କଂଗ୍ରେସ ଅଧ୍ୟକ୍ଷ ଦୌଡ: ଗେହଲଟଙ୍କ ବିଜୟ ନିଶ୍ଚିତ

Spread the love

() କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରୋଚକ ହେବାରେ ଲାଗିଛି। ସାଂସଦ ଶଶୀ ଥରୁର ଏହି ନିର୍ବାଚନ ପାଇଁ ନାମାଙ୍କନର ପ୍ରଥମ ଦିନରେ ହିଁ ଫର୍ମ ସଂଗ୍ରହ କରି ସାରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଜଣା ପଡୁଛି, ସାଂସଦ ଥରୁର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ହେବାକୁ ଯାଉଛି ଜବରଦସ୍ତ ଲଢେଇ। ଥରୁର ଲଢେଇ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଥିବା ପରି ମନେ ହେଉଛି। କିନ୍ତୁ ଥରୁରଙ୍କ ପାଇଁ ନିର୍ବାଚନ ଜିତିବା ଏତେ ସହଜ ପରି ମନେ ହେଉନାହିଁ। ଗେହଲଟଙ୍କୁ ଏହି ପଦରେ ବସାଇବାକୁ ସୋନିଆ ତଥା ଗାନ୍ଧୀ ପରିବାର ପକ୍ଷରୁ ପରୋକ୍ଷରେ ସବୁଜ ସଂକେତ ଦିଆଯାଇଛି। ତେବେ ଏହି ନିର୍ବାଚନ ଦୌଡରେ ଅନେକଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ। ନାମାଙ୍କନ  ଦାଖଲର ଆଜି ଦ୍ବିତୀୟ ଦିନ। ପ୍ରଥମ ଦିନରେ ସାଂସଦ ଶଶୀ ଥରୁର ନାମାଙ୍କନ ଫର୍ମ ସଂଗ୍ରହ କରିସାରିଛନ୍ତି। କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏହି ଦୌଡରେ ସର୍ବାଗ୍ରରେ ରହିଛନ୍ତି। କାରଣ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତଥା ଗାନ୍ଧୀ ପରିବାରର ଅତି ନିକଟତର ଓ ବିଶ୍ବସ୍ଥ ହେଉଛନ୍ତି ଗେହଲଟ।

ଏହି ପଦରେ ଗେହଲଟ ବସିଲେ ଗୋଟିଏ ତୀରରେ ଅନେକ ଶିକାର କରିବ ଗାନ୍ଧୀ ପରିବାର। ନିଜ ପ୍ରତିଶ୍ରୁତି ଅନୁଯାୟୀ ଜଣେ ଅଣଗାନ୍ଧୀ ଏହି ସର୍ବପୁରାତନ ଦଳର ଭାର ବହନ କରିବେ, ଦଳରେ ଏବେ ମଧ୍ୟ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ବଳବତ୍ତର ଥିବା ଦର୍ଶାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କି, ଏହି ପରିବାର ନିଜ ଅକ୍ତିଆରରେ ରଖିବ ଦଳକୁ। ଗାନ୍ଧୀ ପରିବାର ନିୟନ୍ତ୍ରଣରେ ରହିବ ପଦ ଓ ରହିବେ ପଦାଧିକାରୀ।

ଯେମିତି ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ମଧ୍ୟ ଦେଶ ଶାସନ କଳର ସମସ୍ତ ନୀତି ନିଷ୍ପତ୍ତି ଗାନ୍ଧୀ ପରିବାର ନିକଟରେ ରହିଥିଲା। ସେମିତି ଗେହଲଟ ଅଧ୍ୟକ୍ଷ ହେବେ ସିନା କିନ୍ତୁ ଦଳର କମାଣ ରହିବ ଗାନ୍ଧୀ ପରିବାର ନିକଟରେ। ସେପଟେ ଗାନ୍ଧୀ ପରିବାର ପ୍ରତି ନିଜ ବିଶ୍ବସନୀୟତା ପ୍ରତିପାଦନ କରିବାକୁ ବହୁ କଂଗ୍ରେସ ନେତା ଆଖି ବୁଜି ଗେହଲଟଙ୍କୁ ଭୋଟ ଦେବେ।

କେରଳର କଂଗ୍ରେସ ସାଂସଦ କନ୍ନୋଥ ମୁରଲିଧରନ ମଧ୍ୟ ସେହି ଦିଗରେ ସଙ୍କେତ କରିଛନ୍ତି। ମୁରଲିଧରନ କହିଲେ, ଦଳର ସର୍ବୋଚ୍ଚ ପଦ ନିର୍ବାଚନରେ କେହି ବି ଭାଗ ନେଇପାରିବେ। କିନ୍ତୁ ଗେହଲଟଙ୍କ ବିଜୟ ସମ୍ଭାବନା ଆଡକୁ ସଙ୍କେତ କରି କହିଛନ୍ତି କି, ଗେହଲଟ ଖୋଲାଖୋଲି କହିଛନ୍ତି ଯେ, ନେହରୁ- ଗାନ୍ଧୀ ପରିବାରର ସମର୍ଥନ ତାଙ୍କୁ ରହିଛି।

ଏପରି ସ୍ଥଳେ ଯଦି ସେ ନାମାଙ୍କନ ଦାଖଲ କରନ୍ତି ତେବେ ଆମର ଭୋଟ ଗେହଲଟଙ୍କୁ ହିଁ ଯିବ। ସେ ଜଣେ ବରିଷ୍ଠ ବ୍ୟକ୍ତି, ତାଙ୍କ ନିକଟରେ ବହୁ ଅଭିଜ୍ଞତା ରହିଛି ଏହି ପଦକୁ ସମ୍ଭାଳିବାକୁ। ତେବେ ମୁରଲିଧରନ ଆଗକୁ ଆହୁରି କହିଦେଲେ କି, ରାହୁଲ ଗାନ୍ଧୀ ହିଁ ଦଳର ନେତୃତ୍ବ ନେବେ, କିନ୍ତୁ କୌଣସି ପଦରେ ରହିବେ ନାହିଁ।

ଗାନ୍ଧୀ ପରିବାରର ନିକଟତର ତଥା ବିଶ୍ବସ୍ଥ ଥିବା ନେତାମାନେ ଥରୁରଙ୍କୁ ସେମାନଙ୍କ ମତ ଦେବେ ନାହିଁ। ଏହି ଶ୍ରେଣୀରେ ଅନେକ ରହିଛନ୍ତି। ଏହା ବ୍ୟତୀତ ଥରୁର ହେଉଛନ୍ତି କଂଗ୍ରେସର ବାଗି କୁହାଯାଉଥିବା ଜି-୨୩ ଶ୍ରେଣୀର। ଏମାନଙ୍କ ବିରୋଧରେ ଦଳ ଭିତରେ ଏକ ଅସହିଷ୍ଣୁତା ସୃଷ୍ଟି ହୋଇଛି।

ଏସବୁ ସତ୍ତ୍ବେ କିନ୍ତୁ ନାମାଙ୍କନର ପ୍ରଥମ ଦିନରେ ଥରୁର ନାମାଙ୍କନର ୫ଟି ସେଟ ସଂଗ୍ରହ କରିଛନ୍ତି। ଶନିବାର ଦିନ ଥରୁରଙ୍କ ପ୍ରତିନିଧି ଦିଲ୍ଲୀରେ ପହଞ୍ଚିଥିଲେ। ସେ କଂଗ୍ରେସ ନିର୍ବାଚନ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କୁ ଭେଟି ଥରୁର ଦେଇଥିବା ଚିଠି ଦେଇଥିଲେ, ଯେଉଁଥିରେ ଥରୁର ୫ଟି ସେଟ ଫର୍ମ ମଗାଇଥିଲେ।

ବର୍ତ୍ତମାନର ଚିତ୍ରପଟ୍ଟରୁ ଜଣାପଡୁଛି ଅଧ୍ୟକ୍ଷ ପଦ ପାଇଁ ଥରୁର ଓ ଗେହଲଟଙ୍କ ମଧ୍ୟରେ ଲଢେଇ ହେବାକୁ ଯାଉଛି। କାରଣ ଗେହଲଟ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପରେ ସ୍ପଷ୍ଟ କରିଦେଇଥିଲେ କି, ସେ ଏହି ନିର୍ବାଚନ ଲଢିବେ। ତାଙ୍କ ଅନୁଯାୟୀ, ନେହରୁ ଗାନ୍ଧୀ ପରିବାରରୁ କେହି ପ୍ରାର୍ଥୀ ହେବେ ନାହିଁ ଅଧ୍ୟକ୍ଷ ନିର୍ବାଚନରେ।

ତେବେ ଆଉ କିଛି ନାଁ ମଧ୍ୟ ଏହି ଦୌଡରେ ରହିଛି। ଚର୍ଚ୍ଚା ହେଉଛି କି, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଅଛନ୍ତି। ଏହା ବ୍ୟତୀତ, ମୁକୁଲ ବାସନିକ ଓ ପୃଥିରାଜ ଚୌହାନଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଆହୁରି ମଧ୍ୟ ଶୁଣାବାକୁ ମିଳୁଛି କି, କଂଗ୍ରେସ ସାଂସଦ ମନୀଷ  ତିୱାରୀ ମଧ୍ୟ ନାମାଙ୍କନ ଭରି ପାରନ୍ତି। ପୂର୍ବରୁ ଦିଗବିଜ ସିଂହ ଏହି ପଦ ପାଇଁ ଆଶାୟୀ ଥିବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ସିଂହ। ସେ କହିଛନ୍ତି, ମୁଁ ଆଗରୁ ମଧ୍ୟ ସ୍ପଷ୍ଟ କରିସାରିଛି କି, ଏହି ପଦ ପାଇଁ ମୋର କୌଣସି ଆନ୍ତରିକତା ନାହିଁ।

ବିଭିନ୍ନ ନାମକୁ ନେଇ ଚାଲିଥିବା ଚର୍ଚ୍ଚା ପରେ ଏହା ସ୍ପଷ୍ଟ ହୋଇଛି କି,  ଚଳିତ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଜୋରଦାର ହେବାକୁ ଯାଉଛି। ଯଦି ଏହା ହୁଏ ତବେ ସ୍ବାଧୀନତା ପରେ ଏହା ଚତୁର୍ଥ ଥର ହେବ, ଯେତେବେଳେ କଂଗ୍ରେସର ଏହି ସର୍ବୋଚ୍ଚ ପଦ ପାଇଁ ନିର୍ବାଚନ ହେବ। ୨୪ ବର୍ଷ ପରେ ଗାନ୍ଧୀ ପରିବାରର କେହି ଅଧ୍ୟକ୍ଷ ପଦରେ ଆସିନ୍ନ ହେବେ ନାହିଁ।  ଶେଷ ଧର ପାଇଁ ସୀତାରାମ କେସରୀ ଦଳର ଗୁରୁ ଦାୟିତ୍ବ ନେଇଥିଲେ। ୧୩୭ ବର୍ଷର କଂଗ୍ରେସ ଇତିହାସରେ ୪ ଥର ନିର୍ବାଚନ ହୋଇଛି।

୧୯୩୯ରେ ପ୍ରଥମ ଥର ସୁବାଷ ଚନ୍ଦ୍ର ବୋଷ ହୋଇଥିଲେ ଦଳର ଅଧ୍ୟକ୍ଷ। ସ୍ବାଧୀନତା ପରେ ୧୯୫୦ରେ ପୁରୁଷୋତ୍ତମ ଦାସ ଟଣ୍ଡନ ଏକ ବର୍ଷ ପାଇଁ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ଏହା ପରେ ୧୯୫୫ରେ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ ୟୁଏନ ଧେବର। ଏହା ପରେ ୧୯୯୭ରେ ସୀତାରାମ କେସରୀ ହୋଇଥିଲେ ଅଧ୍ୟକ୍ଷ। ୨୪ ବର୍ଷ ପରେ କିଏ ହେବେ କଂଗ୍ରେସର ଅଧ୍ୟକ୍ଷ ସେଥିପାଇଁ ଅକ୍ଟୋବର ୧୯ ଯାଏଁ ଅପେକ୍ଷା କରିବାକୁ ହେବ। 

ଶିଳାସ୍ମିତା ରାୟ

Leave a Reply

Your email address will not be published. Required fields are marked *