ନଅ’ ଯାଏଁ ନିସ୍ତାର ନାହିଁ

Spread the love

ଭୁବନେଶ୍ବର: ୯ ତାରିଖ ଯାଏ ବର୍ଷାରୁ ନିସ୍ତାର ନାହିଁ।  ଦକ୍ଷିଣ ଓ ଉପକୂଳ ଜିଲ୍ଲାରେ ଛେଚିବ। ଦଶହରାକୁ ଯେମିତି ବର୍ଷା ପାଣିଚିଆ କରିଥିଲା, ଗଜଲକ୍ଷ୍ମୀ ପୂଜାକୁ ବି ସେମିତି ଭିଜାଇବ। ବର୍ଷା ସହ ବିଜୁଳି ଓ ବଜ୍ରପାତର ଆଶଙ୍କା ବି ରହିଛି। ଏଭଳି ସ୍ଥଳେ ଆଜି ଭସାଣୀ ବେଳେ ବି ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଲାଗି ପୁରୀରେ ଭସାଣି ଆଉ ଲଗାଣ ବର୍ଷା ଲାଗି ଜନଜୀବନ ବି ଅସ୍ତବ୍ୟସ୍ତ ହୋଇଗଲାଣି ଯେମିତି।

ଲାଗିଛି ଯେ ଛାଡ଼ୁନି। କଳାହାଣ୍ଡିଆ ମେଘ ଦିନ ତମାମ ଆକାଶରେ ଘୁରି ବୁଲୁଛି। ପ୍ରବଳ ବର୍ଷା ଲାଗି ଜନଜୀବନ ବି ବେହାଲ୍ ହୋଇଗଲାଣି। ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ଆକଳନ କହୁଛି, ଅନ୍ତତଃ କୁମାରପୂର୍ଣ୍ଣମୀ ଯାଏ ନିସ୍ତାର ନାହିଁ। ଦକ୍ଷିଣ ଓ ଉତ୍ତର, ଉପକୂଳ ଜିଲ୍ଲାରେ ଲାଗିରହିବ ବର୍ଷା। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ରାୟଗଡ଼ା, ଅନୁଗୁଳ, କୋରାପୁଟ ଓ ମାଲକାନଗିରିକୁ ୭ ତାରିଖ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

ସେପଟେ ଲଗାଣ ବର୍ଷା ହେତୁ ପୁରୀରେ ଆଜି ହେବାକୁ ଥିବା ଗୋଷାଣୀ ଭସାଣି ଉତ୍ସବକୁ ସ୍ଥଗିତ ରଖିଛି ପ୍ରଶାସନ। ରାଜଧାନୀରେ ଲଗାଣ ବର୍ଷା ଲାଗି ଲୋକଙ୍କ ଦୁର୍ଦଶା କହିଲେ ନ ସରେ। ଦଶହରା ଛୁଟି ପରେ ଅଫିସକୁ ଯିବା ଓ କର୍ମକ୍ଷେତ୍ରରୁ ଫେରିଲା ବେଳେ ବମିଖାଲରେ ଆଣ୍ଠୁଏ ପାଣିରେ ଲୋକଙ୍କୁ ଯିବାଆସିବା କରିବାକୁ ପଡ଼ିଥିଲା। ଦଶହରାକୁ ବର୍ଷା ପାଣିଚିଆ କରିଦେଇଥିଲା ବେଳେ ଲକ୍ଷ୍ମୀପୂଜା ବେଳକୁ ଶୁଖିଲା ପାଗ ରହିବ ବୋଲି ଆଶା ଥିଲା। ହେଲେ ପାଣିପାଗର ଆକଳନ ଦେଖି ଲୋକଙ୍କ ମନ ମରିଗଲାଣି କହିଲେ ଚଳେ।

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେଲାଣି। ୯ ତାରିଖ ଯାଏ ଲଗାଣ ବର୍ଷା ଜାରି ରହିବ। ୧୦ ତାରିଖରୁ ବର୍ଷା କମିବ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *