ଏଏସଓ ଚାକିରୀରେ ହୋଇଥିଲା ଘୋର ଅନିୟମିତତା। ଗଲା ସରକାର ଅମଳରେ ୩୦ଲକ୍ଷରେ ବିକ୍ରି ହେଉଥିଲା ଏଏସଓ ଚାକିରୀ। ଚାକିରୀ ନିଲାମ କରୁଥିଲେ। ଏଭଳି ଆରୋପ ଲଦିବା ସହ ସରକାରୀ ଚାକିରୀ ଲାଗି ବିଭିନ୍ନ ପରୀକ୍ଷାରେ ହେଉଥିବା ଅନିୟମିତତା ଓ ଦୁର୍ନୀତିକୁ ଅଙ୍ଗୁଳି ନିର୍ଦେଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେଥିଲାଗି ପରୀକ୍ଷା ପରିଚାଳନାରେ ସ୍ୱଛତା ଆଣିବା ସକାଶେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ଜାଲିଆତି ପାଇଁ ୧୦ବର୍ଷ ଜେଲ, କୋଟିଏ ଜୋରିମାନାର ପ୍ରାବଧାନ ରଖାଯାଇଛି। କୌଣସି ଅନୁଷ୍ଠାନ ଅନିୟମିତତାରେ ସାମିଲ୍ ଥିଲେ ଅନୁଷ୍ଠାନର ସମ୍ପତ୍ତି ବାଜ୍ୟାପ୍ତି ହେବ। ଡିଏସପି କିମ୍ୱା ଏସପି ରାଙ୍କର ଅଧିକାରୀ ମାମଲାର ତଦନ୍ତ କରିବେ। ଏହାକୁ ଐତିହାସିକ କୁହାଯାଉଛି। ତେବେ ଏହାକୁ ଗଣ୍ଠି କରି ଶନିବାର ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରତିବାଦ କରିଥିଲା ବିଜେଡି। ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲା। ପୂର୍ବ ସରକାରଙ୍କୁ ବଦନାମ କରିବାକୁ ଏହା ଷଡ଼ଯନ୍ତ୍ର। କିଏ ଲାଞ୍ଚ ନେଇ ଚାକିରୀ ଦେଲା, ତଦନ୍ତ କରନ୍ତୁ ସରକାର। ସତସାହସ ଥିଲେ ସିବିଆଇ ତଦନ୍ତ କରାନ୍ତୁ। ଏହା ସ୍ପଷ୍ଟ ନ କରି ଯେଉଁମାନେ ଚାକିରୀ ପାଇଛନ୍ତି ଏହା ବି ସେମାନଙ୍କୁ ଅପମାନ। ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟତା ରଖନ୍ତୁ ନଚେତ୍ ଗୃହକୁ କ୍ଷମା ମାଗନ୍ତୁ। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ।
ଆଗ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ କରିଥିବା ବାଚସ୍ପତି ପୁଣି ସମାନ ପ୍ରତିବାଦ ଦେଖି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଏସଓ ଚାକିରୀ ବିକ୍ରି ବିବୃତ୍ତିର ପ୍ରତିବାଦ ବି କରିଛି କଂଗ୍ରେସ। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଯଦି ଜାଣିଛନ୍ତି, ଗଲା ସରକାରରେ ଚାକିରୀ ବିକ୍ରି ହୋଇଛି। ତା ହେଲେ ତଦନ୍ତ କରି ଆକ୍ସନ ନେବା ବଦଳରେ ଏଭଳି ଶସ୍ତା ମନ୍ତବ୍ୟ କାହିଁକି ଦେଉଛନ୍ତି। ଏହା ହାନିକାରକ ସାଜିବ। ଆଉ ଶାସକ ଦଳ କହିଛି, ଚାକିରୀ ବିକ୍ରି ପ୍ରସଙ୍ଗରେ ପ୍ରଶ୍ନ କରିବାକୁ ବିଜେଡିର ନୈତିକ ଅଧିକାର ନାହିଁ। ଅଯୋଗ୍ୟଙ୍କୁ ଚାକିରୀ ଦେଇଥିଲେ। ଏ ସବୁ ଅନିୟମିତତା ବନ୍ଦ କରିବାକୁ ମୋହନ ସରକାର ବିଲ୍ ଆଣିଛନ୍ତି। ଫସିଯିବା ଭୟରେ ବିଜେଡି ଏଭଳି ଲୋକଦେଖାଣିଆ ପ୍ରତିବାଦ କରିଛି। କାର୍ଯ୍ୟାନୁଷ୍ଠାନ ଲାଗି ବି ବିଲ୍ ଆସୁଛି।
ସେପଟେ ଏଏସଓ ଚାକିରୀ ଆଶାୟୀ ଥିବା ଅନେକ ପ୍ରାର୍ଥୀ ଦୀର୍ଘ ଦିନ ଧରି ପ୍ରତିବାଦ କରିଆସୁଛନ୍ତି। ସଡ଼କରୁ ନେଇ ନ୍ୟାୟାଳୟ ଯାଏ ଲଢ଼ୁଛନ୍ତି। ଏଏସଓ ଚାକିରୀ ଆଶାୟୀ ବି ପଚାରିଛନ୍ତି, ଅଯୋଗ୍ୟ ଯଦି ଚାକିରୀ ପାଇଥିବା ସରକାର ହୃଦବୋଧ କରିଛନ୍ତି, ତା ହେଲେ ଏ ଦିଗରେ କି ପଦକ୍ଷେପ ନେବେ। ଅଯୋଗ୍ୟଙ୍କୁ କାଢ଼ି ଯୋଗ୍ୟଙ୍କୁ ଚାକିରୀ ଦେବା ନେଇ ଆଗଭର ହୁଅନ୍ତୁ ସରକାର।
ରିପୋର୍ଟ- ପ୍ରଦୀପ ନାୟକ
Naxatra News is now on Whatsapp
Join and get latest news update delivered to you via whatsapp
Join Now