କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ୱଟାକୁଆ ଖାଇ ମୃତ୍ୟୁ ଘଟଣାର ତନାଘନା ହୋଇଛି। ପ୍ରାଥମିକ ତଦନ୍ତ ପରେ ସ୍ୱାସ୍ଥ୍ୟ ନିର୍ଦେଶକ ସ୍ପଷ୍ଟ କରିଛନ୍ତି, ଖାଦ୍ୟରେ ବିଷକ୍ରିୟାରୁ ଏହା ହୋଇଛି। ଖାଦ୍ୟ ନମୂନା ପରୀକ୍ଷା ପାଇଁ ଯାଇଛି। ୭୨ ଘଣ୍ଟାରେ ରିପୋର୍ଟ ଆସିବ। ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ୬ଜଣଙ୍କ ଅବସ୍ଥା ସ୍ଥିର ଅଛି। ଏଭଳି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କ୍ରମାଗତ ଟାର୍ଗେଟ କରୁଛି ବିଜେଡି। ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭେଟିଛି ସିପିଏମ ଓ କଂଗ୍ରେସର ଏକ ପ୍ରତିନିଧି ଦଳ। ୩ ମାସ ହେଲା କାହିଁକି ରାସନ ମିଳୁନଥିଲା କହି ବର୍ଷିଛନ୍ତି। ଯୋଗାଣ ମନ୍ତ୍ରୀ କହୁଛନ୍ତି, ଚାଉଳର ଅଭାବ ନାହିଁ। ପାଖରେ ପର୍ଯ୍ୟାପ୍ତ ଚାଉଳ ଥିବାରୁ ଚାଉଳ ଉଠାଇନଥିଲେ ପୀଡ଼ିତ ପରିବାର।
ପୂର୍ବରୁ ଗୁଣ୍ଡ କରି ରଖିଥିବା ଆମ୍ୱଟାକୁଆକୁ ଜାଉ କରି ଖାଇବାରୁ ୨ ଜଣଙ୍କ ଜୀବନ ଗଲା। ୬ଜଣ ଏମକେସିଜିରେ ଚିକିତ୍ସାଧୀନ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗାଁରେ ଆମ୍ୱଟାକୁଆ ଖାଇ ମୃତ୍ୟୁମୁହଁକୁ ଚାଲିଯିବା ଘଟଣାକୁ ନେଇ ସବୁଠି ହଇଚଇ। ମୃତ୍ୟୁର ଅସଲ କାରଣ ଖୋଜିବାକୁ ଯାଇଥିବା ସ୍ୱତନ୍ତ୍ର ଟିମର ପ୍ରାଥମିକ ତଦନ୍ତ ରିପୋର୍ଟ ଆସିଛି। ପ୍ରାଥମିକ ତଦନ୍ତରୁ ଖାଦ୍ୟରେ ବିଷକ୍ରିୟାରୁ ଏହା ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ। ଖାଦ୍ୟ ନମୂନା ପରୀକ୍ଷା ରିପୋର୍ଟ ୭୨ ଘଣ୍ଟାରେ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ।
ଏମକେସିଜିରେ ଚିକିତ୍ସାଧୀନ ୬ଜଣଙ୍କ ଅବସ୍ଥା ସ୍ଥିର ରହିଛି। ହସ୍ପିଟାଲରେ ପୀଡ଼ିତଙ୍କୁ ଭେଟିଛି ସିପିଏମ ଓ କଂଗ୍ରେସର ଏକ ପ୍ରତିନିଧି ଦଳ। ୩ ମାସ ଧରି ରାସନ ସାମଗ୍ରୀ ନ ମିଳିବାରୁ ଆମ୍ୱଟାକୁଆକୁ ଜାଉ କରି ଖାଇବାକୁ ବାଧ୍ୟ ହେଲେ ଲୋକେ। ବିଜେପି ସୁଶାସନର ଏହା ନଜିର କହି କଟାକ୍ଷ କରିଛନ୍ତି ବିରୋଧୀ ଦଳ। ୩ ମାସ ହେଲା ରାସନ ମିଳୁନଥିବାରୁ ଏଥିଲାଗି ଯିଏ ଦାୟୀ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ। ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ପୀଡ଼ିତଙ୍କୁ ଉନ୍ନତମାନର ଚିକିତ୍ସା, ଅତିଶୀଘ୍ର ମୁଣ୍ଡପିଛା ୧୦କେଜି ଚାଉଳ ଦେବାକୁ ଦାବି ହୋଇଛି। ଜାତୀୟସ୍ତରରେ ଓଡ଼ିଶାର ଛବି ଖରାପ ହୋଇଛି।
ଭୁବନେଶ୍ୱରରେ ବିଜେଡି ପ୍ରେସମିଟ୍ କରି ବର୍ଷିଛି ମୋହନ ସରକାରଙ୍କ ଉପରେ। ରାଜ୍ୟ ପାଇଁ କେବଳ ଲଜ୍ଜାଜନକ ଘଟଣା ନୁହେଁ, ଆହ୍ୱାନ। ସରକାର ତୁରନ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଧାର ଆଣନ୍ତୁ। ରାସନ ବିଭ୍ରାଟରେ ଯେଉଁମାନେ ଦାୟୀ, ଆକ୍ସନ ନିଅନ୍ତୁ ସରକାର। ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଆମ୍ୱଟାକୁଆ ସେମାନଙ୍କର ପାରମ୍ପରିକ ଖାଦ୍ୟ। ବାସି ଖାଦ୍ୟ ଖାଇବାରୁ ମୃତ୍ୟୁ ହୋଇଛି। ଚାଉଳର କୌଣସି ଅଭାବ ନାହିଁ। ପାଖରେ ପର୍ଯ୍ୟାପ୍ତ ଚାଉଳ ମହଜୁଦ ଥିବାରୁ ଚାଉଳ ଉଠାଇନଥିଲେ। ଅକ୍ଟୋବରରୁ ଡିସେମ୍ୱର ମାସର ଚାଉଳ ଏବେ ବଣ୍ଟାଯାଉଛି। ବିରୋଧ କରିବା ବିରୋଧୀଙ୍କ ଧର୍ମ।
ମଣ୍ଡିପଙ୍କା ଗାଁରେ ଆମ୍ୱଟାକୁଆ ଖାଇ ଲୋକଙ୍କ ଜୀବନ ଯିବା ପରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମ୍ୱଟାକୁଆଜନିତ ମୃତ୍ୟୁ ପରେ ନଭେମ୍ୱର ପହିଲାରେ ପ୍ରଶାସନ ହଠାତ୍ ତତ୍ପର ଦେଖାଇ ଚାଉଳ ବାଣ୍ଟିବା ଆରମ୍ଭ କରିଛି। ଯାହାକି ସେପ୍ଟେମ୍ୱର ପରଠୁ ବନ୍ଦ ଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now