students protest for justice

  • ଅଶାନ୍ତ ଚଣ୍ଡିଗଡ ବିଶ୍ବବିଦ୍ୟାଳୟ

    ଚଣ୍ଡିଗଡ: ଚଣ୍ଡିଗଡର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଛାତ୍ରୀମାନଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ। ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ଉଗ୍ର ହୋଇଛି ବିରୋଧ ଓ ହଙ୍ଗାମା । ଭିଡିଓ ଭାଇରାଲ ପରେ କିଛି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଥିବା ବେଳେ ସ୍ଥିତିକୁ ଦେଖି ଆକ୍ସନ ମୋଡକୁ ଆସିଛି ପୁଲିସ। ତେବେ କେହି ଆତ୍ମହତ୍ୟା ଉଦ୍ୟମ କରିବାର କୌଣସି ପ୍ରମାଣ ମିଳିନଥିବା ମୋହାଲୀ ଏସଏସପି କହିଛନ୍ତି। ଏହା ବ୍ୟତୀତ ଭାଇରାଲ ଏମଏମଏସକୁ ନେଇ ଜଣକୁ ଗିରଫ କରାଯାଇଛି।

    ଶନିବାର ରାତି ପ୍ରାୟ ସାଢେ ଦୁଇଟାରେ ଶାନ୍ତ ଚଣ୍ଡିଗଡ ବିଶ୍ବବିଦ୍ୟାଳୟ ପରିବେଶ ହୋଇଉଠିଥିଲା ଅଶାନ୍ତ। ହଷ୍ଟେଲ ଅନ୍ତେବାସିନୀଙ୍କ ଅଶ୍ଳୀଳ ଭିଡିଓ ଘୁରିବୁଲୁଥିଲା ଗୋଟିଏରୁ ଆଉ ଗୋଟିଏ ମୋବାଇଲକୁ। ଜଣେ କି ଦୁଇ ଜଣ ଛାତ୍ରୀଙ୍କ ଏମଏମଏସ ନୁହେଁ, ୬୦ ଛାତ୍ରୀଙ୍କ ଏମଏମଏସ ହୋଇଥିଲା ଭାଇରାଲ। ହଷ୍ଟେଲ ବାଥରୁମରେ ଛାତ୍ରୀଙ୍କ ନଗ୍ନ ଭିଡିଓ ସାମ୍ନାକୁ ଆସିବା ପରେ ଶାନ୍ତ, ନିଶବ୍ଦ ରାତି ଉଷ୍ଣତାରେ ଭରିଯାଇଥିଲା। ହୋ ହାଲ୍ଲା, ନାରାବାଜି, ବିରୋଧକୁ ନେଇ ବିଶ୍ବ ବିଦ୍ୟାଳୟର ହଷ୍ଟେଲ କୋଠରୀରୁ ରାସ୍ତା ଉପରକୁ ବାହାରି ଆସିଥିଲେ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ବିଶ୍ବବିଦ୍ୟାଳୟ ପରିସରରେ ଦେଖା ଦେଇଥିଲା ହଙ୍ଗାମା।

    – କିଏ ଏହି ଏମଏମଏସ ସବୁ ଭାଇରାଲ କରିଛି?

    – କିଏ ଓ କିପରି ଏସବୁ  ସୁଟ କରିଥିଲା? ଏପରି ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରିଛି ସମସ୍ତଙ୍କୁ।

    ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଣେ ଛାତ୍ରୀ ହଷ୍ଟେଲର ପ୍ରାୟ ୬୦ ଜଣ ଛାତ୍ରୀଙ୍କ ଗାଧୋଇବା ସମୟର ନଗ୍ନ ଭିଡିଓ କରିଥିବା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିଛି। ଭିଡିଓ ଭାଇରାଲ ହେବା ଜଣାପଡିବା ପରେ ସେହି ୬୦ ଜଣଙ୍କ ମଧ୍ୟରୁ ୮ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେମାନଙ୍କୁ ମୋହାଲିର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ହଷ୍ଟେଲ ରୁମରୁ ଛାତ୍ରଛାତ୍ରୀ ବାହାରି ଆସି ପାଟିତୁଣ୍ଡ, ନାରାବାଜି କରିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାକୁ ଗୁରୁତର ସହ ନେବା ସହ ଏହାର ତଦନ୍ତ କରିଛି। ଏହି ସଙ୍ଗୀନ ଅଭିଯୋଗରେ ଜଣେ ଛାତ୍ରୀଙ୍କୁ ଗିରଫ କରାଯାଇଥିବା ବେଳେ କିନ୍ତୁ ଆତ୍ମହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୋହାଲି ଏସଏସପି ବିବେକ ସୋନି। ସୋନି କହିଛନ୍ତି କି, ଭିଡିଓ କରିଥିବା ଅଭିଯୁକ୍ତା ଛାତ୍ରୀ ବିରୋଧରେ ଏଫଆଇଆର ଦାୟର କରାଯାଇଛି ଓ ତାକୁ ଗିରଫ କରାଯାଇଛି।

    ହେଲେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ୬୦ ଜଣଙ୍କ ଏମଏମଏସ ଭାଇରାଲ ହୋଇଥିବା କୁହାଯାଉଥିବା ବେଳେ ପୁଲିସ କହୁଛି ମାତ୍ର ଜଣଙ୍କର ଭିଡିଓ ଭାଇରାଲ ହୋଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଘଟଣା ଜଣାପଡିବା ପରେ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ହଙ୍ଗାମା କରିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ନ ହେବାରୁ ପୁଲିସକୁ ଖବର ଦିଆଯାଇଥିଲା। ଅନ୍ୟ ଏକ ଭିଡିଓରେ କିଛି ଛାତ୍ରୀଙ୍କୁ ବେହୋସାବସ୍ଥାରେ ଦେଖିବାକୁ ମିଳିଥିଲା। ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଆତ୍ମହତ୍ୟା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛି ମୋହାଲି ପୁଲିସ। ଏହି ଘଟଣାରେ କାହାର ପ୍ରାଣହାନୀ ଘଟିନଥିବା କୁହାଯିବା ସହ କେହି ଆତ୍ମହତ୍ୟା କରିନଥିବା ପୁଲିସ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଏସଏସପି କହିଛନ୍ତି, ମେଡିକାଲ ରିପୋର୍ଟରେ କୌଣସି ଆତ୍ମହତ୍ୟା ଉଦ୍ୟମ ନେଇ କିଛି ସ୍ପଷ୍ଟୋକ୍ତି ନାହିଁ।,

    ତେବେ ଛାତ୍ରୀଙ୍କ ଏମଏମଏସ ଭାଇରାଲ ପରେ ଓ ଘଟଣାକୁ ନେଇ ଏଫଆଇଆର ଦାୟର ପରି ବିଶ୍ବବିଦ୍ୟାଳୟ ପରିସରକୁ ବନ୍ଦ କରି ଦିଆଯାଇଥିଲା। ମିଡିଆକୁ ଭିତରକୁ ଛଡାଯାଇ ନ ଥିଲା। କିନ୍ତୁ  ବିଶ୍ବବିଦ୍ୟାଳୟର ସିରିଜ ଭିଡିଓ ଭାଇରାଲ ହେଉଛି। ଅନ୍ୟ ଏକ ଭିଡିଓରେ ହଷ୍ଟେଲର ମହିଳା ୱାର୍ଡନ ଅଭିଯୁକ୍ତ ଛାତ୍ରୀକୁ ପଚରାଉଚରା କରୁଛନ୍ତି। ଯେଉଁଥିରେ ଛାତ୍ରୀ କହୁଛି କି, କିଛି ଭିଡିଓ କରି ସେ ସିମଲାରେ ରହୁଥିବା ଜଣେ ଯୁବକକୁ ପଠାଇଥିଲା। ହେଲେ କଣ ପାଇଁ ସେ ଏପରି କଲା ବୋଲି ୱାର୍ଡନ ପଚାରିଥିବା ବେଳେ ଛାତ୍ରୀ କୌଣସି ଉତ୍ତର ଦେଇ ନ ଥିଲା। କିନ୍ତୁ ଏହାକୁ ନେଇ ଏସଏସପି କହିଛନ୍ତି, ଅଭିଯୁକ୍ତର ହିଁ ଗୋଟିଏ ଭିଡିଓ ଭାଇରାଲ ହୋଇଛି। ଅନ୍ୟ ଛାତ୍ରୀଙ୍କ କୌଣସି ଭିଡିଓ ଭାଇରାଲ ହୋଇନାହିଁ।  ତେବେ ଘଟଣା ପରେ ପୁଲିସ ଯାଞ୍ଚ ଜାରି ରଖିଥିବା ଏସଏସପି କହିଛନ୍ତି। ଅଭିଯୁକ୍ତ ଛାତ୍ରୀର ମୋବାଇଲ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ଜବତ କରାଯିବା ଫରେନ୍ସିକ ଯାଞ୍ଚ ପାଇଁ ପଠାଇ ଦିଆଯାଇଥିବା କହିଛନ୍ତି ଏସଏସପି।

    ତେବେ ଏକ ସୂତ୍ରରୁ ସୂଚନା ରହିଛି କି, ହଷ୍ଟେଲ ଭିତରେ ଏମବିଏ ପ୍ରଥମ ବର୍ଷ ଏକାଧିକ ଛାତ୍ରୀଙ୍କ ଏମଏମଏସ କରି ଆଡଲ୍ଟ ୱେବସାଇଟରେ ଏହାକୁ ଅପଲୋଡ କରିଥିଲେ। ଏହାକୁ ନେଇ କିଛି ପୀଡିତା ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଜଣେ ଛାତ୍ରୀଙ୍କ ଜୀବନ ହାନୀ ଘଟିଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ଘଟଣାକୁ ଚପାଇବାକୁ ଆପ୍ରାଣ ଉଦ୍ୟମ ହେଉଥିବା ବିଭିନ୍ନ ଟ୍ବିଟରୁ ସାମ୍ନାକୁ ଆସିଛି। କିନ୍ତୁ ଏହାର ସତ୍ୟତା ସ୍ପଷ୍ଟ ହୋଇନାହିଁ।

    ଶିଳାସ୍ମିତା ରାୟଙ୍କ ରିପୋର୍ଟ

Back to top button