
ମହାନଦୀ ଉପରମୁଣ୍ଡରେ କି ତଳମୁଣ୍ଡରେ ବର୍ଷା ନାହିଁ। ବିଭିନ୍ନ ନଦୀର ଜଳସ୍ତର ବି କମିଛି। କଣାସକୁ ଛାଡ଼ିଦେଲେ ବାକି ସବୁ ଅଞ୍ଚଳରେ ପାଣି କମିବା ଆରମ୍ଭ କରିଛି। ରିଲିଫ କାମକୁ ଅଗ୍ରାଧିକାର ଦିଆଯାଉଛି। କିନ୍ତୁ ୧୮ରୁ ୨୦ ଯାଏ ଲଘୁଚାପଜନିତ ବର୍ଷା ଲାଗି ସତର୍କତା ସ୍ୱରୂପ ଉତ୍ତର ଓଡ଼ିଶାର ସମସ୍ତ ଜଳାଶୟକୁ ଖାଲି କରାଯାଉଥିବା କହିଛନ୍ତି ଏସଆରସି। ସେପଟେ ହୀରାକୁଦ ଗେଟ ବନ୍ଦ ନିଷ୍ପତ୍ତି ସ୍ଥିତି ଦେଖି ନିଆଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଥିଲା ବେଳେ ପାଣିପାଗ ବିଭାଗ କହିଛି, ସଂଧ୍ୟାରୁ ବର୍ଷା ବଢିଲେ ବିଭିନ୍ନ ନଦୀ ପୁଣି ଫୁଲିବ। ଆଉ ଘାଇ ହୋଇନି। ବର୍ଷା ବି କାଲିଠୁ ନାହିଁ। ନଦୀର ଜଳସ୍ତର ବି କମିଛି। ପାଣି ବି କମିଛି। କିନ୍ତୁ ୧୮ରୁ ୨୦ ଯାଏ ଆଉ ଏକ ଲଘୁଚାପଜନିତ ବର୍ଷା ଏହି ଆଶ୍ୱସ୍ତିକର ଖବର ଭିତରେ ପୁଣି ବିପଦ ଆଣିବ ବୋଲି ଆଶଙ୍କା ବି ପ୍ରକାଶ ପାଇଛି।
ସେଥିଲାଗି ଏବେକାର ବନ୍ୟା ଦାଉରେ ଅତିଷ୍ଠ ବିପନ୍ନଙ୍କ ପାଖରେ କିଭଳି ରିଲିଫ ପହଞ୍ଚିବ, ତାକୁ ଅଗ୍ରାଧିକାର ଦିଆଯାଉଛି। କାରଣ ଅନେକ ବିପନ୍ନ ଖୋଲା ଆକାଶ ତଳେ ରହିଛନ୍ତି। ଆଉ ଏହାକୁ ମୁକାବିଲା କଲାବେଳକୁ ଆସୁଥିବା ଲଘୁଚାପ ଆଉ ଏକ ବିପତ୍ତିକୁ ବଢାଇଦେବ। ସେଥିଲାଗି ଏହି ବର୍ଷାରେ ଯେଭଳି ବଡ଼ ଧରଣର ଅସୁବିଧା ନ ହେବ ସେଥିଲାଗି ଅଧିକାଂଶ ଡ୍ୟାମ୍ କୁ ଖାଲି କରାଯାଉଥିବା କହିଛନ୍ତି ଏସଆରସି। ଲଘୁଚାପଜନିତ ବର୍ଷାର ପ୍ରଭାବ ଉତ୍ତର ଓଡ଼ିଶାରେ ଅଧିକ ପଡ଼ିବାର ସମ୍ଭାବନା ଥିବାରୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ଆଲର୍ଟ କରିଦିଆଯାଇଛି। ସଂପୃକ୍ତ ଜିଲ୍ଲାର ସମସ୍ତ ଜଳାଶୟକୁ ଖାଲି କରାଯାଉଛି। ପାଣି ଛାଡ଼ିଲେ କ୍ଷୟକ୍ଷତି ଆକଳନ କରାଯିବ।
ଉପରମୁଣ୍ଡରେ ସର୍ବାଧିକ ୫୦ ମିଲିମିଟର ବର୍ଷା ଯାଏ ସମ୍ଭାଳି ହେବ। ଜଳସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ସ୍ଥିତି ଦେଖି ହୀରାକୁଦର କେତୋଟି ଗେଟ୍ ବନ୍ଦ ହେବ ନା କେତେ ସମୟ ଧରି ଖୋଲାଯିବ, ନିଷ୍ପତ୍ତି ନିଆଯିବ। ପାଣିପାଗ ବିଭାଗର ଆକଳନ ହେଉଛି କି, ଉପକୂଳରୁ ପଶ୍ଚିମ ଓଡ଼ିଶା ଯାଏ ଲଘୁଚାପଜନିତ ବର୍ଷାର ପ୍ରଭାବ ରହିବ। ଏହି ଲଗାଣ ବର୍ଷା ଲାଗି ତଳିଆ ଅଞ୍ଚଳରେ ପାଣି ପଶିବ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ଅବିଶ୍ରାନ୍ତ ବର୍ଷାରେ ବନ୍ୟା ବିପତ୍ତି ଦାଉ ସାଧିଲା। ବିପନ୍ନଙ୍କ ଦୁର୍ଦ୍ଦଶା ବଢିଛି। ଏଭଳି ସ୍ଥିତିରେ ସୃଷ୍ଟ ଆଉ ଏକ ଲଘୁଚାପ ପୁଣି ତଳିଆ ଓ ନଦୀକୂଳିଆଙ୍କ ଭିତରେ ଛନକା ପୁରାଇଲାଣି। ପ୍ରଶାସନ ବି ଏହାକୁ କିଭଳି ମୁକାବିଲା କରିବ, ଚିନ୍ତାରେ ଅଛି।
- ସିମ୍ପୁଲ ନାୟକ ଓ ନବକିଶୋର ସାହୁଙ୍କ ରିପୋର୍ଟ