ଆଜି ସଂସଦରେ ନୂଆ ଆୟକର ବିଲ୍ ଆଗତ

ଚାଲିଛି ସଂସଦର ବଜେଟ୍ ଅଧିବେଶନ । ଆଉ ଏହାରି ଭିତରେ ଆଜି ସଂସଦରେ ନୂଆ ଆୟକର ବିଲ୍ ଆଗତ କରିବାକୁ ଯାଉଛନ୍ତି ମୋଦୀ ସରକାର । ତେବେ ୬୩ ବର୍ଷ ପରେ ଆସିଥିବା ଏହି ନୂଆ ବିଲରେ ଅନେକ ପରିବର୍ତ୍ତନ କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଆୟକର ଆଇନ ୨୦୨୫କୁ ପୂର୍ବ ଅପେକ୍ଷା ସରଳ, ସ୍ୱଚ୍ଛ ଏବଂ ସାଧାରଣ କରଦାତାଙ୍କ ବୁଝିବା ଭଳି କରାଯାଇଛି। ଏଥିରେ ଡିଜିଟାଇଜେସନ୍  ଠାରୁ ଆରମ୍ଭ କରି ଟିକସ ପ୍ରଣାଳୀକୁ ସରଳୀକରଣ, ଟିକସ ଦେୟରେ ଉନ୍ନତି ଏବଂ ଟିକସ ଫାଙ୍କି ନେଇ ନିୟମକୁ ଅଧିକ କଠୋର କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।

ନୂତନ ଆୟକର ବିଲରେ ପ୍ରଥମ ଏବଂ ପ୍ରମୁଖ ପରିବର୍ତ୍ତନ ହେଉଛି ଯେ, ଏହାକୁ ସାଧାରଣ ଲୋକଙ୍କ ବୁଝିବା ପାଇଁ ପୂର୍ବ ଅପେକ୍ଷା ସହଜ ଶବ୍ଦ ସହିତ ଅଧିକ ସଂକ୍ଷିପ୍ତ କରାଯାଇଛି। ଉଦାହରଣ ସ୍ୱରୂପ, ୧୯୬୧ ଆୟକର ବିଲ୍‌ରେ ୮୮୦ ପୃଷ୍ଠା ଥିଲା, କିନ୍ତୁ ଛଅ ଦଶନ୍ଧି ପରେ, ଏଥିରେ ପୃଷ୍ଠା ସଂଖ୍ୟା ଏବେ ୬୨୨କୁ ହ୍ରାସ ପାଇଛି। ନୂତନ ଟିକସ ବିଲରେ ୫୩୬ଟି ଧାରା ଏବଂ ୨୩ଟି ଅଧ୍ୟାୟ ଅଛି।

ଆଜି ଉପସ୍ଥାପିତ ହେବାକୁ ଯାଉଥିବା ନୂତନ ବିଲରେ କର ବର୍ଷର ଧାରଣା ପ୍ରଚଳନ କରାଯାଇଛି। ଯାହା ଏପର୍ଯ୍ୟନ୍ତ ବ୍ୟବହୃତ ମୂଲ୍ୟାଙ୍କନ ବର୍ଷ ଏବଂ ପୂର୍ବ ବର୍ଷକୁ ବଦଳାଇବ। ସାଧାରଣତଃ, ଦେଖାଯାଇଛି ଯେ ଟିକସ ଦେବା ସମୟରେ କରଦାତାମାନେ ମୂଲ୍ୟାୟନ ଏବଂ ଆର୍ଥିକ ବର୍ଷ ବିଷୟରେ ଦ୍ୱନ୍ଦ୍ୱରେ ପଡୁଥିଲେ, କିନ୍ତୁ ଏବେ ଏଗୁଡ଼ିକୁ ଦୂର କରି ନୂଆ ଆଇନ୍ ଅନୁସାରେ ଏବେ କେବଳ ଟିକସ ବର୍ଷ ବ୍ୟବହାର କରାଯିବ। ଉଦାହରଣ ସ୍ୱରୂପ, ୧ ଏପ୍ରିଲ୍, ୨୦୨୫ ରୁ ୩୧ ମାର୍ଚ୍ଚ, ୨୦୨୬ ପର୍ଯ୍ୟନ୍ତ, ଟିକସ ବର୍ଷ ୨୦୨୫-୨୬ ହେବ। ଅର୍ଥାତ୍, ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ ୧୨ ମାସକୁ ଏବେ ଟିକସ ବର୍ଷ କୁହାଯିବ । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *