ହରିଆଣାରେ ବିଜେପିର ୧୦ବର୍ଷ ଶାସନର ଅନ୍ତ ଘଟିବ!

ରାତି ପାହିଲେ ରେଜଲ୍ଟ। ଜମ୍ମୁ-କଶ୍ମୀର ଓ ହରିଆଣା ବିଧାନସଭା ନିର୍ବାଚନ ରେଜଲ୍ଚ ଆସିବ ୮ରେ। ତେବେ ଏକଜିଟ୍ ପୋଲ ଅନୁସାରେ ଉଭୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ କରିବ। ହରିଆଣାରେ କଂଗ୍ରେସ କମବ୍ୟାକ୍ ହେଉଥିଲା ବେଳେ ଜମ୍ମୁ-କଶ୍ମୀରରେ ଝୁଲା ସ୍ଥିତି ସୃଷ୍ଟି ହୋଇପାରେ। ତେବେ ଏକଜିଟ ପୋଲର ସମସ୍ତ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ଉଭୟରେ ବିଜେପି ବାଜିମାତ୍ କରିବ ବୋଲି ଦମ୍ଭୋକ୍ତି ବାଢ଼ିଛି।

୨୦୨୪ ଲୋକସଭା ନିର୍ବାଚନରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବା କଂଗ୍ରେସର ଏହି ଧାରା ହରିଆଣା ଓ ଜମ୍ମୁକଶ୍ମୀରରେ ବି ବଜାୟ ରହିବ ବୋଲି ଅଧିକାଂଶ ଏକଜିଟ୍ ପୋଲ ଆକଳନ କରିଛି। ୯୦ ଆସନ ବିଶିଷ୍ଟ ଜମ୍ମୁକଶ୍ମୀରରେ ମ୍ୟାଜିକ ନମ୍ୱର ହେଉଛି ୪୫। କିନ୍ତୁ ଏକଜିଟ୍ ପୋଲ ଆକଳନ ଅନୁସାରେ କଂଗ୍ରେସ-ଏନସି ମେଣ୍ଟ ୩୫ରୁ ୫୦ ସିଟ୍ ହାସଲ କରୁଛି। ବିଜେପି ୨୦ରୁ ୩୪ ଭିତରେ ସୀମିତ ରହିଯିବ। ପିଡିପିର ପ୍ରଦର୍ଶନ ଏକ ଅଙ୍କବିଶିଷ୍ଟରେ ସୀମିତ ରହିପାରେ। ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରରେ ଝୁଲା ସ୍ଥିତିର ପୂର୍ବାନୁମାନ ସତ ହେଲେ, ରୋଚକ ରାଜନୀତିକ ସ୍ଥିତି ଉପୁଜିପାରେ। ବିଜେପିର ପୂର୍ବ ସହଯୋଗୀ ମେହେବୁବା ମୁଫତିଙ୍କ ପିଡିପି କିଙ୍ଗମେକର ଭୂମିକାରେ ଉଭା ହୋଇପାରେ। ସେପଟେ ରାଜ୍ୟ ମାନ୍ୟତା ନ ପାଇବା ଯାଏ ସରକାର ଗଠନ କରନ୍ତୁନି ବୋଲି ଅପିଲ୍ କରିଛି ଆଓ୍ୱାମୀ ଇତେହାଦ୍ ପାର୍ଟି। କାରଣ କେନ୍ଦ୍ର ଶାସିତ ସରକାରରେ ନିର୍ବାଚିତ ସରକାରର ସୀମିତ ଅଧିକାର ଥାଏ।

ସେପଟେ ୯୦ ଆସନ ବିଶିଷ୍ଟ ହରିଆଣାରେ ଏଥର ବିଜେପିର ହାଟ୍ରିକ ସ୍ୱପ୍ନ ଧୂଳିସାତ୍ ହୋଇଯିବ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ ଦର୍ଶାଇଛି। କଂଗ୍ରେସ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବ। ବିଜେପିର ଆସନ ସଂଖ୍ୟା ୩୦ରୁ ୩୫ ଭିତରେ ହାମୁଡ଼େଇପଡ଼ିବ। ଆମ୍ ଆଦମୀ ଦଳ ଖାତା ଖୋଲିପାରିବନି। ୧୦ ବର୍ଷ ପରେ କଂଗ୍ରେସ ହାତକୁ କ୍ଷମତା ଫେରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ପରାଜୟର ମୁହଁ ଦେଖିପାରନ୍ତି। କିନ୍ତୁ ସାଇନି କହିଛନ୍ତି, ଅକ୍ଟୋବର ୮ ରେଜଲ୍ଚ ସମସ୍ତଙ୍କୁ ଚମକାଇଦେବ। ବିଜେପି ତୃତୀୟ ଥର ହରିଆଣାରେ ସରକାର କରିବାକୁ ଯାଉଛି। କାହା ସହ ମେଣ୍ଟର ଆବଶ୍ୟକତା ପଡ଼ିବନି। ରାଜ୍ୟ ବିଜେପି ସଭାପତି ମୋହନଲାଲ ବଡୌଲି ବି କହିଛନ୍ତି, ଗ୍ରାଉଣ୍ଡରୁ ଆସିଥିବା ରିପୋର୍ଟରୁ ସ୍ପଷ୍ଟ, ବିଜେପି ପୁଣି ହରିଆଣାର କ୍ଷମତାଡୋରି ଧରିବାକୁ ଯାଉଛି। ବିଜେପି ଯଦି ହାରେ, ତେବେ ଏହା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ବିରୁଦ୍ଧରେ ଚାଷୀଙ୍କ ଅସନ୍ତୋଷ, ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୁଦ୍ଧରେ ଯୌନଶୋଷଣ ମାମଲା, ଭୀନେଶଙ୍କୁ ବିଜେପିର ସମର୍ଥନ ନ ମିଳିବା ଆଦି ଅନେକ ପ୍ରସଙ୍ଗକ ଦାୟୀ କରାଯାଇପାରେ। ଆଇଏନଏଲଡି ଓ ଜେଜେପିର ଦୁର୍ବଳ ପ୍ରଦର୍ଶନକୁ ବି ଦାୟୀ କରାଯିବ। ଆପ୍ କହିଛି, ବିଜେପିର ଡାଉନଫଲ୍ ଆରମ୍ଭ ହୋଇସାରିଛି। କିଛି ବର୍ଷ ପରେ ବିଜେପି ଇତିହାସ ହୋଇଯିବ। କଂଗ୍ରେସ କହିଛି, ସବୁ ଆସନରେ ଦଳର ଭୋଟର ହାର ବଢ଼ିଛି। ମୁଖ୍ୟମନ୍ତ୍ରୀ ପଦ ଲାଗି ବି ସମାନ୍ତରାଳ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୦୫ରୁ ୨୦୧୪ ଯାଏ କଂଗ୍ରେସ ଅମଳର ସଫଳତାକୁ ୨୦୧୪ରୁ ୨୦୨୪ ଯାଏ ବିଜେପିର ବିଫଳତାକୁ ତୁଳନା କରି ଲୋକେ ରାୟ ଦେଲେ।

ଏକଜିଟ୍ ପୋଲର ପୂର୍ବାନୁମାନ କେତେ ସତ ହେଉଛି। ନା ଆକଳନର ପୁରା ଓଲଟା ଦେଖିବାକୁ ମିଳିବ ଜନମତରେ। ହରିଆଣା ଓ ଜମ୍ମୁକଶ୍ମୀରରେ ଜନତା ଜନାର୍ଦ୍ଦନ କାହା ଆଡ଼କୁ ଢଳିଛନ୍ତି, ୮ ରେଜଲ୍ଟ ସ୍ପଷ୍ଟ କରିଦେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *