ପୁରସ୍କାର ପାଇଲେ ଗୋଲକ..

Spread the love

ଓଡ଼ିଶାରେ ୨୪ ବର୍ଷର ବିଜେଡି ସରକାରର ପତ୍ତନ ପରେ ପ୍ରଥମ ଥର ବିଜେପି ହାତରେ ଶାସନ ଡୋରି ପଡ଼ିଛି। ମୋହନ ମାଝୀଙ୍କ କାନ୍ଧରେ ଏବେ ଓଡ଼ିଶାର ଶାସନ ଭାର। ୨୪ ନିର୍ବାଚନ ପୂର୍ବରୁ ଦଳବଦଳ ରାଜନୀତି ଏତେ ଘମାସାନ ହୋଇଥିଲା ଯେ, କିଏ କେଉଁ ଦଳକୁ ଗଲାଣି, ତାହାର ହିସାବ ଖୋଜିଲେ ମୁଣ୍ଡ ଗୋଳମାଳ ହୋଇଯାଉଥିଲା। ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଯେଉଁ ୪ ତୁଙ୍ଗ ନେତାଙ୍କ କଥା ସବୁବେଳେ ଚର୍ଚ୍ଚାରେ ରହିଆସିଥିଲା। ସେମାନେ ଥିଲେ ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର। ନବୀନ ସରକାରଙ୍କୁ ଶାଣିତ ଟାର୍ଗେଟ କରିବାକୁ ପଛାଉନଥିଲେ ଏମାନେ। ଏମିତିରେ ବି ବିଜେପିର ବଡ଼ ଚେହେରା ଓ ପଦ୍ମ ଶିବିରର ମୁହଁ ବୋଲି ଏମାନଙ୍କୁ ବିବେଚନା କରାଯାଉଥିଲା। ହେଲେ ସ୍ଥିର ଥିଲେ ଗୋଲକ ଓ ପୃଥ୍ୱୀରାଜ। କିନ୍ତୁ କ୍ଷମତାର ସ୍ୱାଦ ଚାଖିବାକୁ ବିଜେଡିକୁ ଚାଲିଗଲେ ଭୃଗୁ ଓ ଲେଖାଶ୍ରୀ। ଗଡ଼ବଡ଼ି ଦେଖିବା ମାତ୍ରେ ନିର୍ବାଚନ ବେଳେ ସିଇଓଙ୍କ ଦୃଷ୍ଟି ଆକର୍ଷଣରୁ ନେଇ ବିଜେଡିକୁ ଶାଣିତ ଆକ୍ରମଣର ଶୀର୍ଷରେ ଥିଲେ ଗୋଲକ ମହାପାତ୍ର ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ଆଉ ଦଳୀୟ ଅଫିସରେ ରହି ବ୍ୟାକଡୋର ମ୍ୟାନେଜମେଣ୍ଟର କମାଣ୍ଡ୍ ସମ୍ଭାଳିଥିଲେ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା।

କିନ୍ତୁ ଓଡ଼ିଶାବାସୀ ଏମିତି ଚକ୍‌ମା ଦେଇ ବଡ଼ ପରିବର୍ତ୍ତନ ଆଣିବେ ଓ ନବୀନଙ୍କୁ ଏତେ ବଡ଼ ଝଟକା ଦେବେ, ବୋଧହୁଏ କଳ୍ପନାର ବାହାରର କଥା ଥିଲା। ଆଉ ନବୀନ ସ୍ରୋତରେ ଜିତାପଟ୍ଟ ପକ୍କା ବୋଲି ଅତ୍ୟଧିକ ଆତ୍ମବିଶ୍ୱାସ ପୁରା ବିଜେଡିକୁ ବୁଡ଼ାଇଦେଲା ଏଥର। ଆଉ ବିଜେଡିର ବୁଡ଼ିଲା ଡଙ୍ଗାରେ ବୁଡ଼ିଗଲା ଭୃଗୁ ଓ ଲେଖାଙ୍କର ରାଜନୀତିକ କ୍ୟାରିଅର୍ କହିଲେ ଭୁଲ୍ ହେବନି। ଗୋଟିଏ ବି ଲୋକସଭା ସିଟ୍ ଜିତିପାରିଲାନି ବିଜେଡି। ଚିଲିକାରୁ ଏଥର ଜିତି ପୃଥ୍ୱୀରାଜ ହରିଚନ୍ଦନ କ୍ୟାବିନେଟ୍ ମନ୍ତ୍ରୀ।

 କିନ୍ତୁ ମୋହନ ମାଝୀଙ୍କ ନାଁ ମୁଖ୍ୟମନ୍ତ୍ରୀ ଘୋଷଣା ଦିନଠୁ ଯିଏ ତାଙ୍କ ପାଖେ ଛାଇ ଭଳି ରହିଛନ୍ତି, ସେ ହେଉଛନ୍ତି ଗୋଲକ ମହାପାତ୍ର। ନବୀନ ନିବାସକୁ ଯାଇ ନବୀନଙ୍କୁ ନିମନ୍ତ୍ରଣ ହେଉ ଅବା ଶପଥ ସମାରୋହ ଆରମ୍ଭର ଦୁଇ ଘଣ୍ଟା ଆଗରୁ ଜଣେ ସାଧାରଣ ଲୋକଙ୍କ ଭଳି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜନତାଙ୍କ ଗହଣରେ ବୁଲି ଆଶୀର୍ବାଦ ନେବା, କୃତଜ୍ଞତା ଜଣାଉଥିଲା ବେଳେ ସାଙ୍ଗରେ ଥିଲେ କେବଳ ଗୋଲକ। କେବଳ ଏତିକି ନୁହେଁ, ୪ ବର୍ଷ ପରେ ଲୋକସେବା ଭବନକୁ ସାମ୍ୱାଦିକଙ୍କ ଉପରେ ଲାଗିଥିବା ପ୍ରବେଶ କଟକଣାକୁ ହଟାଇବା ବେଳେ ଏହାର କୁଆଡ଼େ ପ୍ରଛଦପଟ୍ଟରେ ବି ଥିଲେ ଗୋଲକ ବୋଲି ଚର୍ଚ୍ଚା ହୁଏ। ଲୋକସେବା ଭବନର ତଳମହଲାରୁ ନେଇ ତୃତୀୟ ମହଲା ଯାଏ ଗୋଲକଙ୍କ ଉପସ୍ଥିତି ବେଶ୍ ବାରି ହୋଇପଡ଼ୁଥିଲା। ଅତିଥି ଭବନରେ ଅସ୍ଥାୟୀ ଅଫିସ ଖୋଲି କାମ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସବୁବେଳେ ଗୋଲକଙ୍କୁ ଦେଖିବାକୁ ମିଳୁଛି। ସେଥିଲାଗି ସବୁଠି ଚର୍ଚ୍ଚା। ଏଥର ଗୋଲକଙ୍କୁ ନିଜର ନିଃସ୍ୱାର୍ଥ ଓ ଅକ୍ଳାନ୍ତ ପରିଶ୍ରମ ଲାଗି ବଡ଼ ପୁରସ୍କାର ମିଳିଲା ଆଉ ଆଗକୁ ବି ମିଳିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *