଥିବାରୁ ପ୍ରାର୍ଥୀ ଚୟନରେ ସମସ୍ୟା ହେବନି। ୧୯ରେ ବିଜେପି ଜିତିଥିଲା ବୋଲି ଏହା ଯେ ତାଙ୍କର ଗଡ଼ ବୋଲି ଭାବିଦେବା ଭୁଲ୍। ମୁଖ୍ୟମନ୍ତ୍ରୀଙ୍କ ଉପରେ ଧାମନଗରବାସୀ ଭରସା କରି ଏଠାରେ ବିଜେଡିକୁ ଜିତାଇବେ। ଆଉ କଂଗ୍ରେସ କହିଛି, ସେମାନେ ଫାଇଟ୍ ଲାଗିପ୍ରସ୍ତୁତ। ଧାମନଗରରୁ ପରିବର୍ତ୍ତନର ସ୍ୱର ଶୁଭିବ। ପ୍ରାର୍ଥୀ ଚୟନରେ କୌଣସି ବିବାଦ କିବିଦ୍ରୋହର ଆଶଙ୍କା ନାହିଁ।

 ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପରିବାର ପ୍ରାର୍ଥୀତ୍ୱ ନେଇ ମୁହଁ ଖୋଲୁନାହାନ୍ତି। କିନ୍ତୁ ତାଙ୍କ ଅନୁଗତଙ୍କ ମତରେ, ବିଷ୍ଣୁଙ୍କ ପରିବାରରୁ ବିଜେପି ପ୍ରାର୍ଥୀ କରୁ। ଏହାର ସ୍ପଷ୍ଟତା ଆଉ ଦିନ କେଇଟା ପରେ ଆସିଯିବ। ଗଡ଼ ବଜାୟ ରଖିବା ବିଜେପି ପାଇଁ ବଡ଼ ସମ୍ମାନର ପ୍ରଶ୍ନ। ଆସନ ଛଡାଇଆଣିବା ବିଜେଡି ଲାଗି ପତିଆରାର ପ୍ରଶ୍ନ ଥିଲା ବେଳେ ଟ୍ରେଲର ସୋ ଦେଖାଇବାର ମଉକା ହେଉଛି ଧାମନଗର ଫାଇଟ୍ କଂଗ୍ରେସ ପାଇଁ।

Leave a Reply

Your email address will not be published. Required fields are marked *