ସଂସଦରେ ଗୋହି ଖୋଳାଖୋଳି

Spread the love

() ସଂସଦରେ ଆଲୋଚନା ହେଉଛି ସତ। କିନ୍ତୁ ଆଲୋଚନା ଆଳରେ ପରସ୍ପରର ଗୋହି ଖୋଳିବାରେ ଲାଗିଛନ୍ତି ଶାସକ ଓ ବିରୋଧୀ। ବିଶେଷ କରି ଆଦାନୀ ଝଡ଼ ଏବେ ବି ବହୁଛି ସଂସଦରେ। ଆଦାନୀ-ମୋଦି ସମ୍ପର୍କକୁ ନେଇ ମଙ୍ଗଳବାର ରାହୁଲ ଗାନ୍ଧୀ ପଚାରିଥିବା ପ୍ରଶ୍ନର ଉତ୍ତର ଆଜି ସଂସଦରେ ରଖିଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଗୋଟି ଗୋଟି କରି ରାହୁଲ, ସୋନିଆ ଓ ତାଙ୍କ ଜ୍ୱାଇଁ ଭଦ୍ରାଙ୍କ ଆଡ଼କୁ ଅଙ୍ଗୁଳି ଉଠାଇ କାଉଣ୍ଟର କରିଛନ୍ତି ରବିଶଙ୍କର।

ମୋଦି-ଆଦାନୀଙ୍କ ଭିତରେ କି ସମ୍ପର୍କ ରହିଛି। ଆଦାନୀଠୁ କେତେ ଟଙ୍କା ବିଜେପି ନେଇଛି ବୋଲି ମଙ୍ଗଳବାର ପ୍ରଶ୍ନବାଣରେ ଛନ୍ଦିଥିଲେ ରାହୁଲ ଗାନ୍ଧୀ। ବିଦେଶ ଭ୍ରମଣ ଏକା ସାଙ୍ଗରେ କେତେଥର କରିଛନ୍ତି। ଆଦାନୀ ପାଇଁ ପଡୋଶୀ ରାଷ୍ଟ୍ର ଉପରେ କେଉଁ ସ୍ୱାର୍ଥରେ ଚାପ ପକାଇବାକୁ ପଛାନ୍ତିନି ପ୍ରଧାନମନ୍ତ୍ରୀ। ପଦଯାତ୍ରାର ମହତ୍ତ୍ୱ ଭୁଲିଗଲେଣି ସଭିଏଁ। ଜନତାର ସ୍ୱର ଶୁଣିବାକୁ କେହି ନାହିଁ। ଏମିତି ତମାମ ପ୍ରଶ୍ନର କାଉଣ୍ଟର କରିଛନ୍ତି ଆଜି ସଂସଦରେ ପୂର୍ବତନ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ରାହୁଲଙ୍କ ମନ୍ତବ୍ୟରେ ହତାଶା, କ୍ଳେଶ, ପୀଡ଼ା ଭରିରହିଛି। ଭାରତ ଯୋଡ଼ ଯାତ୍ରାରେ ବିଧ୍ୱଂସକ ତତ୍ତ୍ୱ କେମିତି ସେନାଠୁ ପ୍ରମାଣ ମାଗେ ତାହାର ଅବତାରଣା କରିଛନ୍ତି। ମୋଦି ମ୍ୟାଜିକ୍‌ ନିରନ୍ତର କାମ କରୁଥିବାରୁ କ୍ଷମତାରୁ ଦୂରରେ ଥିବା ରାହୁଲ ଅଥୟ ହୋଇପଡ଼ିଲେଣି।

ଭାରତର ଉଦ୍ୟୋଗପତି ଆଗକୁ ବଢିଲେ ଏଥିରେ ଭୁଲ କେଉଁଠି। ବିକାଶରେ ସରକାର ଓ ଉଦ୍ୟୋଗପତିଙ୍କ ମିଳିତ ଭାବନା ରହିବା ଦରକାର। ଉପା ସରକାର ଅମଳରେ ଆଦାନୀଙ୍କ ଭାଗିଦାରୀ କେମିତି ଥିଲା, ତାହାର ଗୋଟିଏ ପରେ ଗୋଟିଏ ଚିଠା ଖୋଲିଛନ୍ତି ରବିଶଙ୍କର। ଏହା ସହ ଯୋଡ଼ିଛନ୍ତି ଉପା ଅମଳରେ କମିଶନି ସହ ଡିଲ୍ ଓ ତା ପରେ ବିଲ୍ ଯୁଗ ଚାଲିଥିଲା। କିନ୍ତୁ ମୋଦି ସରକାରରେ କମିଶନି କାରବାର ସରିଥିବାରୁ ଏହାକୁ ହଜମ କରିପାରୁନି କଂଗ୍ରେସ।

ବୋଫୋର୍ସ, ରାଫେଲ, ଅଗଷ୍ଟା ଓ୍ୱେଷ୍ଟଲ୍ୟାଣ୍ଡ, ନାସନାଲ ହେରାଲ୍ଡ ଦୁର୍ନୀତି, ଟୁ-ଜି, କୋଇଲା ସ୍କାମ ଆଦିର ଲମ୍ୱା ଚିଠା ଦେଖାଇ ସୋନିଆ, ରାହୁଲ, ପ୍ରିୟଙ୍କା ଓ ଭଦ୍ରାଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ରବିଶଙ୍କର। ଏ ସମ୍ପର୍କିତ ପୋଷ୍ଟର ବି ଦେଖାଇଥିଲେ ଗୃହରେ।

ଗାନ୍ଧୀ ପରିବାର କିଭଳି ଦେଶର ପ୍ରଗତିରେ ବାଧକ ସାଜିଛି, ତାହାର ଅବତାରଣା କରିଥିଲେ ରବିଶଙ୍କର। ଆଦାନୀକୁ ନେଇ ବିଦେଶୀ ଏଜେନ୍ସିର ରିପୋର୍ଟକୁ ନେଇ ଏତେ ତୁମ୍ୱିତୋଫାନ କରୁଥିବା ବିରୋଧୀଙ୍କୁ ରବିଶଙ୍କର ନିଆରା ଢଙ୍ଗରେ ଜବାବ ଫେରାଇଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *