ବାଚସ୍ପତି ପଦକୁ ନେଇ ଟଣାଓଟରା…

Spread the love

କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠନ ପରେ ଏବେ ସମସ୍ତଙ୍କ ନଜର କିଏ ହେବେ ବାଚସ୍ପତି। ପ୍ରଥମ ଦୁଇ ପାଳିରେ ସ୍ପଷ୍ଟ ବହୁମତ ଆଧାରରେ ବାଚସ୍ପତି ମନୋନୟନରେ ଅସୁବିଧା ନଥିଲା ବିଜେପିର। କିନ୍ତୁ ଏଥର ମେଣ୍ଟରେ ଥିବାରୁ ବାଚସ୍ପତି ପଦକୁ ଆଖେଇଛନ୍ତି ସହଯୋଗୀ ଦଳ। ବିଶେଷ କରି ଟିଡିପି ଓ ଜେଡିୟୁ ଏହି ପଦ ଲାଗି ଦାବି କରୁଛନ୍ତି। କିନ୍ତୁ ବାଚସ୍ପତି ଭଳି ମର୍ଯ୍ୟାଦାଜନକ ପଦ ଛାଡ଼ିବାକୁ ବିଜେପି ରାଜି ହେଉନଥିବାରୁ ଅଚଳାବସ୍ଥା ଆରମ୍ଭ ହେଲାଣି।

ମୋଦିଙ୍କ ତୃତୀୟ ପାଳିରେ ନିଜ ଦଳର ସୁରକ୍ଷାର ଗ୍ୟାରେଣ୍ଟି ଚାହୁଁଛନ୍ତି ଉଭୟ ଚନ୍ଦ୍ରବାବୁ ନାଇଡ଼ୁ ଓ ନୀତିଶ କୁମାର। ଏଥର ସ୍ପଷ୍ଟ ବହୁମତ ପାଖରେ ନଥିବା ମୋଦି ଦୁଇ ପ୍ରମୁଖ ସହଯୋଗୀ ଦଳ ଉଭୟ ଟିଡିପି ଓ ଜେଡିୟୁ ସହଯୋଗରେ ସରକାର କରିଛନ୍ତି। ୧୨ଟି ଆସନ ହାସଲ କରିଥିବା ଜେଡିୟୁ ଦୁଇଟି କ୍ୟାବିନେଟ୍ ମନ୍ତ୍ରୀ ପଦ ସହ ବାଚସ୍ପତି ପଦ ମାଗିଥିଲା। ସେହିଭଳି ୧୬ଟି ଆସନ ଆଣିଥିବା ଟିଡିପି ବି ୪ଟି କ୍ୟାବିନେଟ୍ ପଦ ସହ ବାଚସ୍ପତି ପଦ ମିଳୁ ବୋଲି ଚାହୁଁଥିଲେ। ଯଦିଓ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଜେଡିୟୁରୁ ୨ ଓ ଟିଡିପିରୁ ୨ଜଣଙ୍କୁ ମନ୍ତ୍ରୀ କରାଯାଇଛି। ଟିଡିପିରୁ କେ.ଆର. ନାଇଡୁ ଓ ଚନ୍ଦ୍ରଶେଖର ପେମାସାନ୍ନି ମନ୍ତ୍ରୀ ପଦ ପାଇଥିଲା ବେଳେ ଜେଡିୟୁରୁ ରାଜୀବ ରଞ୍ଜନ ସିଂ ଓ ରାମନାଥ ଠାକୁର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିନ୍ତୁ ସମସ୍ତଙ୍କ ନଜର ବାଚସ୍ପତି ପଦ ଉପରେ କେନ୍ଦ୍ରୀଭୂତ ରହିଛି। ରାଜ୍ୟସଭାରେ ଜେଡିୟୁର ନେତା ହରିବଂଶ ଉପାଧ୍ୟକ୍ଷ ଥିବାରୁ ଲୋକସଭାରେ ଏହାର ପ୍ରାର୍ଥୀଙ୍କୁ ବାଚସ୍ପତି କରାଯିବାର ସମ୍ଭାବନା କମ୍। ସେଥିଲାଗି ଟିଡିପିକୁ ବାଚସ୍ପତି ପଦ ମିଳିବାର ସମ୍ଭାବନା ଥିବା ସତ୍ତ୍ୱେ ବିଜେପି ରାଜି ହେଉନି। ଜୁନ୍ ୧୮ରୁ ସମ୍ଭବତଃ ୧୮ତମ ଲୋକସଭା ଅଧିବେଶନ ଆରମ୍ଭ ହେଉଛି।

ଜୁନ୍ ୨୦ ସୁଦ୍ଧା ଲୋକସଭା ବାଚସ୍ପତି ଚୟନ ହେବେ। ଏବେ ଦ୍ୱନ୍ଦ୍ୱ ଉଠୁଛି, ଲୋକସଭା ବାଚସ୍ପତି ଭାବେ ଓମ୍ ବିର୍ଲା ପୁ଼୍ଣି ଥରେ ପଦ ସମ୍ଭାଳିବେ ନା ଆଉ କିଏ। କାରଣ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଅଧିକାଂଶ ପୁରୁଣା ମୁହଁକୁ ରିପିଟ୍ ସହ ବିଭାଗ ବି ଅପିରବର୍ତ୍ତିତ ରହିଛି। ସହଯୋଗୀ ଦଳଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠନ ସତ୍ତ୍ୱେ ଗୃହ, ଅର୍ଥ, ପ୍ରତିରକ୍ଷା, ରେଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟକୁ ପାଖରେ ରଖିଲା ବିଜେପି। ଯଦି ଓମ୍ ବିର୍ଲାଙ୍କୁ ଆଉ ଥରେ ବାଚସ୍ପତି ପଦର ଭାର ମୋଦି ଦେବେନି, ତାହେଲେ ବିର୍ଲାଙ୍କ ବଦଳରେ ଯାହାଙ୍କ ନାଁ ଅଧିକ ଚର୍ଚ୍ଚା ହେଉଛି ସେ ହେଉଛନ୍ତି ଡି.ପୁରନ୍ଦେଶ୍ୱରୀ।

ଜୁନ୍ ୨୦ ସୁଦ୍ଧା ବାଚସ୍ପତି ଚୟନ ପରେ ଜୁନ୍ ୨୨ରେ ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୁନ୍ ୨୨ରେ ବି କାମଚଳା ବାଚସ୍ପତିଙ୍କୁ ଶପଥ ପାଠ କରାଇବେ ରାଷ୍ଟ୍ରପତି। କେ. ସୁରେଶ ପ୍ରୋଟେମ୍ ସ୍ପିକର ହୋଇପାରନ୍ତି। କେରଳ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅଛନ୍ତି କେ.ସୁରେଶ। ଡି.ପୁରନ୍ଦେଶ୍ୱରୀ ହେଉଛନ୍ତି ଟିଡିପି ପ୍ରତିଷ୍ଠାତା ଏନଟି ରାମାରାଓଙ୍କ ଝିଅ। ଆନ୍ଧ୍ରପ୍ରଦେଶ ବିଜେପିର ରାଜ୍ୟ ସଭାପତି ଅଛନ୍ତି ପୁରନ୍ଦେଶ୍ୱରୀ। ୨୦୦୯ରେ ମାନବସମ୍ୱଳ ମନ୍ତ୍ରୀ ଓ ୨୦୧୨ରେ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଥିଲେ। ସମ୍ୱିଧାନର ଧାରା ୯୩ ଅନୁସାରେ ସଂସଦର ନୂଆ ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତି ପଦ ଖାଲି ହେବ। ଜଣେ କାମଚଳା ବାଚସ୍ପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେବେ। ଯିଏ ବିଜୟୀ ସାଂସଦଙ୍କୁ ଗୃହରେ ଶପଥପାଠ କରାଇବେ। ଏହା ପରେ ଗୃହରେ ସଂଖ୍ୟାଗରିଷ୍ଠତା ଆଧାରରେ ବାଚସ୍ପତି ଚୟନ ହୁଏ।

ମୋଦିଙ୍କ ପ୍ରଥମ ପାଳିରେ ସୁମିତ୍ରା ମହାଜନ ଓ ଦ୍ୱିତୀୟ ପାଳିରେ ଓମ୍‌ ବିର୍ଲା ଏହି ମର୍ଯ୍ୟାଦାଜନକ ପଦ ସମ୍ଭାଳିଥିଲେ। ଏମିତିରେ କୋଟାରୁ ଓମ୍ ବିର୍ଲା ୪୧ହଜାର ଭୋଟ ବ୍ୟବଧାନରେ ଏଥର ଜିତିଛନ୍ତି। ବେଶ୍ ଅନୁଭବୀ ନେତା ଅଟନ୍ତି ବିର୍ଲା। କିଛି ବର୍ଷ ହେଲା ବିଭିନ୍ନ ଦଳ ଭିତରେ ବିଦ୍ରୋହର ନଜିର ରହିଆସିଛି। ବିଦ୍ରୋହୀ ବିଧାୟକ ଓ ସାଂସଦ ଦଳବଦଳ କଲେ ବି ସୁରକ୍ଷିତ ରହୁଛନ୍ତି। ସେମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ହେଉନି। ଲୋକସଭାରେ ସମ୍ଭାବ୍ୟ ସମଦଶା ଭୋଗିବା ପୂର୍ବରୁ ଉଭୟ ଟିଡିପି ଓ ଜେଡିୟୁ ସେଥିଲାଗି ବାଚସ୍ପତି ପଦକୁ ଆଖେଇଛନ୍ତି। ବାଚସ୍ପତି ପଦ ପାଖରେ ରହିଲେ, ଦଳବଦଳକାରୀଙ୍କୁ ଅଯୋଗ୍ୟ ଘୋଷଣା ସହ ଦଳରେ ସମ୍ଭାବ୍ୟ ବିଭାଜନକୁ ରୋକିପାରିବେ। ତୃତୀୟ ପାଳିରେ କିଙ୍ଗମେକର ଭୂମିକାରେ ଥିବା ନାଇଡୁ ଓ ନୀତିଶ ନିଜକୁ କୌଣସି ପରିସ୍ଥିତିରେ ଅସହାୟ ହେବାକୁ ଚାହାନ୍ତିନି।

ବ୍ୟୁରୋ ଇନପୁଟ୍ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Leave a Reply

Your email address will not be published. Required fields are marked *