ଢେଙ୍କାନାଳରେ ବଢ଼ିବାରେ ଲାଗିଛି କିଡ଼ନୀ ରୋଗୀଙ୍କ ସଂଖ୍ୟା

ଢେଙ୍କାନାଳ ଜିଲ୍ଲା ପାଲଟିଛି କିଡ଼ନୀ ରୋଗର ରାଜଧାନୀ। ଦିନକୁ ଦିନ ବଢ଼ିବାରେ ଲାଗିଛି କିଡ଼ନୀ ରୋଗୀଙ୍କ ସଂଖ୍ୟା। ନଦୀ କୂଳିଆ ଅଂଚଳରେ ଏହାର ବ୍ୟାପକତା ଏବଂ ଭୟାବହତା ସର୍ବାଧିକ ରହିଛି। କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ବ୍ଲକ ରୋଡ଼ ଗାଁରେ ଏବେ ଜୀବନ ମରଣ ସହିତ ଲଢୁଛନ୍ତି କିଡ଼ନୀ ରୋଗରେ ପୀଡିତ ଯୁବକ। ଯେଉଁ ବୟସରେ ପରିବାରର ସାହାରା ହେବା କଥା ଆଜି ସମ୍ପୂର୍ଣ୍ଣ ଅକ୍ଷମ ପରିବାର ତାଙ୍କୁ ସାହା ହୋଇଛି। ଗାଁର ୩୯ ବର୍ଷୀୟ ଯୁବକ ସଞ୍ଜୟ ବାରିକ। ଦିନେ ଫାଷ୍ଟ ଫୁଡ ଦୋକାନ କରି ନିଜର ପରିବାର ଗୁଜୁରାଣ ମେଣ୍ଟାଉଥିଲେ। କିଡ଼ନୀ ରୋଗ ତାଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛି। ହେଲେ ବାପା ମାଆ ଛେଉଣ୍ଡ ସଞ୍ଜୟ ଏବେ ରୋଡ଼ ଗାଁରେ ଶ୍ଵଶୁର ଘରେ ୭ ବର୍ଷ ହେବ ରହି ଆସୁଛନ୍ତି। ସଞ୍ଜୟଙ୍କ ସ୍ତ୍ରୀ ସୁନିତା ବାରିକ ଏବଂ ୬ ବର୍ଷର କୁନି ପୁଅକୁ ଧରି ଏବେ ବାର ଦୁଆର ହୋଇ ବୁଲିବାକୁ ପଡୁଛି। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା BSKY କାର୍ଡରୁ ଟଙ୍କା ଶେଷ ହୋଇଯାଇଛି। ଏପରିକି ଭୁବନେଶ୍ୱର ଯିବା ପାଇଁ ହାତରେ ଗୋଟିଏ ବି ଟଙ୍କା ନାହିଁ। ଆଉ ଗୋଟିଏ ପଟେ ସଞ୍ଜୟଙ୍କ କିଡ଼ନୀ ଖରାପ ସାଙ୍ଗକୁ ଲିଭର ପ୍ରୋବ୍ଲେମ ଜୀବନକୁ ଜଟିଳ କରି ଦେଇଛି।

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ଏବେ ଘାତକ ହେବାରେ ଲାଗିଛି କିଡ଼ନୀ ରୋଗ। ଗୋଟିଏ ଗୋଟିଏ ଗାଁ ସମ୍ପୂର୍ଣ୍ଣ କିଡ଼ନୀ ରୋଗର ଗାଁ ଭାବେ ସାମ୍ନାକୁ ଆସିଛି। ଆଜିବି ଶହ ଶହ ରୋଗୀ ଜୀବନ ମରଣ ସହିତ କାଳ କାଟୁଛନ୍ତି। ସଞ୍ଜୟଙ୍କ ପରି ଅନେକ ଯୁବକ ମରଣ ଶଯ୍ୟାରେ ପଡି ରହିଛନ୍ତି। ସେମାନଙ୍କ ପାଇଁ ଡାଏଲିସିସ ଚିକିତ୍ସା ଏକ ମାଧ୍ୟମ ଥିବା ବେଳେ ସେମାନେ ଡାକ୍ତରଖାନାକୁ ଯାଇ ଚିକିତ୍ସା କରାଇବା ପାଇଁ ଆର୍ଥିକ ଅବସ୍ଥା ସେତେ ସ୍ଵଚ୍ଛଳ ନାହିଁ। ସମ୍ପୂର୍ଣ୍ଣ  ପରିବେଶ ଏବେ ପ୍ରଦୂଷିତ ହେବା ସହ ଜଳ ପ୍ରଦୂଷଣ ବ୍ୟାପକ ହୋଇଛି। ବ୍ରାହ୍ମଣୀ ଓ ରାମିଆଳ ନଦୀ ପ୍ରଦୂଷଣର ହବ ପାଲଟିଛି। ତେବେ ଯନ୍ତ୍ରଣା ଜର୍ଜରିତ ଜୀବନ ବିତାଉଥିବା ସଞ୍ଜୟଙ୍କ ପାଇଁ ସରକାରୀ ସହାୟତା ଏକାନ୍ତ ଲୋଡ଼ା ହୋଇ ପଡିଛି। ଯାହାକୁ ନେଇ ସ୍ଥାନୀୟ ସରପଞ୍ଚ ମଧ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏଥିସହିତ କିଡ଼ନୀ ଜନିତ ସମସ୍ୟା ଏବଂ ଚିକିତ୍ସା ସହ ସତର୍କତା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ।

ଶଯ୍ୟାଶାୟୀ ସଞ୍ଜୟଙ୍କୁ ଆର୍ଥିକ ସହାୟତା ସହ କିଡ଼ନୀ ରୋଗର ରାଜଧାନୀ ପାଲଟିଥିବା ଢେଙ୍କାନାଳକୁ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଗଲେ ଅନେକ ନିରୀହ ନିଷ୍ପାପ ଜୀବନ ବଞ୍ଚି ପାରିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *