ବିଧାନସଭାରେ ନୂପୁର ନିଆଁ

Spread the love

ନୁପୁର ନିଆଁକୁ ନେଇ ବିଧାନସଭାରେ ହଙ୍ଗାମା। ବିରୋଧୀ ଦଳ ଭିତରେ ତୁତୁ ମେମେ ଏମିତି ଚାଲିଲା ଯେ, ବାରମ୍ୱାର ଗୃହ କାର୍ଯ୍ୟ ବାଧା ପାଇଥିଲା। ଆଉ ବିରୋଧୀ ବିଜେପି ଓ କଂଗ୍ରେସ ଭିତରେ କଥା କଟାକଟି ଦେଖି ନୀରବ ରହି ଏହି ଦୃଶ୍ୟକୁ ବେଶ୍ ଉପଭୋଗ କରୁଥିଲା ଯେମିତି ଶାସକ ଦଳ।

ପ୍ରଶ୍ନକାଳ ଯାଏ ସବୁ ସୁରୁଖୁରୁରେ ଚାଲିଥିଲା। ହେଲେ ଶୂନ୍ୟକାଳକୁ ଯେମିତି ହାଇଜାକ୍ କରିନେଇଗଲା ନୁପୁର ନିଆଁ। ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିବା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କେନ୍ଦ୍ର ଉପରେ ବର୍ଷିଥିଲେ। ଏହାକୁ ଏକ ସମ୍ୱେଦନଶୀଳ ପ୍ରସଙ୍ଗ ବୋଲି ଅଭିହିତ କରି ବିଜେପିର ଆଭିମୁଖ୍ୟ କଅଣ ଜାଣିବାକୁ ଚାହିଁଥିଲେ ନରସିଂହ। କାରଣ ବିଜେପିର ମୁଖପାତ୍ର ଭାବରେ ନିଜର ରାଜନୈତିକ ଏଜେଣ୍ଡାକୁ ଚରିତାର୍ଥ କରିବାକୁ ଯାଇ ଦେଶର ନିରାପତ୍ତାକୁ ବିପଦରେ ପକାଇବାକୁ କିଏ ଲାଇସେନ୍ସ ଦେଲା ବୋଲି ପଚାରିଥିଲେ ଅଦାଲତ। ଆଉ ସୁପ୍ରିମ୍ ଭର୍ତ୍ସନାକୁ ଧରି କଂଗ୍ରେସ କେବଳ କେନ୍ଦ୍ରକୁ ଟାର୍ଗେଟ କରିନାହିଁ। ପାଲଟା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏ ଦିଗରେ କଅଣ ବୋଲି ପଚାରିଛି।

ତେବେ କଂଗ୍ରେସକୁ ଉଦୟପୁର ହିଂସାର ନଜିର ଦେଇ କାଉଣ୍ଟର କରିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଗୃହର ସଦସ୍ୟ ନଥିବା ନୁପୁରଙ୍କୁ ନେଇ କାହିଁକି ଗୃହରେ ଆଲୋଚନା ହେବ ବୋଲି ବିରୋଧ କରିଥିଲେ ବିଷ୍ଣୁ। ବିଜେପିତ ନୁପୁରଙ୍କୁ ନିଲମ୍ୱନ କରିଛି। ଉଦୟପୁର ହିଂସା ପାଇଁ ରାଜସ୍ଥାନର କଂଗ୍ରେସ ସରକାର ଇସ୍ତଫା ଦେଲେ କି। କଶ୍ମୀର ପଣ୍ଡିତ କଥା ଉଠାଇ କଂଗ୍ରେସକୁ ସମାଲୋଚନା କରିଥିଲେ ବିଷ୍ଣୁ।

ନୁପୁରଙ୍କୁ ନେଇ ଗୃହରେ କଂଗ୍ରେସ ଓ ବିଜେପି ସଭ୍ୟ ମୁହାଁମୁହିଁ ହୋଇଥିଲା ବେଳେ ଶାସକ ଦଳ ନୀରବ ରହି ଦେଖୁଥିଲା ଏମାନଙ୍କ ଲଢେଇ। ଗୃହରେ ସ୍ୱାଭାବିକ ଅବସ୍ଥା ଫେରାଇବାକୁ ପ୍ରୟାସ କରିଥିଲେ ବାଚସ୍ପତି। ବାରମ୍ୱାର ମୁଲତବୀ ପରେ ବି ବିରୋଧୀଙ୍କ ପରସ୍ପର ବିରୋଧୀ ନାରାବାଜିରୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି।

ରଘୁନାଥ ସାହୁଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..

Leave a Reply

Your email address will not be published. Required fields are marked *