NATIONAL

  • ଭାରତର ସୀମା ଡେଇଁଲେ ଓଡ଼ିଆ ବୋହୂ, ପାକିସ୍ତାନୀ ପ୍ରେମିକଙ୍କ ପ୍ରେମରେ ଛାଡିଲେ ସ୍ୱାମୀଘର

    ପାକିସ୍ତାନୀ ମହିଳା ସୀମା ହାଇଦର ଯେଉଁଭଳି ପବ୍‌ଜି ଆପରେ ଖେଳି ସୀମାପାର ହୋଇ ଭାରତ ପହଞ୍ଚି ଯାଇଥିଲେ ସେଭଳି ଘଟଣା ଏବେ ଭାରତର ଅଞ୍ଜୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଫେସ୍‌ବୁକ୍‌ ବନ୍ଧୁଙ୍କ ପ୍ରେମରେ ପଡ଼ି ରାଜସ୍ଥାନର ଭିୱାଡ଼ି ଜିଲ୍ଲାରେ ରହୁଥିବା ଅଞ୍ଜୁ ଫେସ୍‌ବୁକ ପ୍ରେମିକଙ୍କୁ ଭେଟିବା ପାଇଁ ପାକିସ୍ତାନରେ ପହଞ୍ଚିଯାଇଛନ୍ତି। ପ୍ରେମୀ ନସ୍‌ରୁଲ୍ଲାହଙ୍କ ସହ ଏବେ ଅଞ୍ଜୁ ପାକିସ୍ତାନର ଖୈବର ପଙ୍ଖତୁନଖ୍ବାରେ ରହିଥିବା ଜଣାପଡ଼ିଛି।
    ସେଠାରେ ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଥିବା ନସରୁଲ୍ଲାଙ୍କ ସହିତ ରହିବା ପାଇଁ ଅଞ୍ଜୁ ନିଷ୍ପତ୍ତି ନେଇସାରିଛନ୍ତି। ଅଞ୍ଜୁଙ୍କ ଭିସା ସଂପର୍କରେ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଅଞ୍ଜୁଙ୍କ ପାକିସ୍ତାନ ଯାତ୍ରା ପାଇଁ ମେ ୪ରେ ପାକିସ୍ତାନ ଦ୍ବାରା ଭିସା ଜାରି ହୋଇଥିଲା। ଏହି ଭିସାର ଅବଧି ୯୦ ଦିନ ରହିଛି ଏବଂ ସେ ୱାଘା ବୋର୍ଡର ଦେଇ ପାକିସ୍ତାନରେ ପ୍ରବେଶ କରିଛନ୍ତି।

    ଅଞ୍ଜୁ କହିଛନ୍ତି ସେ ନସରୁଲ୍ଲାଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କୁ ଛାଡ଼ି ରହିପାରିବେ ନାହିଁ। ଅନ୍ୟପକ୍ଷରେ ଅଞ୍ଜୁ ତାଙ୍କ ପରିବାରକୁ ମିଛ କହି ଘର ଛାଡ଼ିଥିବା ଜଣାପଡ଼ିଛି। ସେ ତାଙ୍କ ସ୍ବାମୀ ଅରବିନ୍ଦଙ୍କୁ କହିଥିଲେ ଯେ କୌଣସି ବନ୍ଧୁଙ୍କୁ ଭେଟିବା ପାଇଁ ଜୟପୁର ଯାଉଛନ୍ତି। ପରେ ଅରବିନ୍ଦ ଜାଣିପାରିଥିଲେ ଯେ ତାଙ୍କ ପତ୍ନୀ ସୀମା ଅତିକ୍ରମ କରି ପାକିସ୍ତାନୀ ପ୍ରେମିକଙ୍କ ପାଖକୁ ପଳାଇଛନ୍ତି।

  • ମଣିପୁର ଉତ୍ତେଜନା, ମହିଳାଙ୍କୁ ଵିଵସ୍ତ୍ର କରି ବୁଲାଇ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ଘର ପୋଡିଦେଲେ

    ମଣିପୁରରେ ‘କୁକି-ଜୋମି’ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଉତ୍ତ୍ୟକ୍ତ ଜନତା ଗୁରୁବାର ଅପରାହ୍ଣରେ ପୋଡ଼ି ପକାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

    ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଖବର ମିଳିବା ପରେ ପରେ ବହୁସଂଖ୍ୟକ ଉତ୍ତ୍ୟକ୍ତ ଜନତା ମଣିପୁର ରାଜ୍ୟର ଥୌବାଲ୍‌ ଜିଲ୍ଲା ଅନ୍ତର୍ଗତ ୟାଇରୀପୋକ୍‌ ଗ୍ରାମରେ ଏକତ୍ର ହେଲେ। ତା’ପରେ ସେମାନେ ମୁଖ୍ୟ ଅଭିଯୁକ୍ତ ହୁଇରେମ୍‌ ହେରୋଦାସ ମୈତେଈଙ୍କ ଘରେ ନିଆଁ ଲଗାଇ ଦେଲେ। କିନ୍ତୁ, ବରିଷ୍ଠ ପୁଲିସ ଅଧିକାରୀମାନେ ବିଳମ୍ବିତ ରାତ୍ରରେ ଏ କଥା ସୁନିଶ୍ଚିତ କରିଥିଲେ। ସମ୍ପ୍ରତି ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ଘରପୋଡ଼ି ଘଟଣାର ତଦନ୍ତ କରୁଛି।

    ପୁଲିସ ସୂଚନା ଅନୁସାରେ ଉକ୍ତ ଅମାନବୀୟ ଭିଡିଓ କାଣ୍ଡରେ ସମ୍ପୃକ୍ତ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

  • ଅତି ସଫଳତାର ସହ ବଢୁଛି ଚନ୍ଦ୍ରଯାନ-୩, ଯାହା କେହି କରିପାରିନାହାନ୍ତି ତାହା ଇସ୍ରୋ କରି ଦେଖାଇବ

    ଅତି ସଫଳତାର ସହ ଆଗକୁ ବଢୁଛି ଚନ୍ଦ୍ରଯାନ-୩ । ତେବେ ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରର ଆଉ ଏକ ପାଦ ନିକଟତର ହୋଇଛି | ଏହା ତା’ର ୪ର୍ଥ କକ୍ଷପଥ-ରେଜିଙ୍ଗ ମନିଭର ସଫଳତାର ସହ ସମ୍ପନ୍ନ କରିଛି | ଏହା ପରେ ୨୫ ଜୁଲାଇରେ ପରବର୍ତୀ ଫାୟାରିଂ ହେବ ବୋଲି ଇସ୍ରୋ ଟୁଇଟ କରି ସୂଚନା ଦେଇଛି | ଭାରତ ଦ୍ୱିତୀୟ ଥର ପାଇଁ ଚନ୍ଦ୍ରର ପୃଷ୍ଠରେ ଏହାକୁ ଓହ୍ଲାଇବା ପାଇଁ ପ୍ରୟାସ କରିଛି । ଏହି ଚନ୍ଦ୍ରଯାନ-୩କୁ ଏହିଭଳି ସ୍ଥାନରେ ଲାଣ୍ଡିଂ ପାଇଁ ଉଦ୍ୟମ କରାଯାଉଛି ଯେଉଁଠି କେହି କେବେ ପହଞ୍ଚିବା ପାଇଁ ସାହାସ ବି କରିନାହାନ୍ତି । ବିଶ୍ୱର ୧୧ଟି ଦେଶ ଚନ୍ଦ୍ର ଅଭିମୁଖେ ସେମାନଙ୍କ ମିଶନ କରିଛନ୍ତି । ଯଦି ଭାରତ ଏଥିରେ ସଫଳ ହୁଏ ତେବେ ଦକ୍ଷିଣ ଧ୍ରୁବରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଓହ୍ଲାଇବାରେ ପ୍ରଥମ ଦେଶ ହେବ । ବିଶ୍ୱର ପ୍ରଥମ ସ୍ପେସ୍ ଏଜେନ୍ସି ଭାବେ ଇସ୍ରୋ ଏହି ସଫଳତା ପାଇବ । ଭାରତ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ସ୍ଥିତ ମ୍ୟାଜିନସ-ୟୁ କ୍ରେଟର ପାଖରେ ଚନ୍ଦ୍ରଯାନ-୩କୁ ଓହ୍ଲାଇବା ପାଇଁ ଲକ୍ଷ୍ୟ ରଖିଛି ।

    ଇସ୍ରୋ ମୁଖ୍ୟ ଡ. ଏସ ସୋମନାଥ ପ୍ରଥମରୁ କହିସାରିଛନ୍ତି ଯେ ଆମେ ଚନ୍ଦ୍ରଯାନ-୩କୁ ଦକ୍ଷିଣ ଧ୍ରୁବର ପାଖରେ ଓହ୍ଲାଇବୁ । ଏହାର କାରଣ ଏହା ଯେ ଦକ୍ଷିଣ ଧ୍ରୁବ ପାଖରେ ତାପମାତ୍ରା ମାଇନସ ୨ଶହ ଡିଗ୍ରୀ ସେଲସିୟସ । ସେଠାରେ ଆଲୋକ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନାହିଁ ।

  • ବ୍ରିଜ୍ ଭୂଷଣଙ୍କୁ ଆଶ୍ୱସ୍ତି, ମିଳିଲା ସର୍ତ୍ତମୂଳକ ଜାମିନ

    ଦିଲ୍ଲୀ କୋର୍ଟରୁ ମିଳିଲା ବ୍ରିଜ୍ ଭୂଷଣଙ୍କୁ ଆଶ୍ୱସ୍ତି । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟ ଅଭିଯୁକ୍ତ ବ୍ରିଜଭୂଷଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୨୫ ହଜାର ଟଙ୍କାର ନିଜ ମୁଚାଲିକା ରଖି କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ଜାମିନ ପ୍ରଦାନ ବେଳେ କୋର୍ଟ ସର୍ତ୍ତ ରଖିଛନ୍ତି କି କୋର୍ଟଙ୍କ ବିନା ଦିର୍ଦ୍ଦେଶରେ ବ୍ରିଜଭୂଷଣ ଦେଶ ବାହାରକୁ ଯାଇପାରିବେ ନାହିଁ । ଏହାସହ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ବ୍ରିଜଭୂଷଣଙ୍କୁ କୋର୍ଟ ସତର୍କ କରାଇଛନ୍ତି ।

     
  • ମଣିପୁର ଭିଡିଓ ଭାଇରାଲ ପ୍ରସଙ୍ଗ, ସୃଷ୍ଟି ହେଲା ଉଦ୍‌ବେଗ; ଭିଡିଓଟିକୁ ହଟାଇବାକୁ ନିର୍ଦ୍ଦେଶ

    ସୁଧୁରୁନି ମଣିପୁର ସ୍ଥିତି, ପୁଣିଥରେ ତେଜିଲା ବିବାଦ । ଗୋଟିଏ ସମ୍ପ୍ରଦାୟର ୨ ଜଣ ମହିଳାଙ୍କୁ ନିବସ୍ତ୍ର କରି ବିଚ୍ ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓଟି ୨ ମାସ ପୂର୍ବରୁ ଅର୍ଥାତ ମେ ୪ ତାରିଖର ହୋଇଥିବା ବେଳେ ବର୍ତ୍ତମାନ ଏହାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଭିଡିଓ ଭାଇରାଲ ପରେ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ନିଆଯାଇ ସାମାଜିକ ଗଣ ମାଧ୍ୟମରେ ଏହାକୁ ସେୟାର ନକରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଉକ୍ତ ଭିଡିଓଟିକୁ ହଟାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।


    ସେପଟେ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିଛନ୍ତି, ମଣିପୁରରେ ମହିଳାଙ୍କ ସହ ଯାହା ହେଲା ତାହାକୁ କେବେ ବି କ୍ଷମା କରାଯିବ ନାହିଁ । ମଣିପୁର ଘଟଣାକୁ ନେଇ ମୋର ହୃଦୟ ପୀଡା ଓ କ୍ରୋଧରେ ଭରି ଯାଉଛି । ଏହି ଘଟଣା ପାଇଁ ପୂରା ଦେଶକୁ ଲଜ୍ଜିତ ହେବାକୁ ପଡୁଛି । ଏଭଳି ଘଟଣାକୁ ସଭ୍ୟ ସମାଜ କେବେ ବି ଗ୍ରହଣ କରିବନି । ମୁଁ ଦେଶବାସୀଙ୍କୁ କଥା ଦେଉଛି, କୌଣସି ଦୋଷୀଙ୍କୁ ଛଡାଯିବନି । ଆଇନ ତା ବାଟରେ ନିଶ୍ଚୟ କାମ କରିବ ।
    ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ମଜବୁତ କରନ୍ତୁ । ଖାସକରି ମହିଳା ମାନଙ୍କ ସୁରକ୍ଷା ପାଇଁ କଠିନରୁ କଠିନ ପଦକ୍ଷେପ ନିଅନ୍ତୁ । ରାଜନୀତିରୁ ଉପରକୁ ଉଠି ମହିଳାଙ୍କ ସମ୍ମାନ ପ୍ରତି ଗୁରୁତ୍ୱ ଦିଅନ୍ତୁ । କୌଣସି ଦୋଷୀଙ୍କୁ ଛଡାଯିବନି । ଆଇନ ଅନୁଯାୟୀ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


    ଆହୁରି ମଧ୍ୟ ଘଟଣାକୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂ କଡା ନିନ୍ଦା କରିଛନ୍ତି । ଏହି ଘଟଣା ତାଙ୍କୁ ବେଶ ଆଘାତ ଦେଇଛି ଏବଂ ଏହାକୁ ଅମାନୁଷିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅମାନବୀୟ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏପରିକି ସେମାନଙ୍କୁ ମୃତ୍ୟୁଦଣ୍ଡ ପାଇଁ ଆବେଦନ କରାଯିବ ବୋଲି କହିଛନ୍ତି ବୀରେନ ସିଂ ।

  • ଗସ୍ତର ପ୍ରଥମ ଦିନରେ ହିଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ

    କାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସରେ ପହଞ୍ଚିଛନ୍ତି । ଫ୍ରାନ୍ସ ଗସ୍ତର ପ୍ରଥମ ଦିନରେ ହିଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫ୍ରାନ୍ସ ସର୍ବୋଚ୍ଚ ବେସାମରିକ ତଥା ସାମରିକ ସମ୍ମାନ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଲିଜନ୍ ଅଫ୍ ଅନର୍’ରେ ବିଭୂଷିତ କରାଯାଇଛି। ଗୁରୁବାର ରାତିରେ ‘ଏଲିଜି ପ୍ରାସାଦ’ରେ ଘରୋଇ ଭାବେ ଆୟୋଜନ କରିଥିବା ନୈଶ୍ୟ ଭୋଜିରେ ଫ୍ରାନ୍ସ୍ର ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।


    ପ୍ରଧାନମନ୍ତ୍ରୀ ମୋଦୀ ଏନେଇ ଟୁଇଟ୍ କରି ଲେଖିଛନ୍ତି: ଆଜି ସନ୍ଧ୍ୟାରେ ‘ଏଲିଜି ପ୍ରାସାଦ’ରେ ମୋତେ ଆପ୍ୟାୟିତ କରିଥିବାରୁ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ ଓ ଶ୍ରୀମତୀ ମାକ୍ରୋନଙ୍କୁ ଧନ୍ୟବାଦ ଜଣାଉଛି।


    ଏହି ସମ୍ମାନ ପାଇବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ।

  • ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର

    ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର କଲା ଦିଲ୍ଲୀ ପୋଲିସ । ଗୀତା କଲୋନୀ ପାଖ ଫ୍ଲାଏଓଭର ନିକଟରୁ ଖଣ୍ଡ ବିଖଣ୍ଡିତ ହୋଇ ପଡିଥିବା ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ଆଜି ସକାଳ ପ୍ରାୟ ୯.୧୫ ସମୟରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ମହିଳାଙ୍କ ଶରୀରର ବିଭିନ୍ନ ଅଂଶ ଓ ତାଙ୍କ ମୁଣ୍ଡ ଏଠି ସେଠି ବିଛାଡି ହୋଇ ଫ୍ଲାଏଓଭର ନିକଟରେ ପଡିଥିଲା । ଏନେଇ ପୋଲିସ ଟିମ୍ ଅଧିକ ତଦନ୍ତ ଆରମ୍ଭ କରିଛି । ଆହୁରି ମଧ୍ୟ ଫ୍ଲାଏଓଭର ପାଖ ଜଙ୍ଗଲରେ ମହିଳାଙ୍କ ଶରୀରର ଅନ୍ୟ ଅଂଶ ପାଇଁ ଛାନ୍‌ଭିନ୍ ଚଳାଇଛି ପୋଲିସ ।

  • ଅଗଷ୍ଟ ୨ରୁ “୩୭୦” ଶୁଣାଣି

    ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଅଗଷ୍ଟ ୨ ରୁ ଶୁଣାଣି ହେବ । ଏନେଇ ଅଗଷ୍ଟ ୨ରୁ ଦୈନନ୍ଦିନ ଶୁଣାଣି ହେବ ବୋଲି ସୁପ୍ରିମମୋର୍ଟ ରାୟ ଦେଇଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବେ ।

  • 68ତମ ଜାତୀୟ ଚ୍ଚଳଚିତ୍ର ପୁରସ୍କାର ପ୍ରଦାନ

    ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଜାତୀୟ ଚ୍ଚଳଚିତ୍ର-2022 ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଅପରାହ୍ନ 5ଟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଥିଲେ। ତେବେ ସଙ୍ଗୀତ ରଚନା ଚଳଚଚିତ୍ର ନିର୍ମାତା ବିଶାଲ ଭରଦ୍ୱାଜଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ। ବିଶାଲଙ୍କୁ ତାଙ୍କ ଗୀତ ‘ମରେଙ୍ଗେ ତୋ ୱେହିଁ ଯା କର୍’ ଡକ୍ୟୁମେଣ୍ଟାରୀ ଫିଲ୍ମ ‘1232 କେଏମ’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ମୋଷ୍ଟ ଫିଲ୍ମ ଫ୍ରେଣ୍ଡ୍ରଲି ପୁରସ୍କାର ମଧ୍ୟପ୍ରଦେଶ ମନ୍ତ୍ରୀ ଉଷା ଠାକୁରଙ୍କୁ ପ୍ରଦାନ କରାଯାଇଛି। ଚଳିଚିତ୍ରର ଅନେକ ଶ୍ରେଷ୍ଠ କଳାକାରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

  • ଅଶୋକ ସ୍ତମ୍ଭକୁ ନେଇ ଆରମ୍ଭ ହୋଇଛି ରାଜନୀତି

    ନୁଆ ସଂସଦ ଭବନର ଛାତ ଉପରେ ଉନ୍ମୋଚିତ ହୋଇଥିବା ଅଶୋକ ସ୍ତମ୍ଭକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀ ଅଭିଯୋଗ କରିଛନ୍ତି ମୂଳ ଅଶୋକ ସ୍ତମ୍ଭ ଓ ନୁଆ ଅଶୋକ ସ୍ତମ୍ଭ ମଧ୍ୟ୍ୟରେ ଅନେକ ଫରକ ଅଛି । ମୂଳ ଅଶୋକ ସ୍ତମ୍ଭ ରେ ସିଂହ ଗୁଡିକର ମୁହଁ ସେତିକି ଖୋଲିନି ବା ଭୟଙ୍କର ନୁହଁ ଯେତିକି ନୁଆ ଅଶୋକ ସ୍ତମ୍ଭରେ ରହିଛି । ନୁଆ ଅଶୋକ ସ୍ତମ୍ଭରେ ଥିବା ସିଂହ ଗୁଡିକ ହିଂସ୍ର ଦେଖାଯାଉଛନ୍ତି ବୋଲି ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି । ଟିଏମସି ସାଂସଦ ଜୱାହାର ସିରକାର କହିଛନ୍ତି ଯେ ନୁଆ ଅଶୋକ ସ୍ତମ୍ଭ ଆମ ଜାତୀୟ ପ୍ରତୀକ ପ୍ରତି ଅପମାନ । ମୂଳ ଅଶୋକ ସ୍ତମ୍ଭରେ ଥିବା ସିଂହ ମାନେ ଅନୁଶାସନ ପ୍ରିୟ ଓ ଆତ୍ମବିଶ୍ବାସ ଭାର ଦେଖାଯାଉଥିବା ବେଳେ ମୋଦୀଙ୍କ ଦ୍ବାରା ସଂସଦ ଭବନ ଉପରେ ନିର୍ମିତ ନୁଆ ଅଶୋକ ସ୍ତମ୍ଭର ସିଂହ ମାନେ ହିଂସ୍ର l

    ଅନାବଶ୍ୟକ ଭାବେ ଆକ୍ରମଣାତ୍ମକ ଓ ଅଂସଗତ ଦେଖାଯାଉଛନ୍ତି । ଏହାକୁ ତୁରନ୍ତ ବଦଲାଇବା ପାଇଁ ଦାବି କରାଯାଉଛି । ସେହିପରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଅଶୋକ ସ୍ତମ୍ଭର ଅଭଳି ପରିବର୍ତ୍ତନ ଜାତୀୟ ପ୍ରତୀକ ପ୍ରତି ଅପମାନ l ସେପଟେ ଐତିହାସିକ ମାନେ ଏହାକୁ ଖଣ୍ଡନ କରିଛନ୍ତି । କେନ୍ଦ୍ର ସରକାର ଯାହା କିଛି ନିଷ୍ପତ୍ତି ନେଉଛନ୍ତି ବିରୋଧୀ ଦଳ ଭାବରେ ନିଜର ବିରୋଧ ମନୋଭାବ ପୋଷଣ କରିବା ଏକ ସାଧାରଣ କଥା ହେଲାଣି ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button