ପୁରୀରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ

ପୁରୀ:  ପୁରୀରେ ଆସନ୍ତା ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯିବ। ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବେ। ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ସ୍ତରର କାର୍ଯ୍ୟକର୍ତ୍ତା ପ୍ରତିଷ୍ଠା ଦିବସରେ ଯୋଗଦେବେ। ଏଥିପାଇଁ ବିଜେଡ଼ି ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠା ଦିବସ ଆୟୋଜନ ସମ୍ପର୍କରେ ସୂଚନା ଦିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଦଳ ଆଗକୁ ବଢ଼ିବ ବୋଲି ଦଳର ବରିଷ୍ଠ ନେତାମାନେ କହିଛନ୍ତି।

ପୁରୀ ତାଳବଣିଆ ପଡ଼ିଆରେ ଆସନ୍ତା ୨୬ ତାରିଖରେ ବିଜେଡି ପାଳିବ ୨୫ତମ ପ୍ରତିଷ୍ଠା ଦିବସ। ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳନ ନେଇ ତାଳବଣିଆ ପଡ଼ିଆ ଠାରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ବିଜେଡ଼ି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ଉମାକାନ୍ତ ସାମନ୍ତରାୟ, ଅତୁନ ସବ୍ୟସାଚୀ ନାୟକ ଓ ତୁଷାରକାନ୍ତି ବେହେରା ପ୍ରମୁଖ ତାଳବଣିଆ ପଡ଼ିଆ ଯାଇ ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

୨୬ ତାରିଖ ସକାଳ ୯ଟା ରେ ଦଳ କର୍ମକର୍ତ୍ତାମାନେ ପଞ୍ଜିକରଣ କରିବା ପରେ ୧୦ଟା ରୁ ସଭା କାର୍ଯ୍ୟ ଆରମ୍ଭ ହେବ। ଏଥିରେ ବିଜେଡିର ସାଂସଦ, ବିଧାୟକ, ଜିଲ୍ଲାପରିଷଦ, ସରପଞ୍ଚଙ୍କ ସହ ବିଜେଡି ଶାସନରେ ଥିବା ମ୍ୟୁନିସିପାଲିଟି ଏବଂ ଏନ ଏ ସି ରି ନେତା ଓ କର୍ମକର୍ତ୍ତା, ବିଜେଡିର ଛାମୁଆ ସଂଗଠନ, ଯୁବ ଓ ମହିଳା ସଂଗଠନ, ଏଏସିଏସଟି, କୃଷକ, ସମବାୟ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ରହିବେ। ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀକ୍ଷେତ୍ରରେ ୨୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଥିଲା ଦଳ। ଚଳିତ ମାସ ୨୬ରେ ପୁରୀରେ ପୁନର୍ବାର ଦଳ ପାଳିବ ୨୫ ତମ ପ୍ରତିଷ୍ଠା ଦିବସ। ଦଳର ରୌପ୍ୟ ଜୟନ୍ତୀକୁ ଆନନ୍ଦ ଉଲ୍ଲାସରେ ପୁରୀରେ ପାଳନ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ପୁରୀରୁ ଶଙ୍ଖ ନାଦ କରିବ ବୋଲି ବରିଷ୍ଠ ନେତା ମାନେ କହିଛନ୍ତି।

ଗୋଟିଏ ପଟେ ରାଜ୍ୟରେ କୋଭିଡର ଭୟ ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ଆଶା ଆଶଙ୍କା ସୃଷ୍ଟି ହୋଇଛି ।

ସମ୍ବିତ ମିଶ୍ର

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *