ପୁଣି ହୋଇପାରେ ବଡ ଧରଣର କୃଷକ ଆନ୍ଦୋଳନ

Spread the love

ପୁଣି ହୋଇପାରେ ବଡ ଧରଣର କୃଷକ ଆନ୍ଦୋଳନ। ସରକାର ପୂର୍ବ ପ୍ରତିଶ୍ରୁତି ପୁରଣ କରିବାରେ ଅବହେଳା କରିଥିବାରୁ ପୁଣି ସରକାର ବିରୋଧୀ ସ୍ୱର ଶାଣିତ କରି ଏକାଠି ହେବାକୁ ଯାଉଛନ୍ତି ଚାଷୀ ସଂଗଠନ । ଦିଲ୍ଲୀ ଜନ୍ତରମନ୍ତରରେ ଏମଏସପି, ଲକ୍ଷ୍ମୀମପୁର ଖେରୀ ହିଂସା ପ୍ରସଙ୍ଗ ଏବଂ ଅଗ୍ନିପଥ ଯୋଜନାକୁ ନେଇ ଆନ୍ଦୋଳନ ହେବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜଣାପଡିଛି। ବିଭିନ୍ନ ପର୍ଯ୍ୟାୟରେ ଏହି ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ତେବେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକରେ ନିଷ୍ପତି ନିଆଯାଇଛି ଯେ କୌଣସି ରାଜନୈତିକ ଦଳକୁ ଏହାସହ ସାମିଲ କରାଯିବ ନାହିଁ। ସମ୍ପୂର୍ଣ୍ଣ ଭାବେ ଅଣରାଜନୈତିକ ଆନ୍ଦୋଳନ ଆରମ୍ଭ ହେବ ।

ପୁଣି ଦେଶରେ ଆରମ୍ଭ ହେବ ଆଉ ଏକ ଚାଷୀ ଆନ୍ଦୋଳନ । ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ ଚାଷୀ ସଂଗଠନ ଯେଉଁ ଲଢେଇ କରିଥିଲେ ସେ ଲଢେଇର ଦ୍ବିତୀୟ ପର୍ଯ୍ୟାୟ ଆଗାମୀ ୧୮ ତାରିଖରୁ ପୁଣି ଆରମ୍ଭ ହେବାକୁ ଯାଉଛି । ହୁଏତ ଆନ୍ଦୋଳନର ପୂର୍ବ ରୂପ ପରିବର୍ତ୍ତନ ହୋଇପାରେ। କିନ୍ତୁ ଆନ୍ଦୋଳନର ଉଦେଶ୍ୟ ପୂର୍ବବତ ରହିବ ବୋଲି ଚାଷୀ ନେତା କହିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଅନ୍ୟାନ୍ୟ ଚାଷୀ ସଂଗଠନ ପକ୍ଷରୁ ଯେଉଁ ବିରୋଧ ଚାଲିଥିଲା, ତାହା ଦେଶର ଦୀର୍ଘତମ ଅନ୍ଦୋଳନ କୁହାଯାଇପାରେ। ଚାଷୀଙ୍କ ବିରୋଧ ଏତେ ତୀବ୍ର ଥିଲା ଯେ ବାଧ୍ୟ ହୋଇ କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିଥିଲେ ।

ତେବେ ଚାଷୀ ସଂଗଠନର ସେ ଶକ୍ତି ଅଛି କି ନାହିଁ ସେ ଆଶଙ୍କା ପ୍ରକାଶ ପାଇଛି । ଯେହେତୁ ଚାଷୀ ଆନ୍ଦୋଳନର ପାୱାର ହାଉସ କୁହାଯାଉଥିବା ପଞ୍ଜାବର ରାଜନୈତିକ ଦୃଶ୍ୟପଟ୍ଟ ବଦଳିଛି ତେଣୁ ଏହା ଆଗାମୀ ଆନ୍ଦୋଳନକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ମଧ୍ୟ ବିଭାଜିତ ସଂଗଠନରେ ପରିଣତ ହୋଇଯାଇଛି । ଗୋଟିଏ ପଟେ କୃଷକ ରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ସରକାରଙ୍କ ସହ ଆଲୋଚନା ପାଇଁ ପ୍ରୟାସ ହେଉଥିଲା ଅନ୍ୟପଟେ କୃଷକ ଆନ୍ଦୋଳନରେ ଜଡିତ କିଛି ନେତା ଚିଠି ଲେଖି ପୃଥକ ଭାବରେ ଆଲୋଚନା କରୁଥିଲେ।

ସଂଗଠନକୁ ସରକାର ଭାଗ ଭାଗ କରି ଦୁର୍ବଳ କରିବାକୁ ଚାହୁଁଥିଲେ, ଆଉ ସଂଗଠନର କିଛି ସଦସ୍ୟ ସେଥିରେ ସହଯୋଗ କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଏପରିକି ପରେ ଅନେକ ଚାଷୀ ନେତା ରାଜନୈତିକ ମୈଦାନକୁ ଓହ୍ଲାଇ ତାଙ୍କ ରାଜନୈତିକ ମହତ୍ବାକାଂକ୍ଷା ପୂରଣ କରିଥିଲେ। ଫଳରେ ଚାଷୀ ସଂଗଠନ ବଦନାମ ହୋଇଥିଲା, ଚାଷୀ ଆନ୍ଦୋଳନକୁ ରାଜନୈତିକ ରୂପରଙ୍ଗ ଦିଆଯାଇଥିଲା । ଯାହା ଏଥର କିଭଳି ନ ହେବ ସେଥିପ୍ରତି ଗୁରୁତ୍ବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସେଥିପାଇଁ ଭିନ୍ନ ଗୋଷ୍ଠୀ ଭିନ୍ନ ପ୍ରକାରେ ଆନ୍ଦେଳନକୁ ଓହ୍ଲାଇବାର ସମ୍ଭାବନା ରହୁଛି ।

ତିନି କୃଷି ଆଇନ ପ୍ରତ୍ୟାହାର ହେବା ମୂଳ ଦାବି ଥିଲା । କିନ୍ତୁ ବଡ କଥା ଥିଲା ଏମଏସପିକୁ ଆଇନସିଦ୍ଧ କରିବା । ଯେଉଁଥିପାଇଁ କମିଟି ଗଠନ କରି ତର୍ଜମା କରିବା କଥା କୁହାଯାଇଥିଲେ ମଧ୍ୟ ସେ କାମ ଟିକିଏ ମଧ୍ୟ ଆଗକୁ ବଢିନାହିଁ । ଅନ୍ୟପଟେ ଚାଷୀ ଆନ୍ଦୋଳନ ବେଳେ ଯେଉଁ ମାମଲା ଆନ୍ଦୋଳନକାରୀଙ୍କ ନାମରେ ହୋଇଥିଲା ତାକୁ ମଧ୍ୟ ସରକାର ଏଯାଏଁ ପ୍ରତ୍ୟାହାର କରିନାହାଁନ୍ତି । ତା ସହ ଲକ୍ଷ୍ମୀମପୁର ଖେରୀ ଭଳି ଅମାନବୀୟ ଘଟଣା ସତ୍ତ୍ବେ ଅଜୟ ମିଶ୍ରା ଟେନୀଙ୍କୁ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ପଦରୁ ବାଦ ଦିଆଗଲାନି ।

ତେଣୁ ଚାଷୀ ଆନ୍ଦୋଳନ ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ କହିଛି ଚାଷୀ ସଂଗଠନ । ତା ସହ ଅଗ୍ନିବୀର ଭଳି ଯୋଜନା ଆଣି ଯୁବକମାନଙ୍କୁ ନିରାଶ କରିଥିବା ସରକାରଙ୍କ ଆଭିମୁଖ୍ୟ ବିରୋଧରେ ମଧ୍ୟ ଚାଷୀ ସଂଗଠନ ଲଢିବ ବୋଲି ସ୍ଥିର କରିଛି । ସେଥିପାଇଁ ଜୟ ଜୱାନ୍ ଜୟ କିଷାନ ନାରା ଦେଇ ଚାଷୀ ସଂଗଠନ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛି ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *