ଥମୁନି ମର୍ଡର ମିଷ୍ଟ୍ରିକୁ ନେଇ ରାଜନୀତି

() ମନ୍ତ୍ରୀ ନବ ଦାସ ମର୍ଡର ମାମଲାରେ ନା ତଦନ୍ତର ନିଷ୍କର୍ସ ଆସିଛି ନା ରାଜନୀତି ଥମୁଛି। ଅବଶ୍ୟ କର୍ତ୍ତବ୍ୟରେ ଅବହେଳା ଲାଗି ଅନେକ ପୁଲିସ କର୍ମଚାରୀଙ୍କ ବଦଳି, ନିଲମ୍ୱନ ଅଧ୍ୟାୟ ସରିଛି। ଏତିକିବେଳେ ପିଏସଓ କେତେ ସୁରକ୍ଷିତ, ତାକୁ ସନ୍ଦେହ କରି ଆଜି ବିରୋଧୀ ଦଳ ନେତା ତାଙ୍କର ପିଏସଓଙ୍କୁ ଫେରାଇଦେଇଛନ୍ତି। ଆଉ ଜୟନାରାୟଣଙ୍କ ଅପରାଧିକ ଟ୍ରାକରେକର୍ଡକୁ ନେଇ ପାଲଟା ବର୍ଷିଛି ବିଜେଡି। କଂଗ୍ରେସ କହିଛି, ସାଙ୍ଘାତିକ ଷଡ଼ଯନ୍ତ୍ର ଅଧ୍ୟାୟର ଉନ୍ମୋଚନ ହେଉ।

ମନ୍ତ୍ରୀ ନବ ଦାସ ମର୍ଡର ମିଷ୍ଟ୍ରିକୁ ନେଇ ରାଜନୀତି ଥମୁନି। ଓଡ଼ିଶା ପୁଲିସ ଉପରେ ଭରସା ନାହିଁ ବୋଲି କହି ନିଜର ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଫେରାଇଦେଇଛନ୍ତି ବିରୋଧୀ ଦଳ ନେତା। ଝାରସୁଗୁଡ଼ା ହସ୍ପିଟାଲର ଇସିଜି ରିପୋର୍ଟରେ ନବ ଦାସଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥା କେମିତି ଥିଲା ଆଉ କେଉଁ ପରିସ୍ଥିତିରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଗଲା, ସେ ସବୁ ରିପୋର୍ଟକୁ ସାର୍ବଜନୀନ କରାଯାଉ ବୋଲି ଜୟନାରାୟଣ ଦାବି କରିଛନ୍ତି। ମୃତ ବ୍ୟକ୍ତିର ଅସ୍ତ୍ରୋପଚାର କେମିତି ହେଲା, ସରକାରଙ୍କଠୁ ସ୍ପଷ୍ଟିକରଣ ମାଗିଛନ୍ତି।

ସେପଟେ ବିଜେଡି ଜୟନାରାୟଣଙ୍କୁ ଜଣେ ହତ୍ୟା ଅଭିଯୁକ୍ତ ଦର୍ଶାଇ ତାଙ୍କର ଅଭିଯୋଗକୁ ଉପହାସ କରିଛି। ଏଭଳି ସମ୍ୱେଦନଶୀଳ ଘଟଣାରେ ସରକାର ସମ୍ପୂର୍ଣ୍ଣ ସଜାଗ। ଜଷ୍ଟିସ ଜେପି ଦାସ ତଦନ୍ତକୁ ତଦାରଖ କରୁଛନ୍ତି। ପିଏସଓ ପ୍ରତ୍ୟାହାର ନିଷ୍ପତ୍ତି ବ୍ୟକ୍ତିଗତ। ଏଥିରେ କୌଣସି ପ୍ରଭାବ ପଡ଼ିବନି।

ଆଉ କଂଗ୍ରେସ କହିଛି ଏ ଘଟଣାକୁ ଗୋଳମାଳିଆ କରିବାକୁ ଚେଷ୍ଟା ଆରମ୍ଭରୁ ଚାଲିଛି। ଅପରାଧିକ ଷଡ଼ଯନ୍ତ୍ର ଜଳଜଳ କରି ଦିଶୁଛି। ସେ ସବୁର ମୁଖା ଖୋଲିବା ଦରକାର। ତା ନହେଲେ ରାଜ୍ୟବାସୀ କେବେ ବି କ୍ଷମା ଦେବେନି।

ନବ ଦାସ ହତ୍ୟା ମାମଲା ଏକ ହାଇପ୍ରୋଫାଇଲ ଘଟଣା। କିନ୍ତୁ ତଦନ୍ତ ଦିଗହରା ହେଲାଣି ବୋଲି ବିରୋଧୀଙ୍କ ଆରୋପ। ଆଉ ସରକାରଙ୍କ କହିବା କଥା, ଦୋଷୀ ନିସ୍ତାର ପାଇବନି। ଆଉ ଜନତା ଚାହିଁ ବସିଛି, ମର୍ଡର ପଛର ରହସ୍ୟ କେବେ ଉନ୍ମୋଚନ ହେଉଛି।

ଅକ୍ଷୟ ମହାରଣା ଓ ସିମ୍ପୁଲ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *