khandagiri

  • ଖଣ୍ଡଗିରି ଓ ଉଦୟଗିରି ରାସ୍ତାରେ ଆଉ ଗଡିବନି ଗାଡି

    () ସରକାରଙ୍କୁ ଘାରିଛି ଖଣ୍ଡଗିରି ଓ ଉଦୟଗିରି ଚିନ୍ତା l ସୁରକ୍ଷାରେ ଅବହେଳା ଯୋଗୁଁ ବଢ଼ୁଛି ବିପଦ l ଖଣ୍ଡଗିରି ଓ ଉଦୟଗିରି ରାସ୍ତାରେ ଗାଡ଼ି ଚଳାଚଳକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଛି ପ୍ରଶାସନ l ଏଣିକି ଏହି ରାସ୍ତାରେ ଆଉ ଗଡିବନି ଗାଡି l କେବଳ ଭାରି ଯାନ ନୁହେଁ ବରଂ ମୋଟର ସାଇକେଲର ଯାତାୟାତକୁ ମଧ୍ୟ ବାରଣ କରାଯାଇଛି l ସମଗ୍ର ଅଞ୍ଚଳ ଭାରତୀୟ ପ୍ରତ୍ନତତ୍ତ୍ଵବିତ ବିଭାଗ ଅଧୀନରେ ଥିବା ବେଳେ ବର୍ତ୍ତମାନ ଏହାକୁ ଭାରତୀୟ ପ୍ରତ୍ନତତ୍ତ୍ଵବିତ ବିଭାଗ ଦ୍ଵାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି l

    ଖଣ୍ଡଗିରି ଓ ଉଦୟଗିରି ଉଭୟ ଓଡ଼ିଶା ଐତିହର ମୁକସାକ୍ଷୀ l ଏହି ଗୁମ୍ଫା ଗୁଡିକର ସୁରକ୍ଷା ସରକାରଙ୍କ ଦାୟିତ୍ଵ l ସରକାରଂକ ପକ୍ଷରୁ ଏହାର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ମଧ୍ୟ କରାଯାଉଛି l ଚଳିତ ବର୍ଷ ଖଣ୍ଡଗିରି ମେଳା ସରିବା ପରେ ବ୍ୟାରିକେଟଗୁଡ଼ିକୁ ପୁନଃ ସ୍ଥାପିତ କରାଯାଇନଥିଲା । ଫଳରେ ସେହି ରାସ୍ତା ଦେଇ ଭାରି ଯାନ ଯାତାୟାତ ଯୋଗୁଁ ରାସ୍ତା ଖରାପ ହେବାକୁ ଲାଗିଲାଣି  l ଏସବୁକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ଏପରି ନିଷ୍ପତ୍ତି ନେଇ ଏଠାରେ ସମ୍ପୂର୍ଣ ରୂପେ ଯାତାୟାତ ଅଚଳ କରିଛନ୍ତି । ବିଏମସି ମଧ୍ୟ ଏଥିପାଇ ସହଯୋଗର ହାତ ବଢ଼ାଇଛି ।

    ସେପଟେ ଏହାକୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମତ ରଖିଛନ୍ତି ଗବେଷକ l ଖଣ୍ଡଗିରି ପାଇଁ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ରହିଛି । ଏହାକୁ କ୍ଷତି ପହଞ୍ଚିଲେ ସାର ଓଡ଼ିଶାର ଐତିହ୍ୟରେ ଦାଗ ଲାଗିବ । ତେଣୁ ଖଣ୍ଡଗିରି ଗୁମ୍ଫାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଯାହା ନିଷ୍ପତ୍ତି ନେଇଛ ତାହା ସ୍ବାଗତଯୋଗ୍ୟ l ଅପରପକ୍ଷେ ସ୍ଥାନୀୟ ଲୋକ ଓ ବ୍ୟବସାୟୀ ଏହାକୁ ବିରୋଧ କରିଛନ୍ତି l ସ୍ଥାନୀୟ ଲୋକଙ୍କ ମତ ଅନୁଯାୟୀ ଏହା ପ୍ରାୟ 2 ହଜାର ବର୍ଷ ପୁରୁଣା । ଏତେ ବର୍ଷ ଧରି ଏଥିରେ କୌଣସି କ୍ଷତି ପହଂଚି ନାହିଁ ବର୍ତ୍ତମାନ ମଧ୍ୟ କୌଣସି ସମସ୍ୟା ନାହିଁ l ସରକାରଂକ ଏପରି ନିଷ୍ପତ୍ତି ଦ୍ଵାରା ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା କମୁଚି ଓ ଏହି ରାସ୍ତାଟି ଆମ୍ରି ଓ ସମ୍ ହସ୍ପିଟାଲ୍ ସହ ସଂଯୋଗ ଥିବାରୁ ଏହା ବନ୍ଦ ହେବା ଦ୍ଵାରା ଅଧିକ ରାସ୍ତା ବୁଲିକି ଯିବାକୁ ପଡୁଛି  ବୋଲି ମତ ରଖିଛନ୍ତି ଲୋକେ ।

    ତେବେ ଏପରି ପରିସ୍ଥିତିରେ ଏହି ଗମନାଗମନ ବ୍ୟବସ୍ଥାକୁ ସରକାର କେତେଦିନ ପର୍ଯ୍ୟନ୍ତ ରୋକ ଲଗାଇ ପାରିବେ ତାହା ଦେଖିବା ବାକି ରହିଲା l

    ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

  • ମନ୍ତ୍ରଧ୍ବନିରେ ପ୍ରକମ୍ପିତ ଖଣ୍ଡଗିରି

    () ଐତିହ୍ୟ ଖଣ୍ଡଗିରି ପାହାଡ଼ରେ ପ୍ରସିଦ୍ଧ ନବଦିନାତ୍ମକ କୁମ୍ଭମେଳା ଶନିବାରଠୁ ଆରମ୍ଭ ହୋଇଛି। ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ଭଜନକୀର୍ତ୍ତନରେ ପୁରା ଅଞ୍ଚଳ ଆଧ୍ୟାତ୍ମିକତାରେ ଗୁଞ୍ଜରିତ ହେଉଛି। ସେପଟେ ୩୦ ରୁ ଜମିବ ଯାତ୍ରା ଲଢ଼େଇ। ଏଥର କୋଭିଡ୍ ଗାଇଡଲାଇନ ସହ ଯାତ୍ରାରେ ଅଶ୍ଳୀଳତାକୁ ନା ଆଧାରରେ ୯ ଦିନ ଧରି ତପୋଭୂମି କମ୍ପିବ।

    ପବିତ୍ର ମାଘସପ୍ତମୀରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। କିମ୍ୱଦନ୍ତୀ ଅନୁସାରେ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା କୂଳରେ ବୁଡ଼ ପକାଇ ସୂର୍ଯ୍ୟ ଉପାସନା ଲାଗି ଶ୍ରୀକୃଷ୍ଣଙ୍କ ପୁତ୍ର କୁଷ୍ଠ ବ୍ୟାଧିରୁ ମୁକ୍ତି ପାଇଥିଲେ। ଏହି ଉପାସନା ବ୍ରତ ଭିତରେ ସେ ଖଣ୍ଡଗିରିରେ କିଛିଦିନ ଅବସ୍ଥାନ କରିଥିବାର କଥାବସ୍ତୁର ପୃଷ୍ଠଭୂମିରୁ ଖଣ୍ଡଗିରୁ ମେଳାର ଆରମ୍ଭ ବୋଲି କୁହାଯାଏ। ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟର ପ୍ରଥମ ରଶ୍ମି ଉଦୟଗିରିରେ ଝଲସି ଉଠୁଥିଲା। କୁମ୍ଭମେଳା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳିଛି। ପାହାଡ଼ ତଳେ ମେଳା, ବଜାର ସହ ୩୦ରୁ ଯାତ୍ରା ମହାସମରର ମଜ୍ଜା ନେବେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। ଦୂର ଦୂରାନ୍ତରୁ ଆସିଥିବା ସାଧୁସନ୍ଥ ଆସ୍ଥାନ ଜମେଇ ସାରିଛନ୍ତି। ଯଜ୍ଞକୁଣ୍ଡ ସ୍ଥାପନ ସହ ଆନୁସଙ୍ଗିକ ବନ୍ଦୋବସ୍ତ କାମକୁ ସନ୍ୟାସୀ ସମ୍ପନ୍ନ କରିଛନ୍ତି।

    ପବିତ୍ର ଗୁପ୍ତଗଙ୍ଗା ଓ ଆକାଶଗଙ୍ଗାରେ ସାଧୁ ରହିଛନ୍ତି। କାଶୀ, ହରିଦ୍ୱାରରୁ ଆସିଥିବା ଷ୍ଟାଣ୍ଡିଂ ବାବା, ରୁଦ୍ରାକ୍ଷ ବାବା, ଡାକ୍ତର ବାବା, ଜଟିଆ ବାବା ତପସ୍ୟା ଆରମ୍ଭ କରିସାରିଲେଣି। ଅନେକ ବିଦେଶୀ ଭକ୍ତଙ୍କୁ ବି ବାବାଙ୍କ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳିଛି। ବିଏମସି ପକ୍ଷରୁ ଅନୁମତି ପାଇବା ପରେ ବ୍ୟବସାୟୀ ଷ୍ଟଲ ପକାଇଛନ୍ତି। ୨୫୦ରୁ ଅଧିକ ଷ୍ଟଲ୍ ରେ କିଣାବିକା ଜମିବ ଏଥର। ଖଣ୍ଡଗିରି ମେଳାର ଅନ୍ୟତମ ଆକର୍ଷଣ ରାମଦୋଳି, ବ୍ରେକ୍ ଡ୍ୟାନ୍ସ, ଡ୍ରାଗନ୍, ମିକି ମାଉସ୍ ଭଳି ଦୋଳି ପ୍ରସ୍ତୁତ। ଆଉ ୩୦ ତାରିଖରୁ ୬ଟି ପେଣ୍ଡାଲରେ ଯାତ୍ରା ମହାସମର ଆରମ୍ଭ ହେବ। ମଞ୍ଚ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ। ମହାମାରୀ ଲାଗି ଦୁଇ ବର୍ଷର କଟକଣା ପରେ ପୁଣିଥରେ ମାଘ ମେଳାରେ ଜମିବ ଯାତ୍ରା କଳାକାରଙ୍କ ମନମତାଣିଆ ସଂଳାପ। ତେବେ ଏଥର ଯାତ୍ରାରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବନି ବୋଲି ସ୍ପଷ୍ଟ କରିଦିଆଯାଇଛି।

    ସେପଟେ ଖଣ୍ଡଗିରି ମେଳାକୁ ଶୃଙ୍ଖଳିତ କରିବାକୁ ପୁଲିସ ବି ବ୍ୟାପକ ବନ୍ଦୋବସ୍ତ କରିଛି। ପାର୍କିଂରୁ ନେଇ ଭିଡ଼ ନିୟନ୍ତ୍ରଣ। ପକେଟମାର୍, ଛିନତାଇକୁ ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ହୋଇଛି। ସିସିଟିଭି ସ୍କାନରରେ ରହିବ ପୁରା ମେଳା।

    ଗିରି ଗହ୍ୱରରେ ଜପତପ ଆରମ୍ଭ ହୋଇଛି। ସାଧୁସନ୍ଥଙ୍କ ତପସ୍ୟା, ଯଜ୍ଞ ଓ ମନ୍ତ୍ରଧ୍ୱନିରେ କେବଳ ଗୁଞ୍ଜରିତ ହେଉନି ତପୋଭୂମି। ତା ସହ ମେଳା, ବଜାର ବୁଲିବାର ଆନନ୍ଦ ସହ ୩୦ରୁ ଯାତ୍ରା ଦେଖି ଉଲ୍ଲସିତ ହେବେ ଲୋକେ। ଦୀର୍ଘ ୪୧ ବର୍ଷ ଧରି ବାରଭୂଜା ପୀଠରେ ନବରାତ୍ର କୁମ୍ଭମେଳାରେ ଦୈନିକ ୫୦ ହଜାରରୁ ବେଶୀ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ନାଗାସାଧୁଙ୍କ ସମେତ ଶତାଧିକ ସନ୍ୟାସୀଙ୍କ ସମାବେଶ ଭିନ୍ନ ପରିବେଶ ସୃଷ୍ଟି କରିଛି ମାଘସପ୍ତମୀ ଆରମ୍ଭରୁ। ପୂର୍ଣ୍ଣିମାରେ ପୂର୍ଣ୍ଣାହୁତି ପଡ଼ିବ କୁମ୍ଭମେଳାର।

    ଅକ୍ଷୟ ମହାରଣା, ସ୍ୱରୂପା ମହାପାତ୍ର ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ଶନିବାରରୁ ଜମିବ ଖଣ୍ଡଗିରି ମେଳା

    () ଶନିବାର ଠୁ ଜମିବ ଖଣ୍ଡଗିରି ମେଳା। ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଝଲସିବ ଖଣ୍ଡଗିରି ଯାତ୍ରା। ମାଘ ସପ୍ତମୀରୁ ଏହି ଯାତ୍ରା ଅନୁଷ୍ଠିତ ହେବ। ବହୁ ଦୂରଦୂରାନ୍ତରୁ ଏହି ଯାତ୍ରା ଦେଖିବାକୁ ଦର୍ଶକ ବା ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି ଖଣ୍ଡଗିରିକୁ। ଏବେ ଠାରୁ ଅନେକ ସାଧୁସନ୍ଥଙ୍କ ଭିଡ଼ ଦେଖିବାକୁ ମିଳିଲାଣି ।

    ଆସନ୍ତାକାଲି ମାଘ ସପ୍ତମୀ । ଆରମ୍ଭ ହେବା ବହୁ ପ୍ରତିକ୍ଷୀତ ଖଣ୍ଡଗିରି ମେଳା। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥଙ୍କ ସମାଗମ ହେଲାଣି। ସେଠାରେ ପହଞ୍ଚିବା ପରେ ସାଧୁ ସନ୍ଥ ଯଜ୍ଞ କୁଣ୍ଡ ମଧ୍ୟ ପ୍ରସ୍ତୁତ କଲେଣି। ଆସନ୍ତାକାଲି ଠୁ ଫେବୃଆରୀ ୬ପର୍ଯ୍ୟନ୍ତ ଚାଲିବ ହୋମ ଯଜ୍ଞ। ମାତ୍ର ମେଳା ଓ ଯାତ୍ରା ଫେବୃଆରୀ୧୦ ଯାଏଁ ଚାଲିବ। ତେବେ କରୋନା କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ଚଳିତ ବର୍ଷ ଖଣ୍ଡଗିରି ମାଘ ମେଳା ଆରମ୍ଭ ହୋଇଛି। ପୁରା ପରିବେଶ ଏବେ ଉତ୍ସବମୁଖର।

    ଅପରପକ୍ଷେ ଖଣ୍ଡଗିରି ମେଳା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ବିଏମସି ଏବଂ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।  ମେଳାରେ ଯେମିତି କୌଣସି ତ୍ରୁଟି ନରୁହେ ସେଥିପ୍ରତି ଧ୍ୟାନ ଦେଇଛନ୍ତି ଆୟୋଜକ। ବାବାଙ୍କ ବିଶୃଙ୍ଖଳିତ ଆଚରଣ ପ୍ରତି ମଧ୍ୟ ଧ୍ୟାନ ଦେବ ଆୟୋଜକ ମଣ୍ଡଳୀ। ମେଳା 8 ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ଥିବାବେଳେ ଯାତ୍ରାକୁ ନେଇ ବି ପ୍ରସ୍ତୁତ ଅଛନ୍ତି ଯାତ୍ରା କମିଟି। ୫ଟି ମଞ୍ଚରେ ୧୦ ଅପେରାଦଳ ସେମାନଙ୍କର ଦମଦାର ପ୍ରଦର୍ଶନ କରିବେ। ଆସନ୍ତା ୩୦ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର। ତେବେ ବିଏମସି ପକ୍ଷରୁ ଜାରି ଗାଇଡଲାଇନକୁ ଧ୍ୟାନରେ ରଖି ଯାତ୍ରା କରାଯିବ ବୋଲି କହିଛନ୍ତି ଆୟୋଜକ ମଣ୍ଡଳୀ। ତେବେ ଅଶ୍ଲୀଳତା ତଥା ନଗ୍ନ ନାଚ କଲେ ସେହି କମିଟିର ଲାଇସେନସ ରଦ୍ଧ ହେବ ବୋଲି କହିଛନ୍ତି କମିଟି ମୁଖ୍ୟ।

    ଦୁଇ ବର୍ଷର କୋଭିଡ କଟକଣା ପରେ ଏଥର ମାଘ  ମେଳାରେ ଜମିବ ଯାତ୍ରା କଳାକାରଙ୍କ ମନମତାଣିଆ ସଂଳାପ। ଏହାସହ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସ୍ବତନ୍ତ୍ର ପଦକ୍ଷେପ ନେଉଛି।

    ଅକ୍ଷୟଙ୍କ ରିପୋର୍ଟ…..

Back to top button