ବିଧାନସଭା ଆରମ୍ଭରୁ ଓଡ଼ିଶାର ଏକତା ଓ ଅଖଣ୍ଡତାକୁ ଅସମ୍ମାନ କରିଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ଗଣ୍ଠି କରିଥିଲା ଆଜି ବିଜେଡି। ସମ୍ୱଲପୁର ସଭାରେ ଯେଭଳି ବିଭାଜିତ ଓଡ଼ିଶାର ପରିକଳ୍ପନା କରିବା ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ବେଳେ ଛିଡ଼ା ନ ହୋଇ ଅସମ୍ମାନ କରିଥିଲେ, ତାକୁ ନେଇ ଗର୍ଜିଛି ବିଜେଡି। ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲା। ମନ୍ତ୍ରୀ ପଦ ଲୋଭରେ କିଭଳି ହିତାହିତ ଜ୍ଞାନ ଭୁଲି ଓଡ଼ିଶାକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛନ୍ତି ଜୟନାରାୟଣ। ବିକଶିତ ଓଡ଼ିଶା, ଓଡ଼ିଆ ଅସ୍ମିତା କଥା କହୁଥିବା ମୋହନ ସରକାର କାହିଁକି ନୀରବ ବୋଲି ପଚାରିଛି ବିଜେଡି। ବିଧାନସଭା ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇ ବିକ୍ଷୋଭ କରିଛି। ବନ୍ଦେ ଉତ୍କଳ ଜନନୀ ଗୀତ ଗାଇବା ସହ ଡବଲ ଇଞ୍ଜିନ ସରକାର ଡାଉନ ଡାଉନ କହି ନାରାବାଜି କରିଥିଲା। ଜୟନାରାୟଣଙ୍କ ଭଳି ବିଭାଜନକାରୀ ତତ୍ତ୍ୱଙ୍କୁ କେଉଁ ସ୍ୱାର୍ଥରେ ମୋହନ ସରକାର ଘଣ୍ଟ ଘୋଡ଼ାଉଛନ୍ତି ବୋଲି ପଚାରିଛି ବିଜେଡି। ମୋହନ ସରକାର ଦୁର୍ବଳ। ଏ ସରକାର ଚୁଲିକୁ ଯାଉ। ସରକାର ଓ ବିଜେପି ଦଳ ମାନସିକସ୍ତରରେ ଦୁର୍ବଳ। ସତସାହସ ଥିଲେ, ଜୟନାରାୟଣଙ୍କ ବିରୁଦ୍ଧରେ ଆକ୍ସନ ନେଇ ଦେଖାଇଦିଅନ୍ତୁ। ଓଡ଼ିଶାର ଇତିହାସ ଜାଣିନଥିବା ବ୍ୟକ୍ତି ବିକଶିତ ଓଡ଼ିଶାର କଥା କହୁଛି କହି ତାତ୍ସଲ୍ୟ କରିଛନ୍ତି।
ସମ୍ୱଲପୁର ସଭାରେ ଜୟନାରାୟଣ କହିଥିଲେ, ଓଡିଶାରୁ ଅଲଗା ହେବାକୁ ହେବ ଆନ୍ଦୋଳନ। ଓଡ଼ିଶାରେ ମିଶି ଭୁଲ୍ କରିଦେଲୁ। ଏହା ଥିଲା ଐତିହାସିକ ଭୁଲ୍। ଉତ୍କଳ କଅଣ କେବଳ ପୁରୀ, କଟକ ଓ ବାଲେଶ୍ୱରକୁ ବୁଝାଏ କି। କଳିଙ୍ଗ ଓ କୋଶଳୀ କେବଳ ଅତ୍ୟାଚାର ହୋଇଆସୁଛନ୍ତି। କେବଳ ଉତ୍କଳର ଜୟଗାନ ହେବ। ଆମ କୋଶଳୀର କାହିଁକି ହେବନି। ଏଭଳି ମାନସିକତା ଶୋଷଣ ସଦୃଶ। ଜୟନାରାୟଣଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେଡି ଜୟନାରାୟଣଙ୍କଠୁ କ୍ଷମାପ୍ରାର୍ଥନା ଦାବି କରିବା ସହ ବିଜେପି ଓ ମୁଖ୍ୟମନ୍ତ୍ରୀଙ୍କଠୁ ସ୍ପଷ୍ଟିକରଣ ଲୋଡ଼ିଥିଲା। ସେପଟେ ଶାସକ ଦଳ ଏହାର ଜବାବ ଦେଇଛି।
ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଛି ବିଜେପି। କିନ୍ତୁ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ କେଉଁ ପରିପ୍ରେକ୍ଷୀରେ ଓଡ଼ିଶା ବିଭାଜନ ଥିଓରୀ କଥା କହିଲେ, ତାକୁ ନେଇ ସବୁଠି ଚର୍ଚ୍ଚା।

Naxatra News is now on Whatsapp
Join and get latest news update delivered to you via whatsapp
Join Now